ଭୁବନେଶ୍ୱର: କୋଭିଡ୍ ଯୋଦ୍ଧାଙ୍କୁ ନୈତିକ ସମର୍ଥନ ଦେଇ ସେମାନଙ୍କ ମନୋବଳ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବନ୍ଦେ ଉତ୍କଳ ଜନନୀ’ ଗାନର ଆହ୍ୱାନ ଦେଇଛନ୍ତି । ଆସନ୍ତା ୩୦ ତାରିଖ ସଂଧ୍ୟା ସାଢ଼େ ୫ଟାରେ ସମସ୍ତେ ଏହା ଗାନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିବା ବେଳେ ଏଥିପାଇଁ ସମସ୍ତ ରାଜନୈତିକ ଦଳର ସମର୍ଥନ ମାଗିଛନ୍ତି । ମୁଖ୍ୟମନ୍ତ୍ରୀ ଜଣ ଜଣ କରି ସବୁ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହ କଥା ହୋଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ସିପିଏମ୍ ନେତା ଅଳି ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆଜି ସଂଧ୍ୟାରେ ଟେଲିଫୋନ୍ କରି କଥା ହୋଇଥିଲେ । କୋଭିଡ୍ ଯୋଦ୍ଧାଙ୍କ ନୈତିକ ମନୋବଳ ବଢ଼ାଇବାକୁ ସେ ସମସ୍ତଙ୍କର ସମର୍ଥନ ମାଗିଥିଲେ । ପ୍ରତିଟି ଓଡ଼ିଆ ଶନିବାର ସଂଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇ ସେମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଅପିଲ୍ କରିଥିଲେ ।
ଶିକ୍ଷକ, ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥା ହେଲେ: କରୋନା ଯୁଦ୍ଧରେ ସାମିଲ ହୋଇ ନିଜେ ସଂକ୍ରମିତ ହୋଇଥିବା ରାଜ୍ୟର ଶିକ୍ଷକ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଟେଲିଫୋନ୍ ଯୋଗେ କଥା ହୋଇଥିଲେ । ସେମାନଙ୍କର ସାହାସ ଏବଂ ସମାଜ ପ୍ରତି ଉତ୍ସର୍ଗୀକୃତ ସେବାର ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଆପଣମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଥିଲେ ।