ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ତତ୍ତ୍ୱ ପ୍ରକାଶ ଶତପଥୀ ଓରଫ୍ ପପୁ ପମ୍ ପମ୍ଙ୍କ ହାତ ଛାଡ଼ିଛି ବିଜୁ ଜନତା ଦଳ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ନାବାଳିକା ଯୌନ ନିର୍ଯ୍ୟାତନା ଅଭିଯୋଗରେ ଛନ୍ଦି ହୋଇ ଫେରାର୍ ହୋଇଯାଇଥିବା ପପୁଙ୍କୁ ନେଇ ବିଜେଡ଼ି ବଦନାମ ବୋହିବାକୁ ସ୍ୱାଭାବିକ ଭାବେ ଚାହିଁନି । ୨୦୧୪ ନିର୍ବାଚନରେ ପପୁଙ୍କ ଲୋକପ୍ରିୟତାକୁ ଧରି ଏକ୍ସପେରିମେଣ୍ଟ କରିଥିଲା ବିଜେଡ଼ି । ରାଜ୍ୟର ଘରେ ଘରେ ଖୁବ୍ ଲୋକପ୍ରିୟ ପପୁଙ୍କୁ ଦଳରେ ମିଶାଇ ଚମ୍ପୁଆରୁ ପ୍ରାର୍ଥୀ କରିବା ସହ ଷ୍ଟାର କ୍ୟାମ୍ପନର୍ ବନାଇଥିଲା । ତେବେ ସାରା ରାଜ୍ୟରେ ବିଜେଡ଼ି ହାୱା ଭିତରେ ପପୁ କିନ୍ତୁ ହଜିଯାଇଥିଲେ । ଚମ୍ପୁଆରେ ନିଜର ଅମାନତ ହରାଇଥିଲେ ପପୁ । ତେବେ ପରବର୍ତ୍ତୀ ଛୋଟମୋଟ ସବୁ ନିର୍ବାଚନରେ ପପୁଙ୍କୁ ଷ୍ଟାର କ୍ୟାମ୍ପନର୍ ଭାବେ ଆଗରେ ରଖୁଥିଲା ବିଜେଡ଼ି । ଏହା ପପୁଙ୍କ ଗର୍ବ ଓ ଫୁଟାଣି ଡବଲ୍ କରିଦେଇଥିଲା ।
ରାଜ୍ୟର ସବୁ ବର୍ଗ ଲୋକଙ୍କ ଆଇଡଲ୍ ଭାବେ ନିଜକୁ ଉପସ୍ଥାପିତ କରିଥିବା ପପୁଙ୍କ ମନରେ ଏତେ ପାପ ଯେ ଭରି ରହିଥିଲା ତାହା ସହଜରେ ବିଶ୍ୱାସ କରିହେଉନି । ଚିଟ୍ଫଣ୍ଡ ଲିଙ୍କ୍ରେ ପ୍ରଚୁର ଅର୍ଥ କମାଇବା, କାଷ୍ଟିଂ କାଉଚ୍ ଭଳି କୁତ୍ସିତ କାରନାମା ଓ ଶେଷରେ ନିଜର ଜଣେ ଫ୍ୟାନ୍ ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଭଳି କଦର୍ଯ୍ୟ ସଙ୍ଗୀନ ଅପରାଧ ତାଙ୍କର ମୁଖା ଖୋଲି ଦେଇଛି । ପପୁଙ୍କ ଏହି କୁତ୍ସିତ କାରନାମା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଯୌନ ନର୍ଯ୍ୟାତିତା ନାବାଳିକାଙ୍କ ଏତଲାକ୍ରମେ ପୁଲିସ ମାମଲା ରୁଜୁ କରିଛି । ଗିରଫ ସୁନିଶ୍ଚିତ ଜାଣିବା ପରେ ପପୁ ଫେରାର ହୋଇଯାଇଛନ୍ତି । ଦୁଇ ଦିନ ହେଲା ପୁଲିସ ତାଙ୍କର ଖୋଜଖବର ପାଉନି । ତେବେ ପପୁଙ୍କୁ ନେଇ ଜନମାନସରେ ବିଜେଡ଼ି ପ୍ରବଳ ନିନ୍ଦିତ ହେଉଥିବା ବେଳେ ବିଜେଡ଼ି ସଭାପତି ଉପଯୁକ୍ତ ପଦକ୍ଷେପ ନେଇଛନ୍ତି । ତାଙ୍କୁ ବହିଷ୍କାର କରି ନିନ୍ଦାରୁ ରକ୍ଷା ପାଇ ଯାଇଛନ୍ତି । ଏଥିସହ ପପୁଙ୍କ ଭଳି କଦର୍ଯ୍ୟ ଚେହେରାକୁ ଦଳକୁ ଆଣିଥିବା ନେତାଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।