ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ‘ଫନି’ ରେ କ୍ଷତିଗ୍ରସ୍ତ ଉଠାଦୋକାନୀ, ନଡ଼ିଆ ଚାଷୀ ଏବଂ କୁକୁଡ଼ା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ‘ଫନି’ରେ ୧୧ଟି ପୌରାଞ୍ଚଳର ୩୦ ହଜାର ଉଠାଦୋକାନୀଙ୍କ ସର୍ବସ୍ୱ ଯାଇଛି । କ୍ଷତିଗ୍ରସ୍ତ ପ୍ରତି ଉଠାଦୋକାନୀଙ୍କୁ ଜୀବନ ଜୀବିକା ପାଇଁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ।
ସେହିଭଳି ଉଜୁଡ଼ା ନଡ଼ିଆ ଚାଷୀଙ୍କୁ ନଡ଼ିଆ ଗଛ ପିଛା ୫୦୦ ଟଙ୍କା ଲେଖାଏଁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଜଣେ ବ୍ୟକ୍ତିଙ୍କର ୨୫ ଟି ନଡ଼ିଆ ଗଛ ପର୍ଯ୍ୟନ୍ତ ଏହି ସହାୟତା ମିଳିବ । ପୂର୍ବରୁ ସଂପୃକ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଏଗ୍ରିକଲଚର୍ ଇନପୁଟ୍ ସବସିଡ଼ି ଏବଂ ଗଛ ଲଗାଇବା ପାଇଁ ସହାୟତା ଘୋଷଣା ହୋଇସାରିଛି ।
କ୍ଷୁଦ୍ର କୁକୁଡ଼ା(ବ୍ରଏଲର୍) ଚାଷୀଙ୍କର ଫାର୍ମଗୁଡ଼ିକ ଫନିରେ ଭୀଷଣ କ୍ଷତିଗ୍ରସ୍ତ ହୋଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସହାୟତାରୁ ବଞ୍ଚିତ କରିନାହାନ୍ତି । ୫୦୦ କୁକୁଡ଼ା ରଖିଥିବା କ୍ଷତିଗ୍ରସ୍ତ ଗୋଟିଏ ୟୁନିଟ୍ ପଲଟ୍ରି ଫାର୍ମକୁ ୭୫% ସବସିଡ଼ି ହାରରେ ୧ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ । ୨ ହଜାର ପଲଟ୍ରି ୟୁନିଟ୍ କୁ ଏହି ସହାୟତା ଦିଆଯିବ ।
ଏହି ସ୍ୱତନ୍ତ୍ର ପ୍ୟାକେଜ୍ ରେ ଖର୍ଚ୍ଚ ହେବାକୁ ଥିବା ୧୦୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଏବଂ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସବୁଜବଳୟ ପୁନରୁଦ୍ଧାର ପାଇଁ ୨୦୦ କୋଟି
ଉପକୂଳ ଅଞ୍ଚଳରେ ସବୁଜବଳୟ ଖିନଭିନ୍ କରିଦେଇଛି ଫନି । ବନସମ୍ପଦର ବ୍ୟାପକ କ୍ଷତି ସାଙ୍ଗକୁ ସବୁଜିମା ନଷ୍ଟ ହୋଇଯାଇଛି । ସବୁଜବଳୟର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ୫ ବର୍ଷିଆ ଯୋଜନା କାର୍ଯ୍ୟକାରୀ କରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଉପକୂଳ ସୁରକ୍ଷା ବଳୟର ପୁନରୁଦ୍ଧାର ଓ ବନୀକରଣ ଯୋଜନା ନାଁରେ ଏହାକୁ ନାମିତ କରାଯାଇଛି । ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାକୁ ମିଶନ ମୋଡ୍ ରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ଆଲୋଚନା କରିଥିଲେ ।
ଯୋଜନା ଅନୁଯାୟୀ, ଆସନ୍ତା ୫ ବର୍ଷ ମଧ୍ୟରେ ୮୦୦୦ ହେକ୍ଟର ପରିମିତ ଅଞ୍ଚଳରେ ବୃକ୍ଷରୋପଣ କରାଯିବ । ଫନି କ୍ଷତିଗ୍ରସ୍ତ ଅଞ୍ଚଳରେ ୨୦୧୮-୧୯ରେ ୬୫ ଲକ୍ଷ ଚାରା ରୋପଣ ଓ ଆବଣ୍ଟନ କରାଯାଇଥିବା ବେଳେ ୨୦୧୯-୨୦ରେ ଏହାକୁ ଦୁଇଗୁଣ କରାଯାଇ ୧ କୋଟି ୩୦ ଲକ୍ଷ ଚାରା ଆବଣ୍ଟନ କରାଯିବ । ଚଳିତବର୍ଷ ବିଭିନ୍ନ ସଂସ୍ଥା ଓ ଜନସାଧାରଣଙ୍କୁ ୫୦ ଲକ୍ଷ ଚାରା ମାଗଣାରେ ଦିଆଯିବ । ସହରାଞ୍ଚଳ ବୃକ୍ଷରୋପଣ ଯୋଜନାରେ ଆସନ୍ତା ୫ ବର୍ଷ ମଧ୍ୟରେ ୫ ଲକ୍ଷ ବୃକ୍ଷରୋପଣ କରାଯିବ । କେବଳ ଚଳିତବର୍ଷ ୧ ଲକ୍ଷ ଗଛ ଲଗାଯିବ । ଉପୁଡ଼ି ବଞ୍ଚି ଯାଇଥିବା ୩୦ ହଜାର ଗଛର ପୁନରୁଦ୍ଧାର କରାଯିବ । ଫନି କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକଙ୍କର ଜୀବିକାର ପୁନରୁଦ୍ଧାର ପାଇଁ ୧୨ ହଜାର ହେକ୍ଟର ଅଞ୍ଚଳରେ ଫଳ ଗଛ ଲଗାଯିବ । ଏହାସହିତ ୩ ବର୍ଷ ପାଇଁ ଇଣ୍ଟର- କ୍ରପିଂ ପ୍ୟାକେଜ୍ ମଧ୍ୟ ଦିଆଯିବ । ୫ ଲକ୍ଷ ଫଳ ଗଛ ଚାରା ଯୋଗାଇ ଦିଆଯିବା ସହିତ ଲୋକଙ୍କ ଘରବାଡ଼ିରେ ୪ ଲକ୍ଷ ନିଉଟ୍ରି- ଗାର୍ଡେନ୍ କରାଯିବ ।