ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଗିରଫ ଡାକ୍ତର ମୋତିଲାଲ ଗୌଡ଼ଙ୍କ ସହ- ଅଭିଯୁକ୍ତ ପତ୍ନୀଙ୍କୁ ମାଫ୍ କରିଛି କ୍ରାଇମବ୍ରାଞ୍ଚ ପୁଲିସ । ପୂର୍ବରୁ ଇଓଡବ୍ଲୁ ବା ଅର୍ଥନୈତିକ ଅପରାଧ ଶାଖା ପତ୍ନୀ ଡାକ୍ତର ରେଶମା ମଞ୍ଜରୀ ଗୌଡ଼ଙ୍କୁ ଏହି ଜାଲିଆତି ମାମଲାରେ ମୁଦାଲା କରି କେସ୍ ନଂ ୧୨/୧୬ରେ ମାମଲା ରୁଜୁ କରିଛି । ଗିରଫ ଏଡ଼ାଇବା ପାଇଁ ରେଶମା ଜୁଲାଇ ୧ ତାରିଖରେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି । ତାଙ୍କର ହାଇକୋର୍ଟ କେସ୍ ନମ୍ବର ହେଉଛି ଏବିଏଲ୍ ଏପିଏଲ୍ -୧୧୦୨୯/୧୬ । ଆଡଭୋକେଟ୍ ବିପ୍ଲବ ମହାନ୍ତି ତାଙ୍କ ପାଇଁ କେସ୍ ଲଢ଼ୁଛନ୍ତି । ହାଇକୋର୍ଟରେ ଏହାର ଶୁଣାଣୀ ତାରିଖ ଏ ଯାଏଁ ପଡ଼ିନି । ଏଭଳିସ୍ଥଳେ କ୍ରାଇମବ୍ରାଞ୍ଚ ପୁଲିସ ପାଇଁ ସେ ନିଶ୍ଚିତ ୱାଣ୍ଟେଡ଼୍ । ମାତ୍ର କ୍ରାଇମବ୍ରାଞ୍ଚ ପୁଲିସ ତାଙ୍କୁ ହାତ ପାଆନ୍ତାରେ ପାଇ ବି ଛାଡ଼ି ଦେଇଛି । ଏହା ପଛର ରହସ୍ୟ କାହାରିକୁ ବୁଝାପଡୁନି ।
ଖବରକାଗଜ ରିପୋର୍ଟ ସତ୍ୟ ହୋଇଥିଲେ ମୋତିଲାଲ ବିଜୟନଗରମ୍ ଉପକଣ୍ଠରୁ ଧରାପଡ଼ିଲା ବେଳେ ସାଙ୍ଗରେ ଥିଲେ ପତ୍ନୀ ରେଶମା । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ପୁଲିସ ତାଙ୍କୁ ଗିରଫ କଲାନାହିଁ । ସେହି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ମୁହଁ ବି ଖୋଲିଲେନି । କ୍ରାଇବବ୍ରାଞ୍ଚର ଏହା ଦୟା ନା ଅନୁଗ୍ରହ ତାହା ଏବେ ସନ୍ଦେହରେ ପକାଇଛି ।
ଜାଲ୍ ସରକାରୀ ବିଜ୍ଞପ୍ତି ଯୋଗେ ଡାକ୍ତର ମୋତିଲାଲ କାରଖାନା ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯେଉଁ ୫ ଟି ସଂସ୍ଥାକୁ ତାଲିକାଭୁକ୍ତ କରିଥିଲେ ସେଥିମଧ୍ୟରେ ପତ୍ନୀ ରେସମାଙ୍କ ନାଁରେ ବି ଥିଲା ଏକ ସଂସ୍ଥା । ଭୁବନେଶ୍ୱର କୋଳଥିଆରେ ଥିବା ଏହି ସଂସ୍ଥାର ନାଁ ହେଉଛି ମାଉଣ୍ଟ ଇଣ୍ଡିଆ ଅକୁପେସନାଲ୍ ହେଲଥ୍ କେୟାର ଆଣ୍ଡ ଡାଇଗୋନିଷ୍ଟ । କ୍ରାଇମବ୍ରାଞ୍ଚ ଅପରାଧ ଶାଖା ଏହି ସଂସ୍ଥା ଉପରେ ଚଢ଼ାଉ କରିବା ସହ ରେଶମାଙ୍କ ନାଁରେ ମାମଲା ରୁଜୁ କରିଥିଲା । ପୁଲିସ ତାଙ୍କୁ ଖୋଜୁଥିଲା ବେଳେ ରେଶମା ପତିଦେବଙ୍କ ସହ ପୁଲିସ ଆଖିରେ ଧୂଳି ଦେଇ ରାଜ୍ୟ ବାହାରକୁ ଚାଲିଯାଇଥିଲେ । କ୍ରାଇମବ୍ରାଞ୍ଚ ପୁଲିସ ବହୁ କଷ୍ଟ କରି ଗତ ୩ ତାରିଖରେ ପତ୍ନୀଙ୍କ ବନ୍ଧନରେ ଥିବା ମୋତିଲାଲଙ୍କୁ ବିଜୟନଗରମ୍ରୁ ଗିରଫ କରିଛନ୍ତି ।
କ୍ରାଇମବ୍ରାଞ୍ଚ ଜାଣତରେ ଅବା ଅଜାଣତରେ ହେଉ ମୋତିଲାଲଙ୍କ ଗିରଫର ଦୁଇଦିନ ଆଗରୁ କେଉଁ ପରିସ୍ଥିତିରେ ରେଶମା ଗତ ୧ ତାରିଖରେ କଟକ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଏଥିସହ ସ୍ୱାମୀଙ୍କୁ ଗିରଫ କରି ପୁଲିସ ତାଙ୍କୁ ଛାଡ଼ିଦେବା ପଛରେ ମାନବିକତା ନା ଚାପ ତାହା ପ୍ରଶ୍ନ ସୃଷ୍ଟି କରିଛି ।