ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ୧୧୮ ବିଜେଡ଼ି ବିଧାୟକଙ୍କ ଭୋଟ ଥିଲା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସପକ୍ଷରେ । ବିଜେପିର ୧୦ ବିଧାୟକଙ୍କ ଭୋଟ ମିଶାଇଲେ କୋବିନ୍ଦଙ୍କ ସପକ୍ଷରେ ୧୨୮ ଭୋଟ ପଡ଼ିବା କଥା । ମାତ୍ର ପଡ଼ିଛି ୧୨୭ ଭୋଟ । ସେହିଭଳି ୟୁପିଏ ପ୍ରାର୍ଥୀ ଶ୍ରୀମତୀ ମୀରା କୁମାରଙ୍କ ସପକ୍ଷରେ ଯାଇଛି ୧୭ ଭୋଟ । ସଂଖ୍ୟା ଗଣିତରେ କଂଗ୍ରେସର ସୁବଳ ସାହୁଙ୍କୁ ଛାଡ଼ିଦେଲେ ୧୫ ବିଧାୟକଙ୍କ ଭୋଟ ଥିଲା ମୀରାଙ୍କ ସପକ୍ଷରେ । ସମତା କ୍ରାନ୍ତିର ଜର୍ଜ ତିର୍କୀ ଏବଂ ସିପିଆଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଭୋଟ ବି ଥିଲା ଶ୍ରୀମତୀ ମୀରାଙ୍କ ସପକ୍ଷରେ । ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ ବି ମୀରାଙ୍କୁ ଭୋଟ ଦେଇଥିବା କୁହାଯାଉଥିଲା । ଏହିଭଳି ଭାବେ ମୀରାଙ୍କ ସପକ୍ଷରେ ୧୮ ଭୋଟ ପଡ଼ିବା କଥା । ମାତ୍ର ପଡ଼ିଛି ୧୭ ଭୋଟ । ଅର୍ଥାତ ବିଜେଡ଼ି କିମ୍ବା ବିଜେପି ପକ୍ଷରୁ ଜଣଙ୍କର ଭୋଟ ନାକଚ ହୋଇଥିଲା ବେଳେ ବିପକ୍ଷ ପକ୍ଷରୁ ଜଣଙ୍କର ଭୋଟ ନାକଚ ହୋଇଛି । ଉଭୟ ପକ୍ଷରୁ ଭୋଟ ଜାଣତରେ ନାକଚ ହୋଇଛି ନା ଅଜାଣତରେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ମିଳିତ ବିରୋଧୀ ଦଳ କ୍ୟାମ୍ପର ନାକଚ ହୋଇଥିବା ଭୋଟଟି ସନା ମହାକୁଡ଼ ବୋଲି ଅନୁମାନ କରାଯାଉଛି । କାରଣ ସେ କାହାରିକୁ ଭୋଟ ଦେବେ ତାହା ଶେଷ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିଲା । ତେବେ ଭୋଟ ଦେବାକୁ ଯାଇଥିଲେ ମଧ୍ୟ ଜାଣିଶୁଣି ନାକଚ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ମାତ୍ର ଏନଡିଏ କ୍ୟାମ୍ପରେ ବିଜେଡ଼ି ଓ ବିଜେପିର ଭୋଟ ଥିଲା ଅତ୍ୟନ୍ତ ସ୍ପଷ୍ଟ । ବିଜେପିର ୧୦ ଯାକ ବିଧାୟକ ଭୋଟ ଦେବା ପୂର୍ବରୁ ଭଲ ଭାବେ ଟ୍ରେନିଂ ନେଇଥିଲେ । କୋବିନ୍ଦଙ୍କୁ ସମର୍ଥନ ନେଇ ବିଧାୟକଙ୍କ ମଧ୍ୟରେ ଫାଟ ବି ନ ଥିଲା । ଟିକେ ସନ୍ଦେହରେ ଥିବା ଦିଲ୍ଲୀପ ରାୟ କୋବିନ୍ଦଙ୍କୁ ଭୋଟ ଦେଇଥିବା ବାହାରେ ଛାତି ଫୁଲାଇ କହିଥିଲେ । ସୁତରାଂ ବିଜେପିରୁ କାହାରି ଭୋଟ ନାକଚ ହେବା ବିଶ୍ୱାସ କରିହେଉନି । ଅନ୍ୟପକ୍ଷରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ବିଧାୟକଙ୍କର ଗୋଟେ ବି ଭୋଟ ଯେମିତି ଏପଟ ସେପଟ ନ ହୁଏ ସେଥିପାଇଁ ବିଧାନସଭା ପ୍ରକୋଷ୍ଠରେ ନିଜେ ଜଗି ବସିଥିଲେ । ଦଳରେ କ୍ରସ ଭୋଟିଂ ରୋକିବାକୁ ସମସ୍ତ ବ୍ୟବସ୍ଥା କରିଥିଲେ ସୁପ୍ରିମୋ । ବିଧାୟକଙ୍କୁ ତାଗିଦ୍ କରାଯାଇ ନିର୍ଭୁଲ ଭୋଟଦାନ ପାଇଁ ଭଲ ଭାବେ ରିଅଲସାଲ୍ କରାଯାଇଥିଲା । ତା ସତ୍ତ୍ୱେ ଗୋଟିଏ ଭୋଟ କେଉଁଠୁ ନାକଚ ହେଲା ତାହା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି ।
ସୂଚନାଯୋଗ୍ୟ, ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ କଂଗ୍ରେସ ନେତୃତ୍ୱାଧୀନ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଶ୍ରୀମତୀ ମୀରା କୁମାରଙ୍କୁ ବିପୁଳ ଭୋଟରେ ପରାସ୍ତ କରି ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । କୋବିନ୍ଦ ୭ ଲକ୍ଷ ୨ ହଜାର ୪୪ ଇଲେକ୍ଟ୍ରୋରାଲ୍ ଭୋଟ ପାଇଥିଲା ବେଳେ ମୀରା ପାଇଛନ୍ତି ୩ ଲକ୍ଷ ୬୭ ହଜାର ୩୧୪ ଭୋଟ । ଓଡ଼ିଶାରେ କୋବିନ୍ଦଙ୍କୁ ୧୨୭ ବିଧାୟକଙ୍କର ୧୮ ହଜାର ୯୨୩ ଭୋଟ ମିଳିଥିବା ବେଳେ ମୀରା କୁମାରଙ୍କୁ ୧୭ ବିଧାୟକଙ୍କର ୨୫୩୩ ଭୋଟ ମିଳିଛି । ଆସନ୍ତା ୨୫ ତାରିଖରେ କୋବିନ୍ଦ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ ।