କୁଆଡ଼େ ଗଲେ ବୈଜୟନ୍ତ,ବିଜୟ,ପଞ୍ଚାନନ?
ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କ ନାଁ ନେଇ ଭାଣ୍ଡିଆ
ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ନେତା ଦାମୋଦର ରାଉତ ତାଙ୍କ ଅଭିଳାଷ ପୂରଣ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି ସେ ନୂଆ ଦଳ ଘୋଷଣା କରିଛନ୍ତି । ଦଳର ନାମ ରଖିଛନ୍ତି ‘ବିଜୁ ସମତାକ୍ରାନ୍ତି ଦଳ’ । ଏହାକୁ ସମ୍ପୂର୍ଣ୍ଣ ନୂଆ ଦଳ କହିହେବନି । ପୂର୍ବରୁ ବ୍ରଜ ତ୍ରିପାଠୀଙ୍କ ଦ୍ୱାରା ସମତାକ୍ରାନ୍ତି ଦଳ ଗଠନ ହୋଇଥିଲା । ବ୍ରଜଙ୍କ ସହ ବୁଝାମଣା କରି ଦାମ ସେହି ଦଳ ନାମ ପଛରେ ବିଜୁ ନାଁ କୁ ଯୋଡି ତାହାର ନବୀକରଣ କରିଛନ୍ତି । ଏବେ ଦାମ ଏହି ‘ବିଜୁ ସମତାକ୍ରାନ୍ତି’ ଦଳର ମଙ୍ଗ ଧରିବେ ଆଉ ତାଙ୍କ ପଛରେ ରହିବେ ବ୍ରଜ ତ୍ରିପାଠୀ । ସେମାନଙ୍କ ସାଙ୍ଗରେ ଯଞ୍ଚେଶ୍ୱର ବାବୁ ବି ଯୋଡି ହୋଇଛନ୍ତି । ଦାମଙ୍କ ଭଳି ବ୍ରଜ ଓ ଯଂଗେଶ୍ୱର ବି ବିଜେଡ଼ିର ପ୍ରତ୍ୟାଖ୍ୟାତ ନେତା ।
ସବୁଠାରୁ ବଡ଼କଥା ହେଉଛି, ଦାମ ରାଉତଙ୍କ ନୂଆ ଦଳରେ ସେ ଆଶା ରଖିଥିବା ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ପଞ୍ଚାନନ କାନୁନଗୋ, ରାମକୃଷ୍ଣ ପଟ୍ଟନାୟକ କି ଶରତ କରଙ୍କ ଭଳି ନେତାଙ୍କୁ ଦେଖିବାକୁ ମିଳିନି । ଦାମ ବିଜେଡ଼ିରୁ ବହିଷ୍କୃତ ହେବା ପରେ ନୂଆ ଦଳ ଗଠନ କରିବେ ବୋଲି ଘୋଷଣା କରିଥିଲେ । ନୂଆ ଦଳରେ ବୈଜୟନ୍ତ ପଣ୍ଡା ଯୋଗଦେବାକୁ ଆଗ୍ରହୀ । ଏ ନେଇ ତାଙ୍କ ସହ କଥା ହୋଇସାରିଥିବା ଦାମ ପୂର୍ବରୁ କହିଥିଲେ । ବିଜୟ ମହାପାତ୍ର ଯୋଗଦେଇପାରନ୍ତି ବୋଲି ମଧ୍ୟ କହିଥିଲେ । ଏମାନଙ୍କ ବ୍ୟତୀତ ବିଜେଡ଼ିରୁ ଧୋକ୍କା ଖାଇଥିବା ବହୁ ବିଜୁପ୍ରେମୀ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଓ ନୂଆ ଦଳ ଗଠନ ପାଇଁ ଆଗ୍ରହୀ ବୋଲି କହିଥିଲେ । ହେଲେ ଆଜି ବିଧିବଦ୍ଧ ଭାବେ ନୂଆ ଦଳ ଘୋଷଣା ହୋଇଥିଲେ ମଧ୍ୟ ସେଭଳି କୌଣସି ନେତାଙ୍କୁ ଦେଖିବାକୁ ମିଳିନି କି ଭବିଷ୍ୟତରେ ସେମାନଙ୍କ ଯୋଗଦାନ ନେଇ ଆଭାସ ମିଳିନି । ତେବେ ତାଙ୍କ ସହ ବହୁ ନେତା ଯୋଗାଯୋଗରେ ଅଛନ୍ତି ଏବଂ ନୂଆ ଦଳରେ ଆଗାମୀ ଦିନରେ ସାମିଲ ହେବେ ବୋଲି ଦାମବାବୁ କହିଛନ୍ତି ।
ମଜ୍ଜାର କଥା ପୂର୍ବତନ ଡିଜି ପ୍ରକାଶ ମିଶ୍ର ତାଙ୍କ ଦଳରେ ଯୋଗଦେଇପାରନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଦାମ କହିଥିଲେ । ତେବେ ଏ ନେଇ ପ୍ରକାଶ ମିଶ୍ରଙ୍କ ସହ ସାମ୍ବାଦିକମାନେ ଯୋଗାଯୋଗ କରିବାରୁ ସେ ମନା କରିଛନ୍ତି । ମୋ ସହ କେହି କଥା ହୋଇନାହାନ୍ତି କି ମୁଁ ରାଜନୀତିରେ ଯୋଗଦେବାକୁ ଆଗ୍ରହୀ ନୁହେଁ ବୋଲି ଶ୍ରୀ ମିଶ୍ର ରୋକଠୋକ କହିଛନ୍ତି । ଫଳରେ ଦାମ ଭାଣ୍ଡିଆ ହୋଇଯାଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଦାମ କହିଥିଲେ, ଏହି ନୂଆ ଦଳ ଗଠନ ପାଇଁ ସେ ସମସ୍ତଙ୍କ ସହ ପରାମର୍ଶ କରିଛନ୍ତି । ସମଭାବାପନ୍ନ ନେତାଙ୍କୁ ନେଇ ଏହି ନୂତନ ଆଞ୍ଚଳିକ ଦଳ ଗଠନ କରାଯାଇଛି । ବିଜୁବାବୁ ଯେଉଁଭଳି କ୍ରାନ୍ତି ଆଣିଥିଲେ ଏହି ଦଳ ମଧ୍ୟ ନୂଆ ଏକ କ୍ରାନ୍ତି ଆରମ୍ଭ କରିବ । ଲୋକଙ୍କ ସୁଖଦୁଃଖରେ ରହି ଦଳର କାୟା ବିସ୍ତାର କରାଯିବ ।
ସାମ୍ବାଦିକ ସମ୍ମିଳନୀରେ ବ୍ରଜ ତ୍ରିପାଠୀ ଓ ଯଂଗେଶ୍ୱର ବାବୁ ବି ଉପସ୍ଥିତ ଥିଲେ ।