ଭୁବନେଶ୍ୱର: ଖଣି ମହାଦୁର୍ନୀତି ପ୍ରସଙ୍ଗରେ ବର୍ଷ ବର୍ଷ ଧରି ଧରି ବିଜେଡ଼ି ସରକାରଙ୍କ ବିରୋଧରେ ଚିଲୋଉଥିବା ବିଜେପି ଏବେ ସଙ୍କଟରେ ପଡ଼ିଛି । ବେଆଇନ ବାଟରେ ବେଧଡ଼କ ଖଣି ଲୁଟିଥିବା ଖଣିମାଲିକଙ୍କ ଉପରୁ ଶତପ୍ରତିଶତ ଜରିମାନା ଆଦାୟ ପାଇଁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ରାଜ୍ୟ ବିଜେପି ନେତାଙ୍କୁ ଛାନିଆଁ କରିଦେଇଛି । ଖଣି ମହାଦୁର୍ନୀତି କଥା ଭୁଲି ଖଣିମାଲିକଙ୍କଠାରୁ ଜରିମାନା ଆଦାୟ ତାରିଖ ଘୁଞ୍ଚାଇ ଦେବାକୁ ସେମାନେ ସହଯୋଗର ହାତ ବଢ଼ାଇବେ । ଅଭିଯୁକ୍ତ ଖଣି ମାଲିକମାନେ ସୁପ୍ରିମ୍ କୋର୍ଟରେ ରିଟ୍ ପିଟିସନ୍ କରିବାକୁ ସେମାନେ ପାଲୋଉଛନ୍ତି । ସେଥିପାଇଁ ଖର୍ଚ୍ଚ ପାଣି ଦେବାକୁ ବି ଇସାରା ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
ଏହା ପଛର ରହସ୍ୟ ବିଶ୍ୱାସ ନହେଲେ ବି ନିରାଟ ସତ । ସମସ୍ତଙ୍କୁ ଏହା ଜଣା ଯେ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ କେନ୍ଦ୍ରୀୟ କ୍ଷମତା ସମ୍ପନ୍ନ କମିଟି(ସିଇସି) ବେଆଇନ ଖଣି ମାଲିକଙ୍କଠାରୁ ୧୭,୫୭୬ କୋଟି ଟଙ୍କା ଜରିମାନା ଆଦାୟ ପାଇଁ ସୁପାରିଶ କରିଥିଲେ । ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁପ୍ରିମ କୋର୍ଟର ଶତ ପ୍ରତିଶତ ଜରିମାନା ଆଦାୟ ନିର୍ଦ୍ଦେଶ ଉପରେ ତର୍ଜମା କରାଯାଇଥିଲା । ଦଣ୍ଡିତ ଖଣି ଲିଜଧାରୀମାନଙ୍କଠାରୁ ସିଇସି ସ୍ଥିର କରିଥିବା ଜରିମାନା ଆଦାୟ ପାଇଁ ସେଥିରେ ନିଷ୍ପତ୍ତି ହୋଇଛି । ୧୦ ଦିନ ମଧ୍ୟରେ ଖଣିମାଲିକଙ୍କୁ ନୋଟିସ୍ ଦିଆଯିବ ଏବଂ ଡିସେମ୍ବର ୩୧ ତାରିଖ ସୁଦ୍ଧା ସେମାନେ ୧୭, ୫୭୬ କୋଟି ଟଙ୍କା ଜରିମାନା ସରକାରଙ୍କୁ ପୈଠ କରିବେ ।
ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିଜେପି ଶିବିରକୁ ଏଇଥିପାଇଁ ଛନକା ଆଣିଛି ଯେ ରାଜ୍ୟ ରାଜକୋଷକୁ ୧୭ ହଜାର କୋଟିର ଜରିମାନା ରାଶି ଆସିଗଲେ ସେମାନଙ୍କ ଭେଳା ବୁଡ଼ିଯିବ । ସାଧାରଣ ନିର୍ବାଚନ ବେଳକୁ ଏହି ଅପ୍ରତ୍ୟାଶିତ ରାଶି ସରକାରଙ୍କ ଚାଲୁ ଉନ୍ନୟନ ପ୍ରକଳ୍ପଗୁଡ଼ିକୁ ଅଧିକ ଦୌଡାଇବା ସହ ନୂଆ ନୂଆ ଯୋଜନା ପ୍ରଣୟନର ବାଟ ଫିଟାଇଦେବ । ଭୋଟ ସମୟକୁ ରାଜ୍ୟ ସରକାର ତାଙ୍କର ଅତିରିକ୍ତ କୁବେର ଭଣ୍ଡାର ରାଜ୍ୟବାସୀଙ୍କ ଦୁଃଖବିନାଶନ କାର୍ଯ୍ୟ ପାଇଁ ଖୋଲିଦେବେ । ଯାହାକି ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା, ଭଲପାଇବା ଓ ସମର୍ଥନ ଦ୍ୱିଗୁଣିତ କରିପାରେ ବୋଲି ବିଜେପି ମୁଣ୍ଡିଆଳ ଆଶଙ୍କା କରୁଛନ୍ତି । ପେଟ୍ରୋଲ୍ ପଇସାକୁ ଭରସା କରିଥିବା ଦଳର ଦୁର୍ବଳ ସଂଗଠନ ବିଜେଡ଼ିର ସୁଦୃଢ଼ ନେତୃତ୍ୱ, ସାଂଗଠନିକ ଶକ୍ତି ଓ ସରକାରୀ ଅର୍ଥ ବ୍ୟୟର ମୁକାବିଲା କରିପାରିବ ନାହିଁ ବୋଲି ସେମାନଙ୍କର ଭୟ ।
ନିଜ ନାଁ ଗୋପନ ରଖିବା ସର୍ତ୍ତରେ ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି, ଗତ ପଞ୍ଚାୟତ ନିର୍ବାଚନରେ ଆମେ ୪/୫ ପ୍ରତିଶତ ଅଧିକ ଭୋଟ ପାଇ ଡେଉଁଛୁ । ଆଗକୁ ସାଧାରଣ ନିର୍ବାଚନ । ଖଣି ଜରିମାନା ଦେୟ ୧୭ ହଜାର କୋଟି ଛାଡ଼ନ୍ତୁ, ରାଜ୍ୟ ସରକାର ୧୦ ହଜାର କୋଟି ଆଦାୟ କରି ସେହି ଟଙ୍କାକୁ ଲୋକଙ୍କ କଲ୍ୟାଣକାରୀ ଯୋଜନାରେ ଖର୍ଚ୍ଚ କଲେ ଆମର ମୂଳ ଉଡିଯିବ । ଅନ୍ତତଃପକ୍ଷେ ନିର୍ବାଚନ ପର୍ଯ୍ୟନ୍ତ ଜରିମାନା ଆଦାୟରେ ରୋକ୍ ନ ଲଗାଇଲେ ଆମେ ହଜିଯିବୁ ବୋଲି ସେ ସ୍ୱୀକାର କରିଛନ୍ତି ।