ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ରୋଶର ଶିକାର ହୋଇ କାନ୍ଦି କାନ୍ଦି ବିଜେପି ଛାଡ଼ିଥିବା ଟାଣୁଆ ନେତା ସୁବାସ ଚୈାହାନ୍ ଆଜି ବିଜେଡ଼ିରେ ଯୋଗଦେଇଛନ୍ତି । ନବୀନ ନିବାସରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରେ ଗ୍ରହଣ କରି ସ୍ୱାଗତ କରିଛନ୍ତି । ସୁବାସଙ୍କ ଯୋଗଦାନ ବିଜେଡ଼ିକୁ ଅଧିକ ମଜବୁତ କରିବ ବୋଲି ନବୀନ କହିଛନ୍ତି ।
ସେପଟେ ସୁବାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ନବୀନ ବାବୁଙ୍କ କାର୍ଯ୍ୟଧାରା ଓ ବ୍ୟକ୍ତିତ୍ୱ ତାଙ୍କୁ ପ୍ରଭାବିତ କରିଥିବାରୁ ସେ ବିଜେଡ଼ିରେ ଯୋଗଦେଇଛନ୍ତି । ନବୀନଙ୍କୁ ସେ ଯୁଧିଷ୍ଠିରଙ୍କ ସହ ତୁଳନା କରିଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦୁର୍ଯୋଧନ ଆଖ୍ୟା ଦେଇଛନ୍ତି । ଅହଂକାରର ବିନାଶ ହେବ ବୋଲି କହିଛନ୍ତି ସୁବାସ ।
ଦୀର୍ଘ ୪୦ ବର୍ଷ ଧରି ସଂଘ ପରିବାର ଓ ବିଜେପି ସହ ସଂପୃକ୍ତ ସୁବାସ ଜଣେ ଟାଣୁଆ ନେତାଭାବେ ବେଶ୍ ଜଣାଶୁଣା । ଗତଥର ବରଗଡ଼ରୁ ସେ କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ମଧ୍ୟ ବିଜେପି ଲୋକସଭା ପ୍ରାର୍ଥୀମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଜନସମର୍ଥନ ପାଇଥିଲେ । ବରଗଡ଼ ଲୋକସଭା ଅଞ୍ଚଳରେ ୫ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରି ଟିକେଟ ପାଇଁ ଏଥର ବି ନିଜକୁ ହକଦାର କରିଥିଲେ ମଧ୍ୟ ଟିକେଟ ମିଳିଲାନି ।
ସୁବାସଙ୍କ ଟିକେଟ କଟିବା ପଛର ଖଳନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି କୁହାଯାଉଛି । ଟିକେଟ ନ ପାଇବା ସୁବାସଙ୍କୁ ଅପମାନିତ ଓ ମାନସିକ ଯନ୍ତ୍ରଣା ଦେଇଥିଲା । ଗତକାଲି ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେଲାବେଳେ କାନ୍ଦି ପକାଇଥିଲେ । ବିଜେପି ଏକ ନିର୍ଦ୍ଦିଷ୍ଟ ଲୋକର ଜାଗିରି ଅଟେ । ତାକୁ ସୁରକ୍ଷା ଦେବା ପାଇଁ ସମ୍ପୂର୍ଣ୍ଣ ସଂଘ ପରିବାରକୁ ଉପଯୋଗ କରାଯାଉଛି ବୋଲି ସୁବାସ ତାଙ୍କ ଇସ୍ତଫାପତ୍ରରେ ନିଜର କ୍ଷୋଭ ଜଣାଇଥିଲେ ।
ଶୁଣାଯାଉଛି ପ୍ରବିଣ ତୋଗାଡିଆଙ୍କ ସହ ଘନିଷ୍ଠତା ପାଇଁ ଟିକେଟ କଟିଲା,
ମୋଦି(TM) ବିପକ୍ଷରେ ତୋଗଡିଆ(TM),