ଭୁୁବନେଶ୍ୱର: ଟୁଇଟ୍ ମାଷ୍ଟର୍ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ତାଙ୍କର ଏକ ଟୁଇଟ୍ କୁ ନେଇ ଅଡୁଆରେ ପଡ଼ିଛନ୍ତି । ‘ଅମ୍ଫନ’ ର ତାଣ୍ଡବ ବେଳେ ତାଙ୍କ ପୁରୁଣା ନିର୍ବାଚନମଣ୍ଡଳୀର ଜଣେ ମୃତ ବ୍ୟକ୍ତିଙ୍କୁ ଟୁଇଟ୍ ଜରିଆରେ ବାତ୍ୟାର ପ୍ରଥମ କାଜୁଆଲିଟି ଦର୍ଶାଇବାକୁ ଉଦ୍ୟମ କରିଥିଲେ । ମାତ୍ର ଏହା ଧରାପଡ଼ିଯିବାରୁ ବୈଜୟନ୍ତ ଅଡୁଆରେ ପଡ଼ିଯାଇଥିଲେ । ପରିସ୍ଥିତି ଏମିତି ହେଲା ଯେ ନିଜ ତଥ୍ୟକୁ ସଂଶୋଧନ କରି ଆଉ ଏକ ଟୁଇଟ୍ କରିବାକୁ ବାଧ୍ୟ ହେଲେ । ଘଟଣାଟି ଆଜି ବେଶ୍ ଚର୍ଚ୍ଚା ହୋଇଛି ।
ଘଟଣା ଏମିତି । କେନ୍ଦ୍ରାପଡ଼ା ସାତଭାୟା ଅଞ୍ଚଳର ଜଣେ ୫୭ ବର୍ଷୀୟା ମହିଳା କୋଇଲି ବେହେରା ନିଜ କଚ୍ଚା ଘରୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହୋଇ ନ ଥିବାରୁ କାନ୍ଥପଡ଼ି ମୃତ୍ୟୁବରଣ କରିଥିବା ବୈଜୟନ୍ତ ଆଜି ସକାଳେ ଟୁଇଟ୍ କରିଥିଲେ । ଏହାକୁ ରାଜ୍ୟର ପ୍ରଥମ ବାତ୍ୟା ଆଜୁଆଲିଟି ବୋଲି ଦାବି କରିବା ସହ ଜିଲ୍ଲାପାଳଙ୍କୁ ଫୋନ୍ କରି ସହାୟତା ଦେବାକୁ କହିଥିବା ଟୁଇଟ୍ ରେ ଜଣାଇଥିଲେ । ବୈଜୟନ୍ତଙ୍କ ଏହି ଟୁଇଟ୍ କୁ ତାଙ୍କ ଟିଭି ବ୍ରେକିଂ ଖବର କରି ଜୋରସୋର ପ୍ରଚାର କରିଥିଲା ।
ତେବେ ଟିଭିରୁ ସ୍ଥାନୀୟ ଅଞ୍ଚଳବାସୀ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ତାଙ୍କର କଚ୍ଚା ଘର ନୁହେଁ ବରଂ ସେ ଛାତ ଘରେ ରୁହନ୍ତି । ତାଙ୍କର ଅସୁସ୍ଥତା ଯୋଗୁଁ ସେ ମୃତ୍ୟୁବରଣ କରିଛନ୍ତି ଏବଂ ବାତ୍ୟା ସହିତ ମୃତ୍ୟୁର ସମ୍ପର୍କ ନାହିଁ ବୋଲି ଜଣାପଡ଼ିଲା । ଜିଲ୍ଲାପାଳ ସମର୍ଥ ବର୍ମା ଅନୁସନ୍ଧାନ କରି ସତ୍ୟତା ଜାଣିବା ପରେ କାଉଣ୍ଟର୍ ଟୁଇଟ୍ କରି ସ୍ପଷ୍ଟ କରିଥିଲେ । ମୃତ ମହିଳାଙ୍କ ପରିବାରକୁ ୧୨ ହଜାର ଟଙ୍କାର ସହାୟତା ବି ପଠାଇଲେ ।
ଅସଲ ତଥ୍ୟ ସାମନାକୁ ଆସିବା ପରେ ବୈଜୟନ୍ତଙ୍କୁ ଅଡୁଆ ହୋଇଥିଲା । ନିଜେ ଛାଡ଼ିଥିବା ତଥ୍ୟକୁ ଓଲଟାଇବାକୁ ବାଧ୍ୟହେଲେ । ସଂପୃକ୍ତା ମହିଳା ପକ୍କା ଘରେ ରହୁଛନ୍ତି ଏବଂ ଛାତିରେ ଯନ୍ତ୍ରଣା ହୋଇ ହସ୍ପିଟାଲ୍ ନେବା ପୂର୍ବରୁ ମୃତ୍ୟୁବରଣ କରିଛନ୍ତି । ସ୍ୱାଭାବିକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଦ୍ୱିତୀୟ ଟୁଇଟ୍ କରି ଜଣାଇଲେ ବୈଜୟନ୍ତ ।
ଅବଶ୍ୟ ପ୍ରଥମ ଭୁଲ୍ ର କ୍ଷତି ଭରଣା କରିବା ଭଳି କାମ କରିଥିଲେ ବୈଜୟନ୍ତ । ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ଜଣେ ୩ ମାସର ଶିଶୁ କାନ୍ଥଭୁଷୁଡ଼ି ମରିଥିବା ସେହି ଟୁଇଟ୍ ରେ ଯୋଡିଥିଲେ ସେ ।
ବୈଜୟନ୍ତଙ୍କ ଭଳି ଅନୁଭବୀ, ବିଜ୍ଞ ବ୍ୟକ୍ତି ଏକ ସମ୍ବେଦନଶୀଳ ଘଟଣାର ସତ୍ୟତା ଯାଞ୍ଚ ନ କରି କାହାରି କାନକୁହା କଥାରେ ଏମିତି ଟୁଇଟ୍ କରିଥିବେ କାହାରି ବିଶ୍ୱାସ ହେଉନାହିଁ । ବରଂ ଏହା ପଛରେ ରାଜନୀତି ରହସ୍ୟ ଥିବା ଚର୍ଚ୍ଚା ହେଉଛି । ବାତ୍ୟା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ କାଜୁଆଲିଟି ମିସନ୍ ଉପରେ କଳା ବୋଳିବାକୁ ବୈଜୟନ୍ତ ଏହି ହୀନ ଉଦ୍ୟମ କରିଥିବା ବିରୋଧୀମାନେ କହୁଛନ୍ତି ।







