ଭୁବନେଶ୍ୱର: କୋଲକତାରେ ବେଶ୍ୟାଳୟ ଯାଇ ଗିରଫ ହେବା ନବୀନ ନନ୍ଦଙ୍କୁ ଭୀଷଣ ମହଙ୍ଗା ପଡ଼ିଛି । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ନବୀନ ନନ୍ଦଙ୍କ ନିନ୍ଦନୀୟ ଆଚରଣ ସମ୍ପର୍କରେ ମିଳିଥିବା ତଥ୍ୟ ଆଧାରରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା କୁହାଯାଇଛି । ସୂଚନାଯୋଗ୍ୟ, ଦୁଇ ଦୁଇ ଥର ବିଧାୟକ ଥିବା ନବୀନ ନନ୍ଦଙ୍କର ବିଜେଡ଼ି ଖାତାରେ ନାଁ ଗଡୁଥିଲେ ମଧ୍ୟ ଗତ କିଛି ମାସ ଧରି ସେ ବିଜେଡ଼ି ବିରୋଧୀ ପାଲଟି ଯାଇଥିଲେ । ବୈଜୟନ୍ତ ପଣ୍ଡାଙ୍କୁ ସମର୍ଥନ କରି ବିଜେଡ଼ି ବିରୋଧୀ ହାୱାରେ ମାତିଥିଲେ । ଯେ କୌଣସି ମୁହୁର୍ତ୍ତରେ ସେ ବିଜେପିରେ ମିଶିପାରନ୍ତି ବୋଲି କୁହାଯାଉଥିଲା । ଏବେ ଏମିତି କଳଙ୍କିତ ହେଲେ ଯେ ନା ସେ ବିଜେଡ଼ିର ହୋଇ ରହିଲେ ନା ବିଜେପିକୁ ଯାଇପାରିବେ ।
ଇତିମଧ୍ୟରେ ନବୀନ ନନ୍ଦଙ୍କ ମାମଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ‘ମିଡ଼ ଡ଼େ ଓଡ଼ିଶା’ରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଲା ପରେ ତାହା ଭାଇରାଲ୍ ହୋଇଯାଇଛି । ଜଣେ ପୂର୍ବତନ ବିଧାୟକଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଲଜ୍ଜିତ କରିଛି । ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳର ନେତାମାନେ ଏହାକୁ ନିନ୍ଦା କରିଛନ୍ତି ।






