ଭୁବନେଶ୍ୱର: ଭୁବନେଶ୍ୱର ବମିଖାଲରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ପଜିଟିଭ୍ କେସ୍ କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ ହୋଇଛି । କେବଳ ଭୁବନେଶ୍ୱରରୁ ୪୨ ପଜିଟିଭ୍ ବାହାରିଲେଣି । ଏହି ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
୫୫ ତମ ଆକ୍ରାନ୍ତ ଜଣେ ୩୫ ବର୍ଷର ଯୁବକ । ବମିଖାଲର ୭,୮,୨୨ ଓ ୩୯ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୪୧୭୦ ଟି ସାମ୍ପଲ୍ ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ୫୫ ସାମ୍ପଲ୍ ପଜିଟିଭ୍ ବାହାରିଥିବା ବେଳେ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସେପଟେ କଣ୍ଟେନମେଣ୍ଟ ଜୋନ୍ ରେ ରଖାଯାଇଥିବା ସୁନ୍ଦରପଦା ଏବଂ ଯଦୁପୁରରୁ ଏହା ପ୍ରତ୍ୟାହାର କରାଯାଇଛି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁଯାୟୀ, ସଂପୃକ୍ତ ଅଞ୍ଚଳରେ ଘରକୁ ଘରକୁ ବୁଲି ୪ ରାଉଣ୍ଡ ସର୍ଭେ ହୋଇଥିଲା । ଯେଉଁମାନଙ୍କର ଲକ୍ଷଣ ଥିଲା ସେମାନଙ୍କ ସାମ୍ପଲ୍ ଟେଷ୍ଟ ପାଇଁ ପଠାଯାଇଥିଲା । ତେବେ ସବୁ ନେଗେଟିଭ୍ ବାହାରିଛି । ଏହି ରିପୋର୍ଟ ଆଧାରରେ କଣ୍ଟେନମେଣ୍ଟ ପ୍ରତ୍ୟାହାର କରାଗଲା ବୋଲି ସେ ଘୋଷଣା କରିଛନ୍ତି । ତେବେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପୁଣି ଘରକୁ ଘର ବୁଲି ସର୍ଭେ କରାଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ।