‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଆମର ହକ୍, ଏଥିପାଇଁ ଲଢ଼େଇ ଜାରି ରହିବ’
ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପୁଣି ଉଠାଇବା ସହ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ‘୨୦୧୪ ନିର୍ବାଚନ ଇସ୍ତାହରରେ ବିଜେପିର ନମ୍ବର ୱାନ୍ ଏଜେଣ୍ଡା ଥିଲା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା । କିନ୍ତୁ ଦୁଃଖର କଥା, ଚୌକି ପାଇଲା ପରେ ବିଜେପି ତାର ପ୍ରତିଜ୍ଞା ଭୁଲିଗଲା । ଓଡ଼ିଶାବାସୀଙ୍କ ଆଶା ଆଶାରେ ହିଁ ରହିଗଲା । ୨୦୧୪ର ଏହି ପ୍ରତିଜ୍ଞା ବିଷୟ ଲୋକମାନେ ବିଜେପିକୁ ୨୦୧୯ ନିର୍ବାଚନରେ ମନେ ପକାଇ ଦେବେ ।’ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଆମର ହକ୍, ଏଥିପାଇଁ ଲଢ଼େଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ପୁନର୍ବାର ଘୋଷଣା କରିଛନ୍ତି ।
ଆଜି ଲକ୍ଷ୍ମୀସାଗରଠାରେ ବିଜୁ ଜନତା ଦଳର ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡ଼ି-ବିଜେପି ମେଣ୍ଟ ସରକାର ବେଳେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆମେ ଏକାଠି ଲଢ଼ୁଥିଲୁ । ୨୦୦୯ ପରଠାରୁ ଉଭୟ ଦଳ ପୃଥକ୍ ଭାବେ ଲଢ଼େଇ କରୁଛନ୍ତି । ୨୦୧୪ ନିର୍ବାଚନରେ ବିଜେପି ତାର ଇସ୍ତାହାରରେ ସ୍ୱତନ୍ତ୍ର ରାଜ୍ୟା ପାହ୍ୟାକୁ ପ୍ରଥମ ଏଜେଣ୍ଡା ଭାବେ ରଖିଥିଲା । ଏହା ଦେଖି ମୁଁ ସବୁଠାରୁ ବେଶୀ ଖୁସି ହୋଇଥିଲି । ଆଶା ଥିଲା ଓଡ଼ିଶାବାସୀ ନ୍ୟାୟ ପାଇବେ । ମାତ୍ର ଚୌକି ପାଇଲା ପରେ ବିଜେପି ତାର ପ୍ରତିଜ୍ଞା ଭୁଲିଗଲା । ଓଡ଼ିଶାବାସୀଙ୍କୁ ନ୍ୟାୟ ମିଳିଲାନି । ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଛି । ବହୁ ଧନ ସମ୍ପତ୍ତି ନଷ୍ଟ ହେଉଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଏହା କ’ଣ ଦୃଢ଼ ଆଧାର ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦ୍ୱାରା ଓଡ଼ିଶାର ଲାଭର ହିସାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହା ଦ୍ୱାରା ଓଡ଼ିଶାର ଯୁବକମାନେ ସବୁଠାରୁ ଅଧିକ ସୁଯୋଗ ପାଇବେ । ଓଡ଼ିଶାକୁ ଟିକସ ରିହାତି ମିଳିବ । ଅନେକ ଶିଳ୍ପ ଆସିବ । ନିଯୁକ୍ତିର ସୁଯୋଗ ମଧ୍ୟ ବଢ଼ିବ । ଏହାବାଦ୍ ଓଡ଼ିଶାକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ । ବର୍ତ୍ତମାନ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ଭାଗ ୫୦-୫୦ ରହୁଛି । କିନ୍ତୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଲେ, ଏହି ଭାଗ ୯୦ ଓ ୧୦ ପ୍ରତିଶତ ରହିବ । ଏହାଦ୍ୱାରା ବଳକା ଅର୍ଥକୁ ଆମେ ଶିକ୍ଷା,ସ୍ୱାସ୍ଥ୍ୟ,ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶ କାମରେ ଖର୍ଚ୍ଚ କରିପାରିବା ।
ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ କଥା ନୁହେଁ, କାମରେ ବିଶ୍ୱାସ କରୁ । ବସ୍ତିର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ । ସେମାନଙ୍କ ପାଇଁ ହାଉସିଂ ପ୍ରୋଜେକ୍ଟ କରାଯାଇଛି । ସମସ୍ତଙ୍କ ବିକାଶ ବିଜୁ ଜନତା ଦଳର ଲକ୍ଷ୍ୟ । ଏଦିଗରେ ଆମେ କରି ଚାଲିବା ବୋଲି ମୁଖ୍ୟମନ୍ତ୍ରୀ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।
ବିଜେଡ଼ିର ଏହି ଜନସମ୍ପର୍କ ପଦଯାତ୍ରା ସମାବେଶରେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ ବିଜୁ ଯୁବ, ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତାମାନେ ଭାଷଣ ଦେଇଥିଲେ ।
ବିରୋଧୀ ଦଳର ପ୍ରତିକ୍ରିୟା: ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଉଭୟ ଦଳ ନିଜ ନିଜ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଛନ୍ତି । ସେହିଭଳି ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ କହିଛନ୍ତି, ଏନଡିଏରେ ମନ୍ତ୍ରୀ ଥିବା ବେଳେ ଏହି ଦାବି ଉଠାଇଥିଲେ ଭଲ ହୋଇଥାଆନ୍ତା । ସ୍ୱତନ୍ତ୍ର ରାଜ୍ୟା ପାହ୍ୟା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନିଜ ବିଫଳତା ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି ।