ରାଜସ୍ଥାନ ରାଜନୈତିକ ସଙ୍କଟ ନେଇ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ତମାସା ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ସିଧା ସିଧା କହିଛନ୍ତି ଗେହଲଟ୍ । ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ ୨୧ ଦିନ ନୋଟିସ୍ ମାନି, ଆସନ୍ତା ୧୪ ତାରିଖରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାନସଭାର ଅଧିବେଶନ ଡାକିଛନ୍ତି । ଯେଉଁଠି ସେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ତେବେ ବିଜେପି କିନ୍ତୁ ଘୋଡ଼ା ବେପାରକୁ ଅଧିକ ଜୋରଦାର କରିଛି । ଏପରିକି ପୂର୍ବରୁ ୧୦ କୋଟି ଟଙ୍କା ଯଚା ଯାଉଥିବା ବିଧାୟକଙ୍କୁ ଏବେ ୧୫ କୋଟି ଯଚା ଯାଉଛି ବୋଲି ଅଭିଯୋଗ କରିଛନ୍ତି ଗେହଲଟ୍ ।
ଦେଶବାସୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଦ୍ୱିତୀୟ ଥର ପାଇଁ ସମର୍ଥନ କରିଛନ୍ତି । ପୁଣି ତାଙ୍କ କଥାରେ ଲୋକେ ତାଳି, ଥାଳି ବଜାଇବା ସହ ଦୀପ ଜାଳିଲେ । କିନ୍ତୁ ରାଜସ୍ଥାନରେ ବିଜେପି ଯେଉଁ ଡ୍ରାମା ଚଳାଇଛି ତାହା ଗ୍ରହଣୀୟ ନୁହେଁ । ତେଣୁ ପ୍ରଧାନମନ୍ତ୍ରୀ ତୁରନ୍ତ ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି ଅଶୋକ ଗେହଲଟ୍ । ରାଜସ୍ଥାନ ରାଜନୈତିକ ସଙ୍କଟ ନେଇ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପତ୍ର ଲେଖିଥିଲେ ସେ । ସେପଟେ ଯଦି କଂଗ୍ରେସ ହାଇ କମାଣ୍ଡ ଚାହାଁନ୍ତି, ତେବେ ବିଦ୍ରୋହୀ ସଚିନ୍ ପାଇଲଟ୍ ଗୋଷ୍ଠୀକୁ ସ୍ୱାଗତ କରିବାକୁ ସେ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି ।
ବିଧାନସଭା ଅଧିବେଶନ ପୂର୍ବରୁ ଘୋଡ଼ା ବେପାର ଏଡ଼ାଇବା ପାଇଁ ଜୈସଲମରର ଏକ ହୋଟେଲରେ ନିଜ ସମର୍ଥିତ ଶହେ ବିଧାୟକଙ୍କୁ ଧରି ଅଛନ୍ତି ଅଶୋକ ଗେହଲଟ୍ । ସଚିନ୍ ପାଇଲଟ୍ ଗୋଷ୍ଠୀଙ୍କୁ ବାଦ୍ ଦେଇ ସରକାରକୁ ବଞ୍ଚାଇ ରଖିବାକୁ ସେ ସମର୍ଥ ବୋଲି କହୁଛନ୍ତି । ସେପଟେ ପାଇଲଟଙ୍କ ପଛରେ ୧୮ ବିଧାୟକ ଥିଲେ ମଧ୍ୟ, ପାଇଲଟ୍ କହୁଛନ୍ତି ୩୦ ବିଧାୟକ ତାଙ୍କ ସମର୍ଥନରେ ଅଛନ୍ତି । ଯାହା ଗେହଲଟ୍ ସରକାରକୁ ଭାଙ୍ଗି ଦେବାକୁ ଯଥେଷ୍ଟ ବୋଲି କହୁଛନ୍ତି ସେ ।
(ବରେନ୍ଦ୍ର କୃଷ୍ଣ ସାହୁଙ୍କ ରିପୋର୍ଟ)