ଭୁବନେଶ୍ୱର: ପିପିଲିରେ ପ୍ରଦୀପ ମହାରଥୀଙ୍କ ଉପରୁ ଭରସା ତୁଟାଇ ପାରିନାହାନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କୁ ପୁନର୍ବାର ସେଠାରୁ ପ୍ରାର୍ଥୀ କରାଯାଇଛି । ପିପିଲି ଗଣଦୁଷ୍କର୍ମ ମାମଲାରେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସେ ଅଡୁଆରେ ଥିଲେ । ତାଙ୍କୁ ଏଥର ଟିକେଟ ମିଳି ନ ପାରେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ମହାରଥୀଙ୍କୁ ବାଦ ଦେଇ ପିପିଲିରେ ବିଜେଡ଼ିର ସ୍ଥିତି ଉପରେ ସୁପ୍ରିମୋ ଭରସା କରିନାହାନ୍ତି ।
ଅନ୍ୟପକ୍ଷରେ ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ଏରସମା-ବାଲିକୁଦାରୁ ପ୍ରାର୍ଥୀ ହୋଇଛନ୍ତି ରଘୁନନ୍ଦନ ଦାସ । ଡାକ୍ତର ରାଉତ ବିଜେପିରେ ମିଶି ସେଠାରୁ ପ୍ରାର୍ଥୀ ହେବା ପରେ ପୂର୍ବରୁ ଥିବା ଆଶାୟୀ ରଘୁନନ୍ଦନ ବିଜେପି ଛାଡ଼ି ବିଜେଡ଼ି ଆସିଥିଲେ । ବିଜେଡ଼ି ତାଙ୍କୁ ନିରାଶ କରିନି । ଏହି ଆସନରୁ ଦୁଇ ଦୁଇ ଥର ପ୍ରାର୍ଥୀ ହୋଇ ଜିତିଥିବା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ବି ନିରାଶ କରାଯାଇନି । ତାଙ୍କୁ ଜଗତସିଂହପୁର ଆସନ ଦିଆଯାଇଛି । ନୀଳଗିରିରୁ ସନ୍ତୋଷ ଖଟୁଆ ପ୍ରାର୍ଥୀ ହୋଇଛନ୍ତି । ତିନି ଦିନ ତଳେ ସେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ ।
ଆନନ୍ଦପୁରରୁ ବିଜେପି ଟିକେଟ ପାଇସାରିଥିବା ଭାଗିରଥୀ ସେଠୀ ଦୁଇ ଦିନ ତଳେ ବିଜେଡ଼ିକୁ ପଳାଇ ଆସିଥିଲେ । ତାଙ୍କୁ ସେଠାରୁ ପ୍ରାର୍ଥୀ କରାଯାଇଛି । ଧାମନଗରରୁ ରାଜେନ୍ଦ୍ର ଦାସ ଟିକେଟ ପାଇଛନ୍ତି । ୨୦୦୯ ରେ ସେ ଟିକେଟ ପାଇ ଜିତିଥିଲେ । ମାତ୍ର ଗତଥର ତାଙ୍କୁ ଟିକେଟ ମିଳି ନ ଥିଲା । ତାଙ୍କ ଜାଗାରେ ମୁକ୍ତିକାନ୍ତ ମଣ୍ଡଳ ବିଜେଡ଼ି ପ୍ରାର୍ଥୀ ଭାବେ ଜିତିଥିଲେ । ନିମାପଡ଼ାରୁ ସମୀର ଦାଶ, ନିଆଳିରୁ ଡା. ପ୍ରମୋଦ ମଲ୍ଲିକ, କାକଟପୁରରୁ ସୁରେନ୍ଦ୍ର ସେଠୀଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି ।
ବିଜେଡ଼ି ପ୍ରାର୍ଥୀ ତାଲିକା
ପିପିଲି- ପ୍ରଦୀପ ମହାରଥୀ
ଆନନ୍ଦପୁର- ଭାଗିରଥୀ ସେଠୀ
ନିମାପଡ଼ା- ସମୀର ଦାଶ
ଧାମନଗର- ରାଜେନ୍ଦ୍ର ଦାସ
ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
ବାଲିକୁଦା- ରଘୁନନ୍ଦନ ଦାସ
ନିଆଳି- ଡା. ପ୍ରମୋଦ ମଲ୍ଲିକ
କାକଟପୁର- ସୁରେନ୍ଦ୍ର ସେଠୀ
ନୀଳଗିରି- ସନ୍ତୋଷ ଖଟୁଆ