• ନାରାୟଣ ସାହୁ ଯୋଗ୍ୟ ପ୍ରାର୍ଥୀ: ସୁରେଶ ପୂଜାରୀ
• ଅଶୋକଙ୍କ ପ୍ରାର୍ଥୀତ୍ୱ ବିରୋଧରେ ନାରାୟଣ ଅଟଳ
• ଜିଲ୍ଲା ସଭାପତି ପଦରୁ ଅବ୍ୟାହତି ଲୋଡିଲେ
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ଅଶୋକ ପାଣିଗ୍ରାହୀଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ୱ ବିଜେପିରେ ବିଦ୍ରୋହ ସୃଷ୍ଟି କରିଛି । ବିଜେପିରେ ଅଶୋକଙ୍କ ମିଶ୍ରଣ ପର୍ବକୁ ଜିଲ୍ଲା ସଭାପତି ନାରାୟଣ ସାହୁ ବୟକଟ୍ କରିବା ଦଳୀୟ ଅସନ୍ତୋଷ ଓ କନ୍ଦଳକୁ ପଦାରେ ପକାଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଫତଦାରରେ ବିଜେପିରେ ମିଶିଥିବା ଅଶୋକଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ୱକୁ ଜିଲ୍ଲାର ଅଧିକାଂଶ ବିଜେପି କର୍ମୀ ଗ୍ରହଣ କରିପାରୁନାହାନ୍ତି । ଦଳୀୟ ମହଲରେ ଏହା ନିଆଁ ଜାଳୁଥିବା ବେଳେ ପଶ୍ଚିମ ଓଡ଼ିଶାର ବିଜେପି ଷ୍ଟଲୱର୍ଟ ତଥା ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଏହି ନିଆଁରେ ଘିଅ ଢ଼ାଳିଛନ୍ତି । ବିଜେପୁରରେ ନାରାୟଣଙ୍କ ପ୍ରାର୍ଥୀତ୍ୱ ସପକ୍ଷରେ ସେ ଖୋଲାଖୋଲି ବାହାରିଛନ୍ତି ।
ଆଜି ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଶ୍ରୀ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ନାରାୟଣ ସାହୁ ଦଳର ଜଣେ ସମର୍ପିତ ଓ ଶୃଙ୍ଖଳିତ ସଦସ୍ୟ । ଦୀର୍ଘ ୨୫ ବର୍ଷ ଧରି ସେ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି । ବିଜେପୁର ପାଇଁ ସେ ଯୋଗ୍ୟ ପ୍ରାର୍ଥୀ । ତେବେ ବିଜେପି ଏ ପର୍ଯ୍ୟନ୍ତ ସେଠାରେ ପ୍ରାର୍ଥୀ ଚୂଡାନ୍ତ କରିନି । ଦଳର କୋର୍ କମିଟି ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।
ବରଗଡ଼ ଜିଲ୍ଲାର ବିଜେପି ମେରୁଦଣ୍ଡ କୁହାଯାଉଥିବା ସୁବାସ ଚୌହାନ ମୂଳରୁ କଟର୍ ଧର୍ମେନ୍ଦ ବିରୋଧୀ । ଦଳୀୟ ଶୃଙ୍ଖଳାକୁ ଗୁରୁତ୍ୱ ଦେଇ ଗତକାଲି ବରପାଲ୍ଲୀରେ ଅଶୋକ ପାଣିଗ୍ରାହୀଙ୍କ ମିଶ୍ରଣ ପର୍ବରେ ସେ ଉପସ୍ଥିତ ଥିଲେ ମଧ୍ୟ ମନ କିନ୍ତୁ ତାଙ୍କର ନାରାୟଣଙ୍କ ପଛରେ । ଅଶୋକଙ୍କ ପ୍ରାର୍ଥୀତ୍ୱକୁ ସେ କୌଣସି ହାଲତରେ ସମର୍ଥନ କରିବେ ନାହିଁ ବୋଲି ସୁବାସଙ୍କର ଜଣେ ଖାସ୍ ଅନୁଗତ କହିଛନ୍ତି । ଖାଲି ସୁବାସ ନୁହଁନ୍ତି, ଦଳର ଅନେକ ବରିଷ୍ଠ ନେତା ନାରାୟଣଙ୍କ ସପକ୍ଷରେ ଯୁକ୍ତି ରଖିଛନ୍ତି । ଦଳରେ ନାରାୟଣ ଜଣେ ନିଷ୍ଠାପର କର୍ମୀ ଏବଂ ତାଙ୍କ ଭଳି କର୍ମୀଙ୍କୁ ବଳି ପକାଇ ଘରଡିଆଁଙ୍କୁ କୋଳେଇଲେ ସ୍ୱଂୟ ଭଗବାନ ଆମକୁ ସହିବେ ନାହିଁ ବୋଲି ସେମାନେ କହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କି ଜୁଏଲ୍ ଓରାମ ଗତକାଲି ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ମିଶାଇଥିଲେ ମଧ୍ୟ ବିଜେପୁରରୁ ତାଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ଚୁପ୍ ରହିଛନ୍ତି । ଦଳରେ ଦେଖାଦେଇଥିବା ବିଦ୍ରୋହ ଧର୍ମେନ୍ଦ୍ରଙ୍କ ଚିନ୍ତା ବଢ଼ାଇ ଦେଇଛି । ଏତିକିବେଳେ ସୁରେଶ ପୂଜାରୀଙ୍କ ବୟାନ ତାଙ୍କ ପାଇଁ ବେଶୀ ଅଡୁଆ ସୃଷ୍ଟି କରିଛି ।
ସେପଟେ ବିଜେପୁରରେ ଦଳୀୟ କର୍ମୀଙ୍କଠାରୁ ସହାନୁଭୂତି ପାଉଛନ୍ତି ନାରାୟଣ । ତାଙ୍କ ସପକ୍ଷରେ ଏକ ଅନୁକମ୍ପାର ମାହୋଲ ସୃଷ୍ଟି ହୋଇଛି । ଏତିକିବେଳେ ଜିଲ୍ଲା ସଭାପତି ପଦରୁ ଅବ୍ୟାହତି ନେବାକୁ ଚାହିଁଛନ୍ତି ନାରାୟଣ । ରାଜ୍ୟ ସଭାପତିଙ୍କୁ ସେ ଏହା ଚିଠି ଲେଖି ଜଣାଇଛନ୍ତି । ଅଶୋକ ପାଣିଗ୍ରାହୀଙ୍କୁ ବିଜେପିରେ ସେ ବିରୋଧ କରୁନାହାନ୍ତି । ମାତ୍ର ତାଙ୍କର ପ୍ରାର୍ଥୀତ୍ୱକୁ ସେ ଗ୍ରହଣ କରିପାରିବେ ନାହିଁ ବୋଲି ପୁଣି ଥରେ ଜଣାଇ ଦେଇଛନ୍ତି ।