ଭୁବନେଶ୍ୱର: ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଂଜିନିୟରିଂ ସିଟ୍ ସଂରକ୍ଷଣ ନିମନ୍ତେ ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିରେ ଆଗକୁ ବଢ଼ିଛନ୍ତି । ସଂରକ୍ଷଣ ବ୍ୟବସ୍ଥା ନିର୍ଦ୍ଧାରଣ ପାଇଁ ଆଜି ରାଜ୍ୟ ସରକାର ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି । ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଏ.କେ.ମିଶ୍ର କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ।
କମିଟିରେ ନିଯୁକ୍ତ ସଦସ୍ୟମାନେ ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ କୁମାର ଦାସ, ଡିଏମଇଟି ପ୍ରଫେସର ଡକ୍ଟର ସି.ବି.କେ. ମହାନ୍ତି, ସିଏଚଏସଇ ଅଧ୍ୟକ୍ଷ ବି.ଏସ୍.ପୁନିଆ(ଆଇଏଏସ୍), ଡିଟିଇଟି ଜି.ରଘୁ(ଆଇଏଏସ୍) ଏବଂ ଏସଡି ଆଣ୍ଡ ଟିଇ ବିଭାଗର ଯୁଗ୍ମ ସଚିବ ଡ. ଏ.କେ. ନାୟକ(ଓଏଏସ୍) ।
ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୮ ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ୩ ମାସରେ ରିପୋର୍ଟ ଦେବେ ଏବଂ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ଆସନ୍ତା ଶିକ୍ଷାବର୍ଷଠାରୁ ହିଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି ।