ଭୁବନେଶ୍ୱର: ବରଗଡ଼ରେ ଏକ କ୍ୟାନସର୍ ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ । ଆଜି ବରଗଡ଼ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ, ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିରର ବିକାଶ ଏବଂ ହୀରାକୁଦକୁ ଅର୍ନ୍ତଜାତୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାକୁ ୧୩୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଦେଇଛନ୍ତି । ୭୦ କୋଟି ଟଙ୍କାର ୭ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲା ବେଳେ ୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।
ବରଗଡ଼ ଜିଲ୍ଲାର ମୁଖ୍ୟ ହସ୍ପିଟାଲ୍ ର ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ୪୫ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ୬ ମହଲାର କୋଠାକୁ ୩୦୦ ଶଯ୍ୟା ବିଶିଷ୍ଟ କରାଯାଇଛି । ବରଗଡ଼ରେ ଏକ ଉଚ୍ଚମାନର ସେତୁ, ବିଜେପୁରରେ ଆଇସିଆଇସିଆଇ ବ୍ୟାଙ୍କର ୧୫୦ତମ ଶାଖା ଏବଂ ବରଗଡ଼ରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ।
ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତ କରି ମା’ ସମଲେଶ୍ୱରୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ମା’ ସମଲେଶ୍ୱରୀଙ୍କ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହିତ ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ । ଏହାର ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ ପାଇଁ ଖୁବ୍ ଶୀଘ୍ର ଏକ ଟିମ୍ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ ।
ସେହିଭଳି ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି । ସେଠାରେ ୱାଟର୍ ସ୍ପୋର୍ଟସ୍ ଗାର୍ଡେନ୍, କନଭେନସନ୍ ସେଣ୍ଟର, ଲ୍ୟାଣ୍ଡସ୍ଲାପିଂ ଆଦିର ବିକାଶ କରାଯାଇ ହୀରାକୁଦକୁ ଏକ ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।