ଭୁୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଫ୍ରଣ୍ଟଲାଇନ୍ ଯୋଦ୍ଧାଙ୍କୁ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟ ସରକାର । ଏ ପର୍ଯ୍ୟନ୍ତ ୧୦୬ ଜଣ ଫ୍ରଣ୍ଟଲାଇନ୍ ଯୋଦ୍ଧା କରୋନାରେ ଆକ୍ରାନ୍ତ ହେଲେଣି । ସେମାନଙ୍କ ମଧ୍ୟରୁ କେବଳ ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୫୮ । ଟିଏମସିରେ ନିୟୋଜିତ ୪୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏନଡିଆରଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗର ୧୦୪ ଯବାନ ଆକ୍ରାନ୍ତ ହେଲେଣି ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କର ଏକ କର୍ମଶାଳାକୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରି ସେମାନଙ୍କ ସହ ଆଲୋଚନା କରିଥିଲେ । କୋଭିଡ୍-୧୯ ପରିଚାଳନାରେ ଥିବା ଏହି ଫ୍ରଣ୍ଟଲାଇନ୍ ଯୋଦ୍ଧାଙ୍କ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ସଂପୃକ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଯଥେଷ୍ଟ ସୁରକ୍ଷା ଉପକରଣ ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିବା ସହ କରୋନା ସୁରକ୍ଷା ଗାଇଡଲାଇନ୍ ନେଇ ପୁଣିଥରେ ସଚେତନ କରାଇଥିଲେ ।
ମୌସୁମୀ ବର୍ଷା ଆଗମନ ପରିପ୍ରେକ୍ଷୀରେ ସାରା ରାଜ୍ୟରେ କୋଭିଡ ପର୍ଯ୍ୟବେକ୍ଷଣ ପାଇଁ ସମନ୍ୱିତ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ଘରକୁ ଘର ବୁଲି ସକ୍ରିୟ କୋଭିଡ୍ ସ୍ଥିତି ପର୍ଯ୍ୟବେକ୍ଷଣ କରିବେ । ଯକ୍ଷ୍ମା, ମ୍ୟାଲେରିଆ, ଡାଇରିଆ ସମ୍ପର୍କରେ ମଧ୍ୟ ପର୍ଯ୍ୟବେକ୍ଷଣ କରିବାକୁ ମୁଖ୍ୟମନ୍ତ୍ରୀ ସିଡ଼ିଏମଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
କୋଭିଡ୍ ନିୟନ୍ତ୍ରଣ କ୍ଷେତ୍ରରେ ଆଗାମୀ କିଛି ସପ୍ତାହ ଆମପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ କରୋନା ମୁକାବିଲାରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ନିରନ୍ତର କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ ।