ଭୁବନେଶ୍ୱର: ବିଜେଡ଼ିରୁ ହଜିଯାଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କର ପୁର୍ନଜନ୍ମ ହୋଇଛି । ବୋହୁ ନିର୍ଯାତନା ମାମଲାରେ ପଡ଼ି ମାଟି ହୋଇଯାଇଥିବା ରଘୁନାଥଙ୍କୁ ବିଜେଡ଼ି ମନେ ପକାଇଛି । ସୁପ୍ରିମୋଙ୍କ ଡାକରା ପାଇଁ ରଘୁନାଥ ଆଜି ନବୀନ ନିବାସ ଆସିଥିଲେ । ସୁପ୍ରିମୋଙ୍କ ସହ ଭେଟଘାଟକୁ ସେ ସୌଜନ୍ୟମୂଳକ କହିଥିଲା ବେଳେ ଯାହା ନିର୍ଦ୍ଦେଶ ମିଳିବ କରିବେ ବୋଲି କହିଛନ୍ତି । ନବୀନ ତାଙ୍କୁ ସାଂଗଠନିକ ଦାୟିତ୍ୱ ଅର୍ପଣ କରିବେ ବୋଲି ଜଣାପଡ଼ିଛି ।
ଏକଦା ନବୀନଙ୍କ ଖାସ୍ ନିକଟତର ଥିଲେ ରଘୁନାଥ । ମନ୍ତ୍ରୀମଣ୍ଡଳରେ ତାଙ୍କର ବେଶ୍ ଆଧିପତ୍ୟ ଥିଲା । ମାତ୍ର ୨୦୧୩ ଅଗଷ୍ଟ ମାସରେ ହଠାତ୍ ତାଙ୍କ ଜୀବନରେ ଘୋଟି ଆସିଲା କଳାବାଦଲ । ବୋହୁ ବର୍ଷାସୋନି ଚୌଧୁରୀ ତାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ମାର୍ଚ୍ଚ ୧୪ ତାରିଖରେ ବାଲେଶ୍ୱର ଟାଉନ୍ ଥାନାରେ ଏତଲା ଦେଲେ । ପରଦିନ ରଘୁନାଥଙ୍କର ମନ୍ତ୍ରୀପଦ ଚାଲିଗଲା । ଗିରଫ ଭୟରେ ସେ କୋଲକୋତା ଯାଇ ଲୁଚିଲେ । ମାର୍ଚ୍ଚ ୩୦ ତାରିଖରେ ପୁଲିସ ତାଙ୍କୁ ସେଠାରୁ ଗିରଫ କଲା । ପରେ ଜାମିନରେ ମୁକୁଳି ଥିଲେ ମଧ୍ୟ ବିଜେଡ଼ି ତାଙ୍କୁ ପୂରା ପର କରିଦେଲା । ୨୦୧୪ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଲାନି । ସେବେଠାରୁ ଏକପ୍ରକାର ସନ୍ୟାସ ଜୀବନଯାପନ କରୁଥିଲେ ରଘୁନାଥ । ଇତିମଧ୍ୟରେ ବୋହୁ ନିର୍ଯାତନା ମାମଲାର ସମାଧାନ ହୋଇଯାଇଥିଲେ ମଧ୍ୟ ବିଜେଡ଼ି ପାଇଁ ସେ ଅଲୋଡ଼ା ହୋଇ ରହିଥିଲେ । ରଘୁନାଥ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଆଜି ନବୀନ ନିବାସ ଆସିବା ତାହାକୁ ଭୁଲ୍ ପ୍ରମାଣିତ କରିଛି ।
ସେପଟେ କଂଗ୍ରେସ ମୁଖପାତ୍ର ତଥା ପିସିସି ସାଧାରଣ ସମ୍ପାଦିକା ସୁଲୋଚନା ଦାସ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସାକ୍ଷାତ ବେଶ୍ ଗୋପନୀୟ ଥିଲା । ନବୀନ ନିବାସରୁ ଫେରିଲା ପରେ ସେ ସୋସିଆଲ୍ ମିଡ଼ିଆ ଜରିଆରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଜଣାଇଥିଲେ । ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ଇସ୍ତଫା ସଂକ୍ରାନ୍ତରେ ଖୁଲାସା କରିଥିଲେ । କଂଗ୍ରେସର ଶୃଙ୍ଖଳା ଓ ସମନ୍ୱୟ ନାହିଁ ଏବଂ ଏଥିରେ ଅତିଷ୍ଠ ହୋଇ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି । ତେବେ ବିଜେଡ଼ିରେ ଯୋଗଦେବା ସମ୍ପର୍କରେ ନିଜର ନିଷ୍ପତ୍ତି ଜଣାଇ ନ ଥିଲେ ମଧ୍ୟ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିବା ତାଙ୍କର ବିଜେଡ଼ି ଯୋଗଦାନକୁ ସ୍ପଷ୍ଟ କରିଛି । ଖୁବ୍ ଶୀଘ୍ର ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ଜଣାପଡ଼ିବ ବୋଲି ବିଜେଡ଼ି ମହଲରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ, ନିକଟରେ ବିଜେଡ଼ିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ସହ ସୁଲୋଚନାଙ୍କର ସାଂଘାତିକ କଥା କଟାକଟି ହୋଇଥିଲା । ଦାମବାବୁ ଓ ବିଜେଡ଼ିକୁ ସୁଲୋଚନା ଯାଛାତା ଗାଳି କରିଥିଲେ । ନାରୀ ପ୍ରତି ବିଜେଡ଼ିର ସମ୍ମାନ ନାହିଁ ବୋଲି ରାଜରାସ୍ତାରେ ଚିଲାଇଥିଲେ । ଖାଲି ସେତିକି ନୁହେଁ ବିଜେଡ଼ିର ସବୁ କାର୍ଯ୍ୟକ୍ରମକୁ ବର୍ଷ ବର୍ଷ ଧରି ପ୍ରତିଦିନ ଟିଭିରେ ଭୀଷଣ ସମାଲୋଚନା ଓ ଗାଳି କରୁଥିଲେ ସୁଲୋଚନା । ଏବେ ସେହି ସୁଲୋଚନା ବିଜେଡ଼ି ଆସି ନବୀନଙ୍କୁ ପ୍ରଂଶସା କରିବେ ।
ବିଜେଡିରେ ନିକଟ ଭବିଷ୍ୟତରେ ସମସ୍ତ ପୁରୁଣା ସଭ୍ୟଙ୍କୁ ମିଶାଯିବା ଶୁଣାଯାଉଛି. ସେ ଭିତରେ ଅଛନ୍ତି : ୧)ପ୍ରଫୁଲ୍ଲ ଘଡେଇ ୨) ବିଜୟ ମହାପାତ୍ର ୩) ଦିଲ୍ଲୀପ ରାୟ ୪) ପଞ୍ଚାନନ କାନୁନଗୋ ୫) ସୁଲୋଚନା ଦାସ. ଏଣେ ଅନ୍ୟ ଏକ ରଣନୀତିରେ ବିଜେଡି ଏନ୍ ଡି ଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିବ ବୋଲି କହି ବିଜେପି ସହ କଳିରୁ କିଛି ବର୍ତ୍ତିବ.