ଭୁବନେଶ୍ୱର(ମିଡ-ଡେ ଓଡ଼ିଶା) ସାଧାରଣ ସରକାରୀ ଚାକିରିଆ ଜଣେ ନ୍ୟାଯ୍ୟ ବଦଳିଟିଏ ପାଇଁ କିଭଳି ହୀନସ୍ତା ହେବାକୁ ପଡ଼େ ତାହା ଅଙ୍ଗେଲିଭା ଲୋକ ଜାଣେ । ହାକିମଙ୍କ ପାଖକୁ ଦଉଡ଼ି ଦଉଡ଼ି କାକୁତୀମିନତୀ ହେଲେ ବି କେହି ଶୁଣନ୍ତିନି । ମାତ୍ର ଆମ ସଚିବାଳୟର ବଡ଼ବାବୁମାନଙ୍କ ପାଇଁ ଏହା ବାଏଁ ହାତକା ଖେଲ୍ । ୧୦/୧୫ ବର୍ଷ ଗୋଟିଏ ବିଭାଗରେ ରହି ପ୍ରମୋସନ ସହ ବଦଳି ହୋଇଥିଲେ ବି ମାତ୍ର ଦୁଇମାସ ଲାଗୁନି ପୁରୁଣା ଜାଗା ଫେରିବାକୁ । ସତେ ଯେମିତି ସରକାରଙ୍କ ସେମାନେ କୋଠପୁଅ ।
ଗତ ନଭେମ୍ବର ୪ ତାରିଖରେ ଗୃହ ବିଭାଗ ପକ୍ଷରୁ ଏକ ବଦଳି ଅର୍ଡର ବାହାରିଥିଲା । ଅର୍ଡର ନମ୍ବର ଥିଲା ୩୭୧୮୧ । ସେଥିରେ ୮୬ ଜଣ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସରଙ୍କର ପଦୋନ୍ନତି ହୋଇଥିଲା ସେକ୍ସନ୍ ଅଫିସରକୁ । ପଦୋନ୍ନତି ସହ ସେମାନଙ୍କର ଆନ୍ତଃ ବିଭାଗ ବଦଳି ହୋଇଥିଲା । ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ଭାବେ ଅଧିକାଂଶ ଗୋଟେ ଗୋଟେ ବିଭାଗରେ ୧୦ ରୁ ୧୫ ବର୍ଷ ଧରି ଆସ୍ଥାନ ଜମାଇ ରହିଥିଲେ । ବିଭାଗରେ ମାଲ୍ କମେଇବାର ଚାତୁରତାକୁ ହାତେଇ ରଖିଥିଲେ । ତେଣୁ ପ୍ରମୋସନ୍ ନେଇ ବଦଳି ହେବା ଅପେକ୍ଷା ବିଭାଗରେ ସେଇ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ହୋଇ ରହିିବାକୁ ଚାହୁଁଥିଲେ । ଅବଶ୍ୟ ଅନେକ ଚାହୁଁଥିଲେ ପ୍ରମୋସନ୍ ହେଉ, ହେଲେ ସେଇ ପୁରୁଣା ବିଭାଗ ରହୁ । ଏହି ଉଦ୍ୟମରେ ସଂପୃକ୍ତ ଅଧିକାଂଶ ବାବୁ ପୁରୁଣା ଜାଗା ଛାଡ଼ି ନୂଆ ଜାଗାରେ ଏ ଯାଏଁ ବି ଜଏନ୍ କରୁନାହାନ୍ତି । ଅର୍ଥ ବିଭାଗର କୋ÷ଣସି ବାବୁ ସିଟ୍ ଛାଡି ନ ଥିଲା ବେଳେ ଦୁଧିଆଳି ବିଭାଗର ବାବୁମାନେ ବି କୌଣସି ହାଲତ୍ ରେ ସିଟ୍ ଛାଡ଼ିବାକୁ ନାରାଜ । ସେପଟେ ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ମିଟିଂର କଡ଼ା ନିଷ୍ପତି ବଦଳି କର୍ମଚାରୀମାନେ ଅବିଳମ୍ବେ ସେମାନଙ୍କ ନୂଆ ଜାଗାରେ ଜଏନ୍ କରିବାକୁ ବାଧ୍ୟ । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ଏହାକୁ କାର୍ଯ୍ୟକାରୀ କରିବାରେ ସତେ ଯେମିତି ନାଚାର ।
ଏହା ଭିତରେ ଆଉ ଏକ ଚମକପ୍ରଦ ଖବରଟି ହେଲା, ପ୍ରମୋସନ୍ ନେଇ ବଦଳି ହୋଇଥିବା କିଛି କରିତ୍କର୍ମା ବାବୁ ସେମାନଙ୍କ ଉଦ୍ୟମରେ ସଫଳ ହୋଇଛନ୍ତି । ଦୁଇମାସ ତଳେ ଯେଉଁ ଗୃହ ବିଭାଗ ସେମାନଙ୍କୁ ବଦଳି କରିଥିଲା ସେଇ ବିଭାଗ ଗତ ଜାନୁଆରୀ ୮ ତାରିଖରେ ଆଉ ଏକ ଅର୍ଡର(ନଂ ୧୦୨୧) ଜାରି କରି ୪ ଜଣଙ୍କୁ ସେମାନଙ୍କ ପୁରୁଣା ଜାଗାରେ କାମ କରିବାକୁ ନିଦେ୍ର୍ଧଶ ଦେଇଛି । ଅର୍ଥାତ୍ ପ୍ରମୋସନ୍କୁ ପ୍ରମୋସନ୍ ପାଇଲେ ଆଉ ପୁରୁଣା ଜାଗାରେ କାମ କରିବେ । ସେମାନେ ହେଲେ ସରୋଜ କୁମାର ବିଶ୍ୱାଳ(ଗୃହ ବିଭାଗ), ବିଚିତ୍ରାନନ୍ଦ ପୃଷ୍ଟି(ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା), ସୂର୍ଯ୍ୟନାରାୟଣ କର(ବାଣିଜ୍ୟ ଓ ପରିବହନ) ଏବଂ ଅନନ୍ତ କିଶୋର ମାଝୀ(ଅବକାରୀ) । ଏହି ପୁର୍ନବିଚାର ଅର୍ଡର ପାଇଲା ପରେ ବର୍ତ୍ତମାନ ସମସ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି । ପ୍ରଭାବ ଓ ମାଲ୍ ଖଟେଇ ଆଗକୁ ସେମାନେ ବି ଏଥିରେ ସଫଳ ହେବେ ଏବଂ ମଞ୍ଜି ପୋତିଥିବା ବିଭାଗରୁ ହଲିବେ ନାହିଁ ବୋଲି ଧରିନେଇଛନ୍ତି । ସେଥିପାଇଁ ଅଫିସ୍ କାମଦାମ ଛାଡ଼ି ଅଧିକାଂଶ ହାକିମଙ୍କ ପାଖରେ ବାଜି ଲଗାଇଛନ୍ତି ।