ଭୁବନେଶ୍ୱର: ଯୋଜନାବୋର୍ଡ ଉପାଧ୍ୟକ୍ଷ ପଦରୁ ହଟିବେ ବିଷ୍ଣୁ ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍ ଶୀଘ୍ର ତାଙ୍କୁ ବିଦା କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ବିଷ୍ଣୁଙ୍କ ହାବଭାବ, କଥା, କାର୍ଯ୍ୟଶୈଳୀ ମୁଖ୍ୟମନ୍ତ୍ରୀଙ୍କୁ ବିରକ୍ତ କରିଛି । ତାଙ୍କ ହାତରୁ ପଦପଦବୀ କାଢ଼ି ପକ୍ଷଚ୍ଛେଦନ କରିବାକୁ ମୁଖ୍ୟମନ୍ତ୍ରୀ ଏକରକମ ମନସ୍ଥ କରିଥିବା ଏହି ସୂତ୍ରରୁ ଜଣାପଡ଼ିଛି । ଗତକାଲି ନବୀନ ନିବାସରେ ବିଷ୍ଣୁଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ଭୀଷଣ ଚିଡ଼ିଯାଇଥିଲେ । ବିଷ୍ଣୁଙ୍କ ଉପରେ ତାଙ୍କ ମନର କ୍ରୋଧ ଟିଭି କ୍ୟାମେରାକୁ ମାନି ନ ଥିଲା । ରାଗ ଏତେ ଭୟଙ୍କର ଥିଲା ଯେ ବିଷ୍ଣୁଙ୍କ ଦେହରୁ ଝାଳ ବୁହାଇ ଦେଇଥିଲା । ବିଷ୍ଣୁ ବାହାରକୁ ଆସି ସାମ୍ବାଦିକମାନଙ୍କ ଘେରିରେ ପଡ଼ିଲା ବେଳେ ପାଟି ତାଙ୍କର ଖନି ମାରିଥିଲା ।
ବିଷ୍ଣୁଙ୍କ ରାଜନୈତିକ କାର୍ଯ୍ୟକଳାପରେ ମୁଖ୍ୟମନ୍ତ୍ରୀ ଆଦୌ ସନ୍ତୁଷ୍ଟ ନାହାନ୍ତି । ଦାମଙ୍କ ସହ କଳିଝଗଡ଼ା ନ କରିବାକୁ ତାଙ୍କୁ ବାରମ୍ବାର ତାଗିଦ୍ କରାଯାଉଥିଲେ ମଧ୍ୟ ସେ ତାହାକୁ ଭୃକ୍ଷେପ କରୁନାହାନ୍ତି । ଦଳର ଜିଲ୍ଲା ସଭାପତି ହୋଇଥିଲେ ମଧ୍ୟ ଜଗତସିଂହପୁରରେ ଦଳୀୟ ବିଧାୟକମାନଙ୍କ ସହ ତାଙ୍କର ତାଳମେଳ ନାହିଁ । ଦଳକୁ ଏକାଠି କରି ଚାଲିବା ବଦଳରେ ଗୋଛିକଟା ରାଜନୀତିରେ ତାଙ୍କର ସମୟ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନଜରକୁ ସବୁକଥା ଯେ ଆସୁନାହିଁ ତାହା ଭୁଲ୍ । ପାରାଦ୍ୱୀପରେ କଳିଙ୍ଗ ବାଲିଯାତ୍ରା ଉତ୍ସବରୁ ତାଙ୍କୁ ଦୂରେଇ ରଖିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା ବୋଲି ଜଣାପଡ଼ିଛି ।
ବିଷ୍ଣୁଙ୍କ ରାଜନୈତିକ ଆଚରଣ ନେଇ ଖପ୍ପା ଥିବା ମୁଖ୍ୟମନ୍ତ୍ରୀଙ୍କୁ ବେଶୀ ରଗାଇଛି ତାଙ୍କ କୁନ୍ଦୁଲି ବୟାନ । ବିଜେଡ଼ି ଦଳିତ ସେଲ୍ ମୁଖ୍ୟ ହୋଇ ବିଷ୍ଣୁ କୁନ୍ଦୁଲି ଘଟଣା ଉପରେ ଯେଭଳି ବୟାନ ଦେଲେ ତାହା ଦଳକୁ ଅଡୁଆରେ ପକାଇଛି । ବିଷ୍ଣୁ କହିଥିଲେ, କୁନ୍ଦୁଲି ଘଟଣାେରେ ଏସଓଜି ଜବାନଙ୍କ ସଂପୃକ୍ତି ଅଛି । ଖାଲି ସେତିକି ନୁହେଁ, କୋରାପୁଟ ଏସପି ଓ ସ୍ଥାନୀୟ ପୁଲିସ ଉପରୁ ଗଣମାଧ୍ୟମ ଆଗରେ ସେ ବିଶ୍ୱାସ ହରାଇଥିଲେ । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଥିଲେ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତାଙ୍କ ମନର ଭାବକୁ ସେ ବ୍ୟକ୍ତ କରିଥିଲେ ମଧ୍ୟ ଦଳ ଓ ସରକାରକୁ ତାହା ଅକଳରେ ପକାଇଛି । ଗୃହ ବିଭାଗ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବାରୁ ବିଷ୍ଣୁ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିବା ଦଳ ମଧ୍ୟରେ ଧାରଣା ସୃଷ୍ଟି ହୋଇଛି । ଅଭିଜ୍ଞ ବିଷ୍ଣୁ ଦଳୀୟ ହିତାହିତ ଜ୍ଞାନ ଭୁଲି ମୁଖ୍ୟମନ୍ତ୍ରୀଙ୍କ ପାଖରେ କୁନ୍ଦୁଲି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ଧରିବା ତାଙ୍କ ପାଇଁ ବିପଦ ଘନେଇଛି ।
ଏକଦା ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଏକାନ୍ତ ଅନୁଗତ ଥିଲେ ବିଷ୍ଣୁ । ପ୍ୟାରୀଙ୍କ ଆର୍ଶିବାଦରେ ସେ ନିଜ ରାଜନୈତିକ ସୋପାନର ଶୀର୍ଷକୁ ଛୁଇଁଥିଲେ । ପରବର୍ତ୍ତୀ ସମୟରେ ନବୀନଙ୍କ ଆର୍ଶିବାଦରୁ ମଧ୍ୟ ସେ ବଂଚିତ ହୋଇନାହାନ୍ତି । ଜୁନ୍,୨୦୧୬ରେ ନବୀନ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ । ୨୦୧୭ ମାର୍ଚ୍ଚରେ ତାଙ୍କୁ ରାଜ୍ୟସଭାରୁ ଅକାଳେ ଅପସାରଣ କରାଯାଇଥିଲେ ମଧ୍ୟ ନବୀନ ତାଙ୍କୁ ଯୋଜନାବୋର୍ଡର ଉପାଧ୍ୟକ୍ଷ ଏବଂ ବିଜେଡ଼ି ଦଳିତ ସେଲ୍ ର ଆବାହକ ପଦରେ ଥଇଥାନ କରି ସନ୍ତୁଷ୍ଟ କରାଇଥିଲେ । ହେଲେ ନବୀନଙ୍କ ଭଲପାଇବାର ଟେକ ବିଷ୍ଣୁ ରଖିପାରିନାହାନ୍ତି ବୋଲି ବିଜେଡ଼ିର ଜଣେ ବରିଷ୍ଠ ନେତା କହିଛନ୍ତି । ଯେ କୌଣସି ସମୟରେ ତାଙ୍କ ହାତରୁ ପଦପଦବୀ କାଢ଼ି ନିିଆଗଲେ ସେଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ସେ କହିଛନ୍ତି ।