ଭୁବନେଶ୍ୱର: ପାଟକୁରା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସମରସଜ୍ଜା । ବିଜୟ ମହାପାତ୍ରଙ୍କୁ ଜିତେଇ ଆଣିବାକୁ ବିଜେପିର ବ୍ଲୁ ପ୍ରିଣ୍ଟ ରେଡ୍ଡି ହେଲା ବେଳକୁ ବିଜେଡ଼ି ତା’ କାମ ବଢ଼େଇ ସରିଲାଣି । ଦଳର ତିନି ହେଭିୱେଟ୍ ମନ୍ତ୍ରୀ ଅରୁଣ କୁମାର ସାହୁ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ସଞ୍ଜୟ ଦାସବର୍ମାଙ୍କୁ ସେନାପତି ଦାୟିତ୍ୱରେ ଛଡ଼ାଯାଇଛି । ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମଧ୍ୟ ଗୁରୁ ଦାୟିତ୍ୱ ଦିଆଯାଇଛି । ଏହି ୫ ହେଭିୱେଟ୍ ଙ୍କ ଦାୟିତ୍ୱରେ ପାଟକୁରାକୁ ଛାଡ଼ିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ସେମାନଙ୍କୁ ସହଯୋଗ କରିବା ପାଇଁ ଦଳର ଦୁଇ ଡର୍ଜନ୍ ବିଧାୟକ, ପୂର୍ବତନ ବିଧାୟକ ଓ ଟାଣୁଆ ନେତା ଯାଉଛନ୍ତି ପାଟକୁରା ।
ଡେରାବିଶ ବ୍ଲକ୍, ଗରଦପୁର ବ୍ଲକ୍ ଏବଂ ମାର୍ଶାଘାଇ ବ୍ଲକ୍ ର ୭ଟି ପଞ୍ଚାୟତ ରହିଛି ପାଟକୁରା ନିର୍ବାଚନମଣ୍ଡଳୀରେ । ବିଜେଡ଼ିର ହେଭିୱେଟ୍ ମାନଙ୍କ ଦାୟିତ୍ୱରେ ଏହି ବ୍ଲକ୍ ଗୁଡ଼ିକ ବାଣ୍ଟି ଦିଆଯାଇଛି । ୨୬ ଟି ପଞ୍ଚାୟତକୁ ନେଇ ଗଠିତ ଡେରାବିଶ ବ୍ଲକ୍ ଦାୟିତ୍ୱରେ ଅରୁଣ ସାହୁ ଏବଂ ସଞ୍ଜୟ ଦାସବର୍ମା ରହିଥିବା ବେଳେ ୧୮ ଟି ପଞ୍ଚାୟତ ରହିଥିବା ଗରଦପୁର ବ୍ଲକ୍ କୁ ପ୍ରଫୁଲ୍ଲ ମଲ୍ଲିକ ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦାୟିତ୍ୱରେ ଛଡ଼ାଯାଇଛି । ଅତନୁ ସବ୍ୟସାଚୀ ନାୟକଙ୍କୁ ମାର୍ଶାଘାଇ ବ୍ଲକ୍ ଦାୟିତ୍ୱ ଦିଆଯାଇଛି ।







