ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଅପରେସନ କ୍ଲିନ୍’ ରେ ସଫା ହୋଇଛନ୍ତି ଆଉ ୩ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଦୁର୍ନୀତିକୁ ନୀତି କରି କୋଟି କୋଟି ଟଙ୍କା କମେଇଥିବା ଏହି ତିନିଙ୍କୁ ରାଜ୍ୟ ସରକାର ଚାକିରିରୁ ତଡ଼ି ଦେଇଛନ୍ତି । ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଯେଝା ଘରକୁ ପଠାଇ ଦିଆଯାଇଛି । ଚାକିରିରୁ ତଣ୍ଟିଆ ଖାଇଥିବା ଏହି ଅଧିକାରୀମାନେ ହେଲେ ଆଠଗଡ଼ର ଡିଏଫଓ(ନିଲମ୍ବିତ) ସୁଧାଂଶୁ ମିଶ୍ର, ଅନୁଗୁଳ ରୁରାଲ୍ ୱାର୍କସ୍ କ୍ୱାଲିଟି କଣ୍ଟୋ୍ରଲ ଡିଭିଜନ୍ ର ଏକଜ୍ୟୁଟିଭ୍ ଇଞ୍ଜିନିୟର ପ୍ରାଣକୃଷ୍ଣ ପ୍ରସାଦ ଏବଂ ତୁଷୁରା(ଆର ଆଣ୍ଡ ବି) ସବ ଡିଭିଜନ୍-୧ର ଡେପୁଟି ଏକଜ୍ୟୁଟିଭ୍ ଇଞ୍ଜିନିୟର ଉମେଶ ଚନ୍ଦ୍ର ତ୍ରିପାଠୀ ।
ପ୍ରଚଣ୍ଡ ଖାଉ ଅଧିକାରୀ ଭାବେ ସୁଧାଂଶୁ ମିଶ୍ର ଜଣାଶୁଣା । ଆଠଗଡ଼ରେ ଡିଏଫଓ ଭାବେ କାର୍ଯ୍ୟ କଲା ବେଳେ ତାଙ୍କର ଦୁର୍ନୀତି ଫୁଟିକି ବାହାରିଥିଲା । ୨୦୧୬ ମସିହାରେ ଭିଜିଲାନସ୍ ହାବୁଡ଼ରେ ଧରାପଡ଼ିବା ବେଳକୁ ତାଙ୍କର ଅଚଳାଚଳ ସମ୍ପତ୍ତି ସମସ୍ତଙ୍କୁ ତାଜୁବ କରିଥିଲା । ତାଙ୍କ ପାଖରୁ ନଗଦ କୋଟିଏ ଟଙ୍କା ଏବଂ ୩ କୋଟି ୪୬ ଲକ୍ଷ ଟଙ୍କାର ଫିକ୍ସଡ଼ ଡିପୋଜିଟ୍ କାଗଜପତ୍ର ଜବତ କରିଥିଲେ ଭିଜିଲାନସ୍ ଅଧିକାରୀ । ଖାଲି ସେତିକି ନୁହେଁ, ସୁଧାଂଶୁ ଓ ତାଙ୍କ ପତ୍ନୀଙ୍କ ନାଁରେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଘର ଓ ଜାଗା ଥିଲା । ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫ କୋଟି ୬୯ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା । ଭିଜିଲାନସ୍ ହାତରେ ଧରାପଡ଼ି ଗିରଫ ହୋଇଥିବା ଏହି ଦୁର୍ନୀତଖୋର ଡିଏଫଓଙ୍କୁ ୨୦୧୬ ଫେବୃଆରୀ ୨୫ରେ ରାଜ୍ୟ ସରକାର ଚାକିରିରୁ ନିଲମ୍ବିତ କରିଥିଲେ । ଆଉ ଗୁରୁବାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।
ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର ଏକଜୁ୍ୟଟିଭ୍ ଇଞ୍ଜିନିୟର ପ୍ରାଣକୃଷ୍ଣ ପ୍ରସାଦ ଜଣେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ ଭାବେ ନାଁ ଅର୍ଜିଥିଲେ । ଦୁର୍ନୀତି ଉପାୟରେ ଟଙ୍କା ଖାଇବାରେ ସେ କୁଆଡ଼େ ସିଦ୍ଧହସ୍ତ । ତାଙ୍କ ନାଁରେ ଥିଲା ଦୁଇଟି ଭିଜିଲାନସ୍ ମାମଲା । ୨୦୧୫ ମସିହାରେ କଟକ ଭିଜିଲାନସ ଅଧିକାରୀମାନେ ତାଙ୍କୁ ଲାଞ୍ଚ ନେଉଥିବା ଅବସ୍ଥାରେ ଧରିଥିଲେ । ୨୦୧୮ ମସିହାରେ ଅନୁରୂପ ଘଟଣାରେ ସେ ଭୁବନେଶ୍ୱର ଭିଜିଲାନସ୍ ହାବୁଡ଼ରେ ପଡ଼ିଥିଲେ ।
ପୂର୍ତ୍ତ ବିଭାଗରେ ଡେପୁଟି ଏକଜ୍ୟୁଟିଭ୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଉମେଶ ଚନ୍ଦ୍ର ତ୍ରିପାଠୀ ମଧ୍ୟ ଟଙ୍କା ଖାଇବାରେ ଓସ୍ତାଦ୍ ଥିଲେ । ସେ ଚାକିରି କରିଥିବା ସବୁ ଜାଗାରେ ଜଣେ ଲାଞ୍ଚୁଆ ଇଞ୍ଜିନିୟର୍ ଭାବେ ପରିଚିତ ଥିଲେ । କେବଳ କୋରାପୁଟରେ ଚାରି ଚାରିଟା ଭିଜିଲାନସ୍ କେସ୍ ଖାଇଥିଲେ ତ୍ରିପାଠୀ । କେଉଁଠି ଠିକାଦାରଙ୍କୁ ଅନୁଗ୍ରହ ଦେଖାଇଥିଲେ ତ କେଉଁଠି କାମରେ ଭୁଲ୍ ମାପଚୁପ ଜରିଆରେ ସରକାରୀ ଟଙ୍କା ପକେଟସ୍ଥ କରିଥିଲେ । ପୂର୍ତ୍ତ ବିଭାଗରେ ଜଣେ ଅପାରଗ ଅଫିସର ସାଙ୍ଗକୁ ପ୍ରଚଣ୍ଡ ଖାଉ ଇଞ୍ଜିନିୟର ଭାବେ ତାଙ୍କୁ ସମସ୍ତେ ଜାଣିଥିଲେ ।
ସରକାରୀ ଚାକିରିରେ ନିଜ କ୍ଷମତାର ବଳ ଦେଖାଇ ଦୁର୍ନୀତିରେ ମାତିଥିବା ଏହି ଅଧିକାରୀମାନେ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ଏବଂ ଜିରୋ ଟଲେରାନ୍ସ ଫାନ୍ଦରେ ପଡ଼ିଛନ୍ତି । ସରକାରୀ ଚାକିରିରୁ ତଣ୍ଟିଆ ଖାଇ ସେମାନଙ୍କୁ ବିଦା ହେବାକୁ ପଡ଼ିଛି ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ୪ ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଥିଲେ । ଗତ ଅଗଷ୍ଟ ମାସରୁ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ତିନୋଟି କିସ୍ତିରେ ଭିଜିଲାନସ୍ ଦ୍ୱାରା ଦୋଷୀ ସାବ୍ୟସ୍ତ ୩୭ ଜଣ କର୍ମଚାରୀ/ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କଲେଣି ।