ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିରୋଧୀ ଦଳ ଆଡୁ ଯେତିକି ବିପଦ ଅଛି ତା’ଠାରୁ ଅଧିକ ବିପଦ ତାଙ୍କ ନିଜ ଦଳରୁ ସୃଷ୍ଟି ହେଲାଣି । ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ଭିତରୁ ତାଙ୍କ ପାଇଁ ମାଡ଼ି ଆସୁଛି ବିପଦ । ଟିକେଟ କାହାକୁ ଦେବେ ନ ଦେବେ ତାହା ଏ ପର୍ଯ୍ୟନ୍ତ ମୁଖିଆ ସ୍ଥିର କରି ନ ଥିବା ବେଳେ ଟିକେଟକୁ ନେଇ ଅପପ୍ରଚାର ଓ ଆଶାୟୀଙ୍କ ଭିତରେ ଛକାପଂଝା ଦଳକୁ କ୍ଷତବିକ୍ଷତ କଲାଣି । ନିର୍ବାଚନ ପୂର୍ବରୁ କିଛି ସ୍ୱାର୍ଥନ୍ୱେଷୀ ନେତା ନବୀନଙ୍କୁ ବ୍ଲାକମେଲିଂ କରି ଦଳରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ନିଜେ ଏହାର ସୁରାକ୍ ପାଇଛନ୍ତି ଏବଂ ସଂପୃକ୍ତ ନେତାଙ୍କ ଉପରେ କଡ଼ା ନଜର ରଖିଥିବା କୁହାଯାଉଛି ।
ଟିକେଟକୁ ନେଇ ସବୁ ଦଳରେ ଏବେ ଆଶାୟୀଙ୍କ ଭିଡ଼ । ମାତ୍ର ବିଜେଡ଼ିରେ ଏହି ଭିଡ଼ ଅଧିକ । କାହା ଟିକେଟ ବଞ୍ଚିବ କାହାର କଟିବ ତାହାକୁ ନେଇ ଗାଁ ଗହଳିରୁ ଭୁବନେଶ୍ୱର ଯାଏଁ ସବୁଆଡ଼େ ଚର୍ଚ୍ଚା । ତେବେ ମୁଖିଆଙ୍କ ନିଷ୍ପତ୍ତି କ’ଣ ଅବିକା ଦିନରେ ତାହାର ଟେର୍ ପାଇବା ମୁସ୍କିଲ୍ । ହିଂଜିଳିକାଟୁକୁ ଛାଡ଼ିଦେଲେ ବାକି ୧୪୬ ଟି ଆସନରେ ବିଜେଡ଼ିର ପ୍ରାର୍ଥୀ କିଏ ହେବ ତାହା ନବୀନଙ୍କ ପାଖେ ପାଖେ ଥିବା କ୍ଷମତାଶାଳୀ ନେତା ବି ଜାଣିବା ସମ୍ଭବ ନୁହେଁ । ମାତ୍ର ଗୋତ୍ରମାରୁ କୁହାଯାଉଥିବା ବିଜେଡ଼ି ନେତାଏ ଟିକେଟ ତାଲିକା ଧରି ବୁଲିଲେଣି । ଉଦ୍ଦେଶ୍ୟ, ଦଳର ଅଧିକାଂଶ ନେତାଙ୍କ ମନରେ ଦ୍ୱନ୍ଦ ଓ ଛାନିଆଁ ସୃଷ୍ଟି କରିବେ ଏବଂ ନବୀନଙ୍କୁ ଚାପରେ ପକାଇ ସ୍ୱାର୍ଥ ହାସଲ କରିବେ ।
ସୂଚନାଯୋଗ୍ୟ, ୨୦୦୪ ଓ ୨୦୦୯ ନିର୍ବାଚନରେ ପ୍ୟାରୀମୋହନ ମହାପାତ୍ରଙ୍କ ହାତରେ ନବୀନ ଟିକେଟ ଦାୟିତ୍ୱ ଛାଡ଼ିଥିବା ବେଳେ ୨୦୧୪ରେ କଳ୍ପତରୁ ଦାସ ଉଣା ଅଧିକ ଏହି ଦାୟିତ୍ୱ ସମ୍ଭାଳିଥିଲେ । ମାତ୍ର ଏଥର ସ୍ଥିତି ଭିନ୍ନ । ପ୍ରାର୍ଥୀ ଚୟନ ନିଷ୍ପତ୍ତି ନବୀନ ସମ୍ପୂର୍ଣ୍ଣ ଭାବେ ନିଜ ହାତକୁ ନେଇଛନ୍ତି । ବିଜେଡ଼ି ଉପର ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ପ୍ରତି ନିର୍ବାଚନମଣ୍ଡଳୀରେ ଭିନ୍ନ ଭିନ୍ନ ସଂସ୍ଥା ଦ୍ୱାରା ଆଠ ଆଠ ଥର ସର୍ଭେ କରି ସାରିଲେଣି । ଦଳର ଏବେକାର ବିଧାୟକମାନଙ୍କ ଲୋକପ୍ରିୟତା ବଢ଼ିଛି ନା କମିଛି? ସେଠାରେ ଆଉ କେଉଁମାନେ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି? ବିଧାୟକଙ୍କ ଟିକେଟ କାଟିଲେ ଅସନ୍ତୋଷକୁ ସମ୍ଭାଳି ହବ ନା ନାହିଁ? ଅସନ୍ତୁଷ୍ଟଙ୍କୁ କେମିତି ମନାଯାଇପାରିବ..ଏଇମିତି ଅନେକ ଦିଗକୁ ସର୍ଭେରେ ବିଚାର କରାଯାଇଛି । ତେବେ ଖାଲି ସର୍ଭେ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ବିଚାର ସୀମିତ ନାହିଁ । ବିଭିନ୍ନ ଏଜେନ୍ସୀ ଜରିଆରେ ସବୁ ନିର୍ବାଚନମଣ୍ଡଳୀର ସ୍ଥିତି ପରଖୁଛନ୍ତି ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବାନୁଯାୟୀ, ବିଗତ ୪ଟି ନିର୍ବାଚନଠାରୁ ଏଥର ନିର୍ବାଚନ ନବୀନଙ୍କ ପାଇଁ ଅତ୍ୟଧିକ ଚାଲେଂଜ ଆଣିଛି । ସରକାରଙ୍କ ବିରୋଧରେ ପ୍ରସଙ୍ଗ ବଢ଼ିବା ସହ ବିଜେପି ଓ କଂଗ୍ରେସ ପୂର୍ବାପେକ୍ଷା ଶକ୍ତିଶାଳୀ ହୋଇଛନ୍ତି । ତେବେ ଦଳ ଭିତରୁ ଅଡୁଆ ବଢ଼ିବାରେ ଲାଗିଛି । ବିଜୟର ଅଧିକ ସମ୍ଭାବନା ଆଶାରେ ସବୁ ନିର୍ବାଚନମଣ୍ଡଳୀରେ ଏକାଧିକ ଆଶାୟୀ ପ୍ରାର୍ଥୀ ଉଭା ହୋଇଛନ୍ତି । ସ୍ୱାଭାବିକ ଭାବେ ନବୀନଙ୍କ ପାଇଁ ଏହା ଅଧିକ ମୁଣ୍ଡବ୍ୟଥା ହୋଇଛି । ପ୍ରାର୍ଥୀ ଚୟନରେ ଭୁଲଭାଲ୍ ହେଲେ ଦଳ ହାତରୁ ଶାସନ ଖସିଯିବା ଅସମ୍ଭବ ନୁହେଁ ବୋଲି ନବୀନ ବୁଝିସାରିଛନ୍ତି । ତେଣୁ ଏଥର ନିର୍ବାଚନକୁ ସେ କର ବ। ମର ହିସାବରେ ଗ୍ରହଣ କରିଛନ୍ତି । ଦଳୀୟ ପ୍ରାର୍ଥୀ ଚୟନରେ ଉଇନେବିଲିଟି ବା ଜିତିବାକୁ ପ୍ରମୁଖ ମାପକାଠି ଭାବେ ବିଚାର କରିବାକୁ ନବୀନ ବାଧ୍ୟ ହୋଇପାରନ୍ତି ।
ତେବେ ଚିଟଫଣ୍ଡ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା, ସିବିଆଇ ନୋଟିସ୍ ପାଇଥିବା କିମ୍ବା ପାଇବାକୁ ଥିବା ନେତାଙ୍କୁ ଟିକେଟ ମିଳିବନି ବୋଲି ହେଉଥିବା ପ୍ରଚାର ବିଜେଡ଼ି ରାଜନୀତିକୁ ଅଧିକ ଗୋଳିଆ କରିଛି । ଉପକୂଳ ଅଞ୍ଚଳର ଜଣେ ବରିଷ୍ଠ ବିଧାୟକଙ୍କ କହିବାନୁଯାୟୀ, ଏଭଳି ପ୍ରଚାର ଜରିଆରେ ନବୀନଙ୍କ ଉପରେ ଚାପସୃଷ୍ଟି କରିବାକୁ ଖୋଦ୍ ବିଜେଡ଼ି ଭିତରୁ ଷଡ଼ଯନ୍ତ୍ର ହୋଇଛି । ଖାସ୍ କରି ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ(ବବି) ଦାସଙ୍କୁ ଟାର୍ଗେଟ୍ କରାଯାଇଛି । ନବୀନଙ୍କ ରାସ୍ତାରୁ ଏମାନଙ୍କୁ ସଫା କଲେ ଯାଇ ଜାଗା ମିଳିବ ଏବଂ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ବି ହୋଇଯିବେ ବୋଲି କିଛି ନେତା ସ୍ୱପ୍ନ ଦେଖିଛନ୍ତି । ଦଳରେ ଅସ୍ଥିରତା ସୃଷ୍ଟି କରି ନିଜ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଥିବା ନେତାଙ୍କ ପ୍ରତି ସାବଧାନ ନହେଲେ ଦଳକୁ ବିପଦ ଆସିବ ହିଁ ଆସିବ ବୋଲି ସଂପୃକ୍ତ ବରିଷ୍ଠ ବିଧାୟକ ସତର୍କ କରାଇଛନ୍ତି ।