କଟକ: ଦୀର୍ଘ ୭ ଘଣ୍ଟାର କଠିନ ଅପରେସନ୍ ପରେ ଉଦ୍ଧାର ପାଇଲେ ପ୍ରାଣକୃଷ୍ଣ ମୁଦୁଲି । କଟକର ଲୋୟର ପୁଲିସ କଲୋନୀସ୍ଥିତ ପମ୍ପିଂ ଷ୍ଟେସନ୍ ପାଇପରେ ଫସିଯାଇଥିବା ୫୦ ବର୍ଷର କର୍ମଚାରୀ ପ୍ରାଣକୃଷ୍ଣ ଉଦ୍ଧାର ହେଲା ପରେ ଉଦ୍ଧାରକାରୀ ଓଡ୍ରାଫ୍, ଫାୟାର ବି୍ରଗେଡ଼ ଦଳକୁ ସବୁଆଡୁ ସାବାସି ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ୍ରାଫ୍ ଓ ଫାୟାର ବ୍ରିଗେଡ଼ ଦଳର ଧୈର୍ଯ୍ୟ ଓ ସାହାସିକ କାର୍ଯ୍ୟର ପ୍ରଶଂସା କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଆଜି ସକାଳ ୮ଟା ବେଳେ ଏହି ଅଘଟଣ ଘଟିଥିଲା । ପମ୍ପିଂ ଷ୍ଟେସନ୍ କର୍ମଚାରୀ ପ୍ରାଣକୃଷ୍ଣ ଟ୍ୟାଙ୍କ ଭିତରେ ଏକ ବ୍ଲକେଜ୍ ସଫା କରିବାକୁ ପଶିଥିଲେ । ମାତ୍ର ଏକଥା ଜାଣି ନଥିବା ଅନ୍ୟ ଜଣେ କର୍ମଚାରୀ ସେତେବେଳେ ମୋଟର ସୁଇଚ୍ ମାରିଦେଇଥିଲେ । ପାଣିର ପ୍ରଖର ସ୍ରୋତରେ ପ୍ରାଣକୃଷ୍ଣ ସେହି ପାଇପ୍ ର ୨୫ରୁ ୩୦ ଫୁଟ ଭିତରକୁ ଭାସିଯାଇଥିଲେ । ଅଢ଼େଇ ଫୁଟ ଓସାରର ପାଇପ ଭିତରୁ ସେ ବାହାରିବା ସମ୍ଭବ ନ ଥିଲା ।
ଖବର ପାଇ ତୁରନ୍ତ ସେଠାରେ ଜିଲ୍ଲାପାଳ, ପୁଲିସ, ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ପହଞ୍ଚଥିଲେ । ମୁଖ୍ୟ ଫାୟାର ସୁରକ୍ଷା ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ୧୦୦ ଜଣିଆ ଉଦ୍ଧାରକାରୀ ଦଳ ଲାଗିପଡ଼ିଲେ । ପ୍ରବଳ ଖରା ସାଙ୍ଗକୁ ଅଣଓସାରିଆ ପାଇପ୍ ଭିତରେ ଜୀବନ ସହ ସଂଗ୍ରାମ କରୁଥିଲେ ପ୍ରାଣକୃଷ୍ଣ । ତାଙ୍କୁ ବଞ୍ଚାଇବା ପାଇଁ ପାଇପ ଯୋଗେ ପାଣି ଓ ଅକ୍ସିଜେନ୍ ଦିଆଯାଉଥିଲା । ଦୀର୍ଘ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ପାଇପ୍ କାଟି ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଦଳ ।
ଉଦ୍ଧାର ପରେ ପ୍ରାଣକୃଷ୍ଣଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଫାୟାର ବ୍ରିଗେଡ଼ ଓ ଓଡ୍ରାଫ୍ ଟିମ୍ ଭିତରେ ସମନ୍ୱୟ ରହିଥିଲେ ପ୍ରାଣକୃଷ୍ଣଙ୍କୁ ଆହୁରି ଜଲଦି ଉଦ୍ଧାର କରାଯାଇ ପାରିଥାଆନ୍ତା ବୋଲି ଜଣେ ଓଡ୍ରାଫ୍ କର୍ମଚାରୀ କହିଛନ୍ତି । ତେବେ ସେ ଯାହା ହେଉ, ଉଭୟଙ୍କ ପ୍ରଚେଷ୍ଟାରେ ପ୍ରାଣକୃଷ୍ଣଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କରାଯାଇଥିବାରୁ ସବୁଆଡୁ ସାବାସି ମିଳିଛି ।