ଭୁବନେଶ୍ୱର: ଦଳୀୟ ନେତୃତ୍ୱର ଚକ୍ରାନ୍ତକୁ ସାମନାକୁ ଆଣିଥିବା ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ସମର୍ଥନରେ ଖୋଲାଖୋଲି ବାହାରିଛନ୍ତି ତାଙ୍କର ବନ୍ଧୁ ତଥା ବିଜେପିର ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ର । ସହିବାର ସୀମା ଟପିଯାଇଥିବା ଉଭୟଙ୍କର ଅନୁଭବ ହୋଇଛି । ତେଣୁ ଆଉ କାଳବିଳମ୍ବ ନକରି ନିଷ୍ପତ୍ତି ନେଇଯିବେ । ସମ୍ଭବତଃ ବିଜେପି ଛାଡ଼ିବା ନେଇ ଦୁହେଁ ନିଷ୍ପତ୍ତି ନେବେ । ଆସନ୍ତା ଦିନେ ଦୁଇିଦିନ ଭିତରେ ଦୁଇବନ୍ଧୁ ଏକାଠି ବସି ରାଜନୈତିକ ଭବିଷ୍ୟତ ସ୍ଥିର କରିବେ ବୋଲି ଆଜି ବିଜୟ ଜଣାଇଦେଇଛନ୍ତି । ବିଜୟଙ୍କ ଏହି ବୟାନ ପରେ ବିଜେପି ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଛି ।
ଗତକାଲି ଦିଲ୍ଲୀପ ରାୟ ଗଣମାଧ୍ୟମରେ ତାଙ୍କ ମନର କଥା କହୁ କହୁ ଦଳର ଗୁମର ଖୋଲିଦେଇଥିଲେ । ତାଙ୍କ କହିବାର ସାରାଂଶ ଏୟା ଥିଲା ଯେ ରାଉରକେଲାର ଉନ୍ନତି କାର୍ଯ୍ୟ କରାଇ ବିଧାୟକ ହିସାବରେ ତାଙ୍କ ଉପରକୁ ଶ୍ରେୟ ନ ଛାଡ଼ିବାକୁ ଦଳର ଏକ ପାୱାରଫୁଲ୍ ଗୋଷ୍ଠୀ ଚାହିଁଛନ୍ତି । ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ ସୁପର୍ ସ୍ପେଶିଆଲିଟି ହସ୍ପିଟାଲ୍ ନିର୍ମାଣରେ ବିଳମ୍ବ ପଛରେ ଦଳୀୟ ନେତାଙ୍କ ଚକ୍ରାନ୍ତ ରହିଛି । ଖାଲି ସେତିକି ନୁହେଁ, ରାଉରକେଲା ଓ ସୁନ୍ଦରଗଡ଼ରେ ଗତଥର ବିଜେପି ପାଇଥିବା ଭୋଟ ଏଥର ଯେଭଳି ଖସେ ସେଥିପାଇଁ ଦଳର ଜଣେ ପାୱାରଫୁଲ୍ ନେତା ଚାହୁଁଛନ୍ତି । ଏହା ତାଙ୍କୁ ବ୍ୟତିବ୍ୟସ୍ତ କରିଥିବା ଦିଲ୍ଲୀପ ଜଣାଇଥିଲେ । ତାଙ୍କୁ ସାଇଡ୍ କରି ରାଉରକେଲାର ବିକାଶ ଚିନ୍ତା କରାଯାଉଥିବା ଅନୁଭବ କରୁଥିବାରୁ ସେ ବିଧାୟକ ପଦ ଛାଡ଼ିବେ ବୋଲି ସଙ୍କେତ ଦେଇଥିଲେ ।
ଦିଲ୍ଲୀପଙ୍କ କ୍ଷୋଭ ଓ ନିଷ୍ପତ୍ତିକୁ ଆଜି ବିଜୟ ମହାପାତ୍ର ସମର୍ଥନ କରିଛନ୍ତି । ସେ କହିଛନ୍ତି, ଦିଲ୍ଲୀପ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ସମସ୍ତଙ୍କୁ ଜଣା । ଏକଥା ସରକାର ଓ ଦଳ ଜାଣିବା କଥା । ଏବେ କିନ୍ତୁ ଆଉ ସମୟ ନାହିଁ । ରାଜନୈତିକ ନିଷ୍ପତ୍ତି ନେବାର ଅଧିକାର ସମସ୍ତଙ୍କର ରହିଛି । ଜଣେ ବିଧାୟକ ନିନ୍ଦିତ ହେବା ପରେ ନିଷ୍ପତ୍ତି ନେବାକୁ ବାଧ୍ୟ ହେବା ସ୍ୱାଭାବିକ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଦିଲ୍ଲୀପଙ୍କ ଭଳି ସମଦଶା ଭୋଗୁଥିବା ବିଜୟ କହିଛନ୍ତି, ଦୁଇ ଦିନ ଭିତରେ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଦୁହେଁ ବିଚାରବିମର୍ଷ କରିବେ ।
ଦିଲ୍ଲୀପ ଓ ବିଜୟଙ୍କ ଏଭଳିି ଆଭିମୁଖ୍ୟ ବିଜେପି ଶିବିରରେ ନିଆଁ ଲଗେଇ ଦେଇଛି । ବିଜେପି ମାହୋଲ୍ ରେ ଏକଥା ସମସ୍ତଙ୍କୁ ଜଣା ଯେ ବିଜୟ ଓ ଦିଲ୍ଲୀପଙ୍କୁ ଦଳରେ କୋଣଠେସା କରାଯିବା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ହାତ ଅଛି । ନିଜେ ବିଜୟ ଓ ଦିଲ୍ଲୀପ ସିଧାସଳଖ ନହେଲେ ବି ବୁଲେଇ ବଙ୍କେଇ ଏକଥା କହିଆସୁଛନ୍ତି । ଧର୍ମେନ୍ଦ୍ର ନିଜର ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଧରି ରାଜ୍ୟ ବିଜେପିକୁ ପରିଚାଳନା କରୁଛନ୍ତି । ଦଳର ବରିଷ୍ଠ ନେତାଙ୍କୁ ପଚାରୁନାହାନ୍ତି କି ତୃଣମୂଳ ସଂଗଠନକୁ ସଜାଡୁନାହାନ୍ତି । ଧର୍ମେନ୍ଦ୍ରଙ୍କ ପ୍ରାର୍ଦୁଭାବରେ ରାଜ୍ୟ ବିଜେପି ଶକ୍ତିଶାଳୀ ହେବା ପରିବର୍ତ୍ତେ ତଳିତଳାନ୍ତ ହୋଇଗଲାଣି ବୋଲି ସେମାନଙ୍କର ବିଶ୍ୱାସ । ତେଣୁ ବିଜୟ ଓ ଦିଲ୍ଲୀପ ଦଳ ଛାଡ଼ିଦେଲେ ଧର୍ମେନ୍ଦ୍ରଙ୍କ ବିରୋଧରେ ବିଦ୍ରୋହର ମଂଜି ପଡ଼ିବ ବୋଲି ଚର୍ଚ୍ଚା ହେଉଛି । ଆଗକୁ ବିଜେପି ପାଇଁ ଏହା ଭୀଷଣ ମହଙ୍ଗା ପଡ଼ିପାରେ ବୋଲି କୁହାଯାଉଛି ।
ଆସନ୍ତାକାଲି ଅପରାଜିତା ଷଡ଼ଙ୍ଗୀଙ୍କ ବିଜେପିରେ ମିଶିବାକୁ ନେଇ ଦଳରେ ଉତ୍ସୁକତା ସୃଷ୍ଟି ହୋଇଥିବା ବେଳେ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କ ଭଳି ଦୁଇ ବରିଷ୍ଠ ନେତା ଦଳ ପ୍ରତି ବିମୁଖ ହୋଇ ବିକଳ୍ପ ଚିନ୍ତା କରିବା ଅନେକ ବିଜେପି ପ୍ରେମୀଙ୍କୁ ନିରୁତ୍ସାହିତ କରିଛି । ସେପଟେ ଦୁହିଁଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ସାଧାରଣରେ ଉତ୍କଣ୍ଠା ସୃଷ୍ଟି ହୋଇଛି । ସେମାନେ ବିଜେଡ଼ିରେ ମିଶୁଥିବା ଚର୍ଚ୍ଚା ହେଉଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଛି ।