ଭୁୁବନେଶ୍ୱର: ଦୀର୍ଘ ୧୯ ବର୍ଷ କାଳ ରାଜନୀତି ଅଳିଆରେ ଘାଣ୍ଟି ହେଉଥିବା ବିଜୟ ମହାପାତ୍ରଙ୍କ ଏକ ନିଆରା ସମ୍ମାନ ଥିଲା । ତାହା ହେଲା ସ୍ୱାଭିମାନ । ଜଣେ ଅତ୍ୟନ୍ତ ସ୍ୱାଭିମାନୀ ନେତା ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ନିଜର ଆଦର୍ଶ, ସ୍ୱାଭିମାନକୁ ଜଳାଞ୍ଜଳି ଦେଇନାହାନ୍ତି କି ଜଳାଞ୍ଜଳି ଦେଇପାରିବେନି ବୋଲି ସବୁବେଳେ କହୁଥିଲେ । ମାତ୍ର ଆଜି ସେ ତାଙ୍କର ପରିଚୟ ବଦଳେଇ ଦେଇଛନ୍ତି । ସ୍ୱାଭିମାନର ଦ୍ୱାହି ଦେଇ ୪ ମାସ ତଳେ ବିଜେପି ଛାଡ଼ିଥିଲେ ବିଜୟ ମହାପାତ୍ର । ବିଜେପିକୁ ଆସିବା ଭୁଲ୍ ନିଷ୍ପତ୍ତି ଥିଲା ବୋଲି ସାମ୍ବାଦିକ ସମ୍ମିଳନୀ ଡକାଇ ଅନୁତାପ କରିଥିଲେ । ମାତ୍ର ନିଜ ଛେପକୁ ଆଜି ଢ଼ୋକି ଦେଇଛନ୍ତି । ଅମିତ୍ ଶାହାଙ୍କ ଟେଲିଫୋନ୍ ଏବଂ ଅରୁଣ ସିଂ ଓ ବୈଜୟନ୍ତ ପଣ୍ଡାଙ୍କ ସାନ୍ନିଧ୍ୟ ତାଙ୍କର ହୋସ୍ ଉଡ଼େଇ ଦେଇଛି ।
ବିଜୟ ବିଜେପିକୁ ଫେରିଆସିବେ ବୋଲି ଗତ କିଛି ଦିନ ହେଲା ଜୋର୍ ଚର୍ଚ୍ଚା ହେଉଥିଲା । ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍ ମିଡ଼ିଆରେ ତୁହାକୁ ତୁହା ଖବର ହୋଇଥିଲା । ନିଜେ ବିଜୟ ଏ ସମ୍ପର୍କରେ ମୁହଁ ଖୋଲି ନ ଥିଲେ ମଧ୍ୟ ତାଙ୍କ ଅନ୍ତରଙ୍ଗ ବନ୍ଧୁମାନେ ଏହାକୁ ଗୁଜବ ବୋଲି ଦାବି କରୁଥିଲେ । ବିଜୟଙ୍କ ଭଳି ବ୍ୟକ୍ତିତ୍ୱ ତାଙ୍କ ନିଷ୍ପତ୍ତି ଏତେ ଶୀଘ୍ର ବଦଳାଇବେ ବୋଲି ବିଶ୍ୱାସ କରୁ ନ ଥିଲେ ।
ଆଜି ସକାଳ ପ୍ରାୟ ୧୦.୩୦ ବେଳେ ବିଜୟଙ୍କ ବାସଭବନରେ ଯାଇ ପହଞ୍ଚିଥିଲେ ବିଜେପି ପ୍ରଭାରୀ ଅରୁଣ ସିଂ ଓ ବୈଜୟନ୍ତ ପଣ୍ଡା । ଭିତରେ ଅଧଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା । ଘରୁ ବାହାରି ଗଣମାଧ୍ୟମ ଆଗରେ ବିଜୟ ନିଜର ବିଜେପି ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଘୋଷଣା କରିଥିଲେ । ସେ ପୁରୁଣା କଥା ଭୁଲିଯାଇଛନ୍ତି । ଓଡ଼ିଶାରେ ପରିବର୍ତ୍ତନ ପାଇଁ ନୂଆ ଅଭିଯାନରେ ବାହାରିଥିବା କହିଥିଲେ । ଅମିତ୍ ଶାହା ତାଙ୍କ ସହ ଟେଲିଫୋନ୍ ରେ କଥା ହୋଇଥିବା ବି ସୂଚାଇଥିଲେ ।
୩ ଦିନ ତଳେ ବୈଜୟନ୍ତ ପଣ୍ଡା ଓ କନକ ବର୍ଦ୍ଧନ ସିଂହଦେଓ ବିଜୟଙ୍କ ଘରକୁ ଆସି କଥା ହୋଇଥିଲେ । ତେବେ ବିଜୟ ସେଦିନ ମାନଭଂଜନ ଭାଙ୍ଗି ନ ଥିଲେ । ଅଙ୍କ କେଉଁଠି ଅଟକିଥିଲା କେହି ବୁଝିପାରି ନ ଥିଲେ । ତେବେ ଆଜି ସେହି ଅଙ୍କ ଛିଣ୍ଡିଯାଇଥିବା ସ୍ପଷ୍ଟ ହୋଇଛି । ବିଜୟ ପାଟକୁରା ନଚେତ୍ ମହାକାଳପଡ଼ାରୁ ନିର୍ବାଚନ ଲଢ଼ିପାରନ୍ତି । ଏଥିସହ ବୈଜୟନ୍ତ ପଣ୍ଡାଙ୍କୁ ଜିତାଇବା ପାଇଁ ତାଙ୍କର ସାରଥୀ ହୋଇ କାର୍ଯ୍ୟ କରିବେ । ବିଜୟଙ୍କ ବିଜେପି ପ୍ରତ୍ୟାବର୍ତ୍ତନ ପରେ ବୈଜୟନ୍ତଙ୍କ ବାଟ ସୁଗମ ହୋଇଥିବା କୁହାଯାଉଛି । ତେବେ କିଛି ଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେପି କାର୍ଯ୍ୟକର୍ତ୍ତାମାନେ ଏକ ଜରୁରୀ ବୈଠକ ଡକାଇ ବିଜୟଙ୍କ ପ୍ରତ୍ୟାବର୍ତ୍ତନକୁ ବିରୋଧ କରିବା ସହ କେନ୍ଦ୍ରାପଡ଼ାରେ ତାଙ୍କୁ ପୂରାଇ ନ ଦେବାକୁ ସଂକଳ୍ପ ନେଇଥିଲେ । ଏବେ ବିଜେପି ନେତୃତ୍ୱ ସେମାନଙ୍କୁ କେମିତି ବୁଝାଇବେ ତାହା ଦେଖିବାର କଥା ।
ଆହୁରି ରୋଚକ କଥାଟି ହେଉଛି, ବିଜୟ ବିଜେଡ଼ିକୁ ଫେରିବେ ବୋଲି ବି କମ ଚର୍ଚ୍ଚା ହୋଇ ନ ଥିଲା । ତାଙ୍କ ବନ୍ଧୁ ତଥା ଏକାଠି ବିଜେପି ଛାଡ଼ିଥିବା ଦିଲ୍ଲୀପ ରାୟ ନବୀନ ନିବାସକୁ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏହି ଆଲୋଚନା ଆହୁରି ଜୋର୍ ହୋଇଥିଲା । କୁଆଡେ ବିଜୟ ବିଜେଡ଼ିକୁ ଫେରିବାକୁ ଚାହିଁ ବସିଥିଲେ ମଧ୍ୟ ନବୀନ ତାଙ୍କୁ ଗ୍ରହଣ କରିବାକୁ ରାଜି ହୋଇ ନ ଥିଲେ । ତେବେ ଏହା ସତ ନା ମିଛ ତାହା ସ୍ପଷ୍ଟ ହୋଇପାରୁନାହିଁ । ଏବେ ବିଜୟ ବିଜେପିକୁ ଫେରିଥିବା ବେଳେ ଦିଲ୍ଲୀପ ରାୟଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେପିଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଖିବାକୁ ମିଳିନାହିଁ । ବିଜୟଙ୍କୁ ଦଳକୁ ଫେରାଇ ଆଣିବାକୁ ଧର୍ମେନ୍ଦ୍ର କଥା ହୋଇନାହାନ୍ତି କି ତାଙ୍କ ଘରକୁ ଯାଇ ବୁଝାଇନାହାନ୍ତି । ସୁତରାଂ ଧର୍ମେନ୍ଦ୍ର ତାଙ୍କ ଅହଂକାର(ବିଜୟଙ୍କ ଭାଷାରେ)ରୁ ହଟିନାହାନ୍ତି ।
ସୂଚନାଯୋଗ୍ୟ, ଗତ ନଭେମ୍ବର ୩୦ ତାରିଖରେ ବିଜୟ ବିଜେପି ଛାଡ଼ିବା ଦିନ ବିଜେପି ନେତୃତ୍ୱ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରବଳ ବର୍ଷିଥିଲେ । ବିଜୟ କହିଥିଲେ, ବିଜେପିର ମୁଖଶାଳା ବଡ଼, ହେଲେ ମନ୍ଦିର ଛୋଟ । ଏଠି ରାଜ୍ୟର ସ୍ୱାର୍ଥ ପାଇଁ କାହାର ଚିନ୍ତା ନାହିଁ । ନିଜ ନିଜର ସ୍ୱାର୍ଥରକ୍ଷା ପାଇଁ ଆତ୍ମଘୋଷିତ ନେତାମାନେ ଚିନ୍ତିତ । ୨୦୦୯ରେ ବିଜେପିରେ ତରବରିଆ ଭାବେ ଯୋଗଦେବା ମସ୍ତବଡ଼ ଭୁଲ୍ ନିଷ୍ପତ୍ତି ଥିଲା ବୋଲି ବିଜୟ କହିଥିଲେ । ବିଜେପିର୧୨୦ ପ୍ଲସ୍ ମିଶନ୍ ସମ୍ପୂର୍ଣ୍ଣ ଭୁଲ୍ ଆକଳନ ବୋଲି ବିଜୟ ତାତ୍ସଲ୍ୟ କରିଥିଲେ । ତା ପୂର୍ବରୁ ମଧ୍ୟ ବାରମ୍ବାର ସେହି କଥା କହୁଥିଲେ । ଏହା ବାସ୍ତବତା ଉପରେ ପର୍ଯ୍ୟବସିତ ନୁହେଁ ବୋଲି କହୁଥିଲେ । ଆଗାମୀ ନିର୍ବାଚନରେ ଅହଂକାର ଓ ବିନମ୍ରତାର ଲଢ଼େଇ ହେବ ବୋଲି କହୁଥିଲେ ।