ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଡାକ୍ତର ମୋତିଲାଲ ଗୌଡ଼ଙ୍କ ଘନିଷ୍ଠ ସହଯୋଗୀ ଭାବେ କେବଳ ହାପି କରଙ୍କଠାରେ ଅଟକି ଯାଇଛନ୍ତି ଦକ୍ଷ ତଦନ୍ତକାରୀ ସଂସ୍ଥା । ହାପିଙ୍କ ସହ ମୋତିଲାଲଙ୍କ ମନି ଟ୍ରେଲ୍ର ସନ୍ଧାନ ନ ପାଇ କ୍ରାଇମବ୍ରାଂଚ ତାଙ୍କର ଅନ୍ୟାନ୍ୟ କାରବାରର ଝାନଭିନ୍ କରଥିବା ବେଳେ ଭିଜିଲାନସ୍ ତାଙ୍କ ଘରଦ୍ୱାର, ସମ୍ପତିବାଡ଼ି ରେଡ୍ କରିଛି । ତେବେ ମୋତିଲାଲଙ୍କ ଅନ୍ୟ ଘନିଷ୍ଠ ପ୍ରଭାବଶାଳୀ ସହଯୋଗୀଙ୍କ ସମ୍ପର୍କରେ ତଦନ୍ତକାରୀ ସଂସ୍ଥା ନିରବ ରହିବା ସମସ୍ତଙ୍କୁ ବିସ୍ମିତ କରିଛି ।
ମୋତିଲାଲଙ୍କ ସହ ହାପି କରଙ୍କର ଯେତିକି ସମ୍ପର୍କ ତାହାଠାରୁ ଅଧିକ ଦୁଇପାଦର ସମ୍ପର୍କ ହେଉଛି ଛାତ୍ର ବିଜେଡ଼ି ସଭାପତି ତଥା ବିଧାୟକ ବ୍ୟୋମକେଶ ଓରଫ୍ ବାପି ରାୟ ଓ ଉପସଭାପତି ରାକେଶ ଓରଫ୍ ବାପି ରାମଙ୍କର । ମୋତିଲାଲଙ୍କ ପ୍ରତ୍ୟେକ କାରବାରରେ ଏହି ଦୁଇ ପାୱାରଫୁଲ୍ ଯୁବବନ୍ଧୁଙ୍କର ସାହାଯ୍ୟ ଓ ସହଯୋଗ ଥିବା କୁହାଯାଉଛି । ମୋତିଲାଲଙ୍କୁ ନେଇ ବିଭିନ୍ନ ସମୟରେ ରାଜ୍ୟ ଭିତର ଓ ବାହାରକୁ ଯାଇ ଗମାତ୍ କରିବା ଗ୍ୟାଙ୍ଗ୍ ରେ ଦୁଇ ବାପି ହେଉଛନ୍ତି ମୁଖ୍ୟ କାର୍ପଟଦାର । ମୋତିଲାଲ ଗୌଡ଼ ହୁଅନ୍ତୁ କି ହାପି କର ହୁଅନ୍ତୁ, ସେମାନଙ୍କ ପ୍ରଭାବଶାଳୀ ଲିଙ୍କ୍ ପଛରେ ଏହି ବି-ଟୁଙ୍କ ପ୍ରମୁଖ ଭୂମିକା ସମ୍ପର୍କରେ କ୍ରାଇମବ୍ରାଂଚ ଯଥେଷ୍ଟ ତଥ୍ୟ ହାସଲ କରିଛି ।
ଖାସ୍ କରି ମୋତିଲାଲଙ୍କୁ ବିଭିନ୍ନ ମନ୍ତ୍ରୀଙ୍କ ସହ କନେକ୍ସନ୍ କରାଇବାରେ ସେମାନେ ହିଁ ଥିଲେ ମୁଖ୍ୟ ସୂତ୍ରଧର । ବିଧାୟକ ପ୍ରଣବ ବଳବନ୍ତରାୟ, ଅନୁଭବ ପଟ୍ଟନାୟକ, ଡାକ୍ତର ପ୍ରିୟାଂଶୁ ପ୍ରଧାନ ପ୍ରମୁଖଙ୍କର ମଧ୍ୟ ଏହି କାର୍ଯ୍ୟରେ ଫଳେ ପୁଷ୍ପେ ଭୂମିକା ଥିବା କୁହାଯାଉଛି । ଏଥିପାଇଁ ବିଭିନ୍ନ ସମୟରେ ସେମାନଙ୍କୁ ଗିଫ୍ଟ ଆକାରରେ ମିଳୁଥିଲା ନାମୀ ବ୍ରାଣ୍ଡର ୱାଚ୍, ମୋବାଇଲ୍, ସୁନା ଚେନ୍ ଏବଂ ଟ୍ରାଭଲ୍ ଟି୍ପସ୍ । ମୋତିଲାଲଙ୍କୁ ଚନ୍ଦେଇ ଏହି ଗୋଷ୍ଠୀ ରାଜ୍ୟ ବାହାରେ କରୁଥିଲେ ମନୋରଂଜନ । ତେବେ ସେ ଯାହା ହେଉ, ମୋତିଲାଲଙ୍କ ତଥାକଥିତ ଜାଲିଆତି କାରବାରରେ ଦୁଇ ବାପିଙ୍କ ଭୂମିକା ସନେ୍ଦହ କରାଯାଉଥିଲେ ମଧ୍ୟ ଏ ଯାଏଁ ସେମାନଙ୍କ ଆଡକୁ ତଦନ୍ତ ନ ଗଡ଼ାଇବା ଖାସ୍ କରି କ୍ରାଇମବ୍ରାଂଚର ନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।
ଉଲ୍ଲେଖଯୋଗ୍ୟ, ମନ୍ତ୍ରୀ ଅରୁଣ ସାହୁଙ୍କ ପଟ୍ଟଶିଷ୍ୟ ବାପି ରାୟ କମ୍ ଦିନରେ ରାଜନୀତିର ଶିଖର ଛୁଇଁ ନିଜକୁ ପାୱାରଫୁଲ୍ ବନେଇ ଦେଇଛନ୍ତି । କଟକରେ ଛାତ୍ର ରାଜନୀତି କରିବା ବେଳୁ ଦୁର୍ଦ୍ଦାନ୍ତ ଧଳ ସାମନ୍ତ ବ୍ରଦର୍ସଙ୍କ ସହ ତାଙ୍କର ଲିଙ୍କ୍ ଥିବା ଅଭିଯୋଗ ରହିଛି । ଧଳ ସାମନ୍ତ ଲିଙ୍କ୍ ଅଭିଯୁକ୍ତ ବିଜେଡ଼ି କର୍ପୋରେଟର ତଥା କଟକ ଡେପୁଟି ମେୟର ଅଜୟ ବାରିକଙ୍କ ବଦାନ୍ୟରୁ ଏକ ସ୍କର୍ପିଓ(ଓଡି ୦୫ ଏଫ-୦୦୦୧) ଚଢ଼ୁଥିଲେ ବାପି । ଗଣମାଧ୍ୟମରେ ଏକଥା ପ୍ରବଳ ଚର୍ଚ୍ଚା ହୋଇଥିଲେ ମଧ୍ୟ କମିଶନରେଟ୍ ପୁଲିସ ତାଙ୍କ ପାଖ ଛୁଇଁବାକୁ ସାହାସ ଜୁଟେଇ ପାରି ନାହିଁ । ଗୁରୁଙ୍କ ଆର୍ଶିବାଦ ତାଙ୍କ ପାଇଁ ନିର୍ଭୟ ବରଦାନ ହୋଇ ରହିଛି । ସେପଟେ ରାକେଶ ରାମ ଓରଫ୍ ବାପିଙ୍କୁ ଜୁନିୟର ବଦ୍ରି ପାତ୍ର ବୋଲି ବିଜେଡ଼ି ମହଲରେ ଆପେକ୍ଷ କରାଯାଏ । ପ୍ରକାଶ୍ୟରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ସବୁ କାରବାରର ବୁଝାସୁଝା କରୁଛନ୍ତି ବାପି । ମନ୍ତ୍ରୀଙ୍କ ବେପାର ବଣିଜର ଦାୟିତ୍ୱ ବୁଝୁଥିବାରୁ ନିଜକୁ ପାୱାରଫୁଲ୍ ବନାଇଛନ୍ତି । ଖାଲି ସେତିକି ନୁହେଁ, ମନ୍ତ୍ରୀଙ୍କ ବିଭାଗରେ ମଧ୍ୟ ତାଙ୍କର ଅଖଣ୍ଡ ବିସ୍ତାର । ଏଭଳି ବ୍ୟାକ୍ ଗ୍ରାଉଣ୍ଡଧାରୀ ଦୁଇ ବାପି ଯାବତୀୟ ଅଳିଆରେ ପୋତିହୋଇଥିବା ଦଳ ଭିତରେ ଆଲୋଚନା ହେଉଛି ।
ସରକାରୀ ଗେଜେଟ୍ ଜାଲିଆତିରେ ଫସିଥିବା ଡାକ୍ତର ମୋତିଲାଲ ଗୌଡ଼ଙ୍କ ସହ ଦୁଇ ବାପିଙ୍କ ଅନ୍ତରଙ୍ଗ ମୁହୁର୍ତର ଫଟୋଗୁଡ଼ିକ ଗଣମାଧ୍ୟମରେ ଆସିଥିଲା । ମୋତିଲାଲ ଜେଲ୍ ଦଣ୍ଡ ଭୋଗୁଥିବା ବେଳେ କ୍ରାଇମବ୍ରାଂଚ ପୁଲିସ କେବଳ ହାପି କରଙ୍କୁ ତାଙ୍କର ଘନିଷ୍ଠ ସହଯୋଗୀ ଦର୍ଶାଇ ଖୋଳତାଡ଼ କରୁଛି । ଏକା ସମୟରେ ଭିଜିଲାନସ୍ ବି ତାଙ୍କ ସମ୍ପତିର ଖୋଳତାଡ଼ ଚଳେଇଛି । ଏକା ନ୍ୟାୟରେ ମୋତିଲାଲଙ୍କ ସହ ଫଟୋ ଆଧାରରେ ତଦନ୍ତକାରୀ ସଂସ୍ଥା ବାପି ରାୟ ଓ ବାପି ରାମଙ୍କୁ ତଦନ୍ତ ପରିସରଭୁକ୍ତ କାହିଁକି କରୁନି ବୋଲି ପ୍ରଶ୍ନ ଉଠିଛି । ଜେରାବେଳେ ମୋତିଲାଲ ତାଙ୍କ ନିବିଡ଼ ବନ୍ଧୁ ତାଲିକାରେ ଦୁଇ ବାପିଙ୍କ ନାମ ନେଇଥିବା କ୍ରାଇମବ୍ରାଂଚର ଜଣେ ଅଧିକାରୀ ସ୍ୱୀକାର କରିଛନ୍ତି। ଅଧିକାଂଶ ଫଟୋରେ ମୋତିଲାଲଙ୍କ ସହ ଏହି ବି-ଟୁଙ୍କ ଫଟୋ ଥିବା ବେଳେ କ୍ରାଇମବ୍ରାଂଚର ହାତ କିନ୍ତୁ ସେୟାଡକୁ ଯାଇପାରିନି । ତଦନ୍ତ ପ୍ରକ୍ରିୟାର ନିରପେକ୍ଷତା ନେଇ ଖୋଦ୍ ବିଜେଡ଼ିର ବହୁ ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି ।