ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଏମସ୍ ରେ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ଼ ଲାଗି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଦିଲ୍ଲୀ ଯାତ୍ରା କରିଛନ୍ତି । ଏମସ୍ ଯାଇ ସେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବେ । ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ବାଜପେୟୀଙ୍କ ସହ ତାଙ୍କର ସ୍ମୃତି ରୋମାନ୍ଥନ କରିଛନ୍ତି । ସେ କହିଛନ୍ତି, ବାଜପେୟୀ ଜଣେ ମହାନ୍ ନେତା । ତାଙ୍କ କ୍ୟାବିନେଟ୍ ରେ ମୁଁ ତାଙ୍କ ସହ ଦୁଇବର୍ଷ କାର୍ଯ୍ୟ କରିଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅବନତି ଖବର ପାଇ ମୁଁ ଭୀଷଣ ମର୍ମାହତ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କଠାରୁ ଆରମ୍ଭ କରି ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓ ବିଭିନ୍ନ ଦଳର ବରିଷ୍ଠ ରାଜନେତାମାନେ ଏମସ୍ ଯାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି । ହସ୍ପିଟାଲ୍ କୁ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ ଛୁଟିଛି । ବାଜପେୟୀଙ୍କ ଆରୋଗ୍ୟ କାମନା କରି ସାରା ଦେଶରେ ଲୋକମାନେ ପୂଜାର୍ଚ୍ଚନା ଚଳାଇଛନ୍ତି । ଲାଇଫ୍ ସପୋର୍ଟ ସିଷ୍ଟମ୍ ରେ ଥିବା ବାଜପେୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଏମସ୍ ନଗଦ ବୁଲେଟିନ୍ ରେ କୁହାଯାଇଛି ।