ଭୁବନେଶ୍ୱର: ବିଜେପିର ଫାୟାରବ୍ରାଣ୍ଡ ନେତା ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଓଡ଼ିଶାକୁ ନିର୍ବାଚନ ପ୍ରଚାର ଆଳରେ ଆସିଥିଲେ । କଳାହାଣ୍ଡିର ଭବାନୀପାଟଣା ଓ ଖୋର୍ଦ୍ଧା ଜିଲ୍ଲା ନାଚୁଣୀରେ ବିଜେପି ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଲେ । ଯୋଗୀଙ୍କ ତୁଣ୍ଡରୁ ନବୀନ ପଟ୍ଟନାୟକଙ୍କ ବିରୋଧରେ କଡ଼ା କଥା ଶୁଣିବା ପାଇଁ କର୍ମକର୍ତ୍ତାମାନେ ଆଶା ବାନ୍ଧି ବସିଥିଲେ । ହେଲେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି । ଭବାନୀପାଟଣାରେ ଯୋଗୀ ନରମ ରହିଥିଲା ବେଳେ ନାଚୁଣୀରେ ଟିକେ ଗରମ ହୋଇଥିଲେ ମଧ୍ୟ ଦଳୀୟ ନେତାଙ୍କୁ ତାହା ବିଲକୁଲ୍ ଅଣ୍ଟି ନ ଥିଲା ।
ଭବାନୀପାଟଣାରେ ଯୋଗୀ ତାଙ୍କ ଭାଷଣରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ବଖାଣିବା ସହ ଓଡ଼ିଶା ସରକାରଙ୍କୁ କିଛି ପ୍ରସଙ୍ଗରେ ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନବୀନ ସରକାର ୧୯ ବର୍ଷରେ ୧୭ ଲକ୍ଷ ଘର ତିଆରି କରିଥିଲା ବେଳେ ୟୁପିରେ ତାଙ୍କ ସରକାର ମାତ୍ର ଦୁଇବର୍ଷରେ ୨୦ ଲକ୍ଷ ଘର ତିଆରି କଲେଣି । ଓଡ଼ିଶା ସରକାରଙ୍କ କାଳିଆ ଯୋଜନା ଆରମ୍ଭରୁ ଦୁର୍ନୀତି ଗନ୍ଧ ଆସିଥିଲା ବେଳେ ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭରୁ ସଫଳତା ପାଇଲାଣି । ଏହି ଯୋଜନା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଚାଷୀମାନଙ୍କୁ ଉପକୃତ କରିଛି ବୋଲି ଯୋଗୀ କହିଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପାଇଥିବା ସଫଳତା ସାଧାରଣ ନିର୍ବାଚନରେ ଅତୁଟ ରଖିବା ସହ ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପାଇଁ କର୍ମୀମାନଙ୍କୁ ସଂକଳ୍ପ ଦେଇଥିଲେ ।
ନାଚୁଣୀ ସଭାରେ ଯୋଗୀ ସାମାନ୍ୟ ଗରମ ହୋଇଥିଲେ । କହିଥିଲେ, ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଓଡ଼ିଶା ସରକାର ଜମି ଦେଉନାହାନ୍ତି । ବରପୁତ୍ରମାନଙ୍କ ପାଇଁ ଏହା ବଡ଼ ଅପମାନ । ନବୀନ ପଟ୍ଟନାୟକଙ୍କର ବିକାଶ ପ୍ରତି ଧ୍ୟାନ ନାହିଁ । ଗରିବଙ୍କୁ ଧୋକ୍କା ଦେଉଛନ୍ତି । ରାଜ୍ୟର ବିକାଶ ପରିବର୍ତ୍ତେ ବ୍ୟକ୍ତିଗତ ଏଜେଣ୍ଡାରେ ନବୀନ ସରକାର କାମ କରୁଛନ୍ତି ବୋଲି ଯୋଗୀ ଆକ୍ଷେପ କରିଥିଲେ ।ଓଡ଼ିଶାରେ ନବୀନ ସରକାର ହଟିବେ ଏବଂ ବିଜେପିର ମିଶନ ୧୨୦ ପୂରଣ ହେବ ଏହି ଦମ୍ଭ ଦେଖାଇଥିଲେ ଯୋଗୀ ।
ଯୋଗୀଙ୍କ ଭାଷଣ ଦଳୀୟ କର୍ମୀଙ୍କୁ ସେତେଟା ଧରି ନ ଥିବା ବେଳେ ସାଙ୍ଗରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଥିରେ ତାଳି ପକାଇଥିଲେ । ତାଙ୍କର ଚିରାଚରିତ ଢ଼ଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ନିର୍ଧୂମ ବର୍ଷିଥିଲେ ଧର୍ମେନ୍ଦ୍ର ।
ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଯୋଗୀଙ୍କୁ ସାଥୀରେ ଧରି ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବାକୁ ଜାତୀୟ ମୁଖପାତ୍ର ଡ. ସମ୍ବିତ୍ ପାତ୍ର ଯୋଜନା କରିଥିଲେ ଏବଂ ସେହି ଅନୁଯାୟୀ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାଚୁଣୀ ସଭାର ଆୟୋଜନ ହୋଇଥିଲା । ମାତ୍ର ଶେଷ ମୁହୁର୍ତ୍ତରେ ଡ. ପାତ୍ର ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦେଇଥିଲେ । କାଲି ରାତିରେ ବାଥରୁମ୍ ରେ ପଡ଼ି ସାମାନ୍ୟ ଆହତ ହୋଇଥିବାରୁ ସେ ଓଡ଼ିଶା ଆସି ପାରି ନ ଥିବା ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।