ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା କୋଉ ଦଳକୁ ଯିବେ ଏପର୍ଯ୍ୟନ୍ତ ନିଷ୍ପତ୍ତି ଜଣାଇନାହାନ୍ତି । ତେବେ ବିଜେପିରେ ସେ ଯୋଗ ଦେବା କଥା ଖାଲି ଚର୍ଚ୍ଚାରେ ଉଡୁଛି । ଡିସେମ୍ବର ୧୬ ରେ ସେ ବିଜେପିରେ ମିଶିବେ ବୋଲି ବଡ଼ ଜୋର୍ ରେ ପ୍ରଚାର ହୋଇଥିଲା । ପରବର୍ତ୍ତୀ ସମୟରେ ତାହା ୮ ତାରିଖକୁ ଖସି ଆସିଲା । ତାହା ପୁଣି ଦିଲ୍ଲୀର ବୈଜୟନ୍ତଙ୍କ ସର୍କଲରୁ । ମାତ୍ର କାଇଁ କିଛି ହେଲାନି । ଏବେ ସେହି ଚର୍ଚ୍ଚାରେ ନୂଆ କରି ଡିସେମ୍ବର ୨୪ ତାରିଖ ଯୋଡି ହୋଇଛି । ସେହିଦିନ ଖୋର୍ଦ୍ଧା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ବୈଜୟନ୍ତ ବିଜେପିରେ ମିଶିବେ ବୋଲି ଫ୍ରେସ୍ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥର ବୈଜୟନ୍ତ ବିଜେପିରେ ମିଶିବା କୁଆଡ଼େ ନିଶ୍ଚିତ । ତାଙ୍କ ପତ୍ନୀ ଜାଗୀମଙ୍ଗତ ପଣ୍ଡା ନଗଦ ଆରଏସଏସ ମୁଖ୍ୟ ମୋହନ ଭଗୱତଙ୍କୁ ଭେଟିଥିବାରୁ ଏଭଳି ଅନୁମାନ ଲଗାଯାଇଛି ।
ତେବେ ସଂଘ ପରିବାରର ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୋହନ ଭଗୱତଙ୍କ ସହ ଜାଗୀଙ୍କ ଭେଟଘାଟ ପଛରେ ବୈଜୟନ୍ତଙ୍କ ସମ୍ଭାବ୍ୟ ବିଜେପି ଯୋଗଦାନର କୌଣସି ସମ୍ପର୍କ ନାହିଁ । ଏ ପ୍ରସଙ୍ଗ ଆଲୋଚନାରେ ବି ସ୍ଥାନିତ ହୋଇନାହିଁ । ବିଜେପିକୁ ମାର୍ଗ ଦର୍ଶନ ଦେଉଥିବା ଆରଏସଏସର ମୁଖ୍ୟ ଯେଉଁ ପ୍ରଦେଶକୁ ଯାଆନ୍ତି ସେଠାରେ ବିଭିନ୍ନ କ୍ଷେତ୍ରର କିଛି ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରନ୍ତି । ଏହି ସାକ୍ଷାତ ଆଲୋଚନାକୁ ଗୋପନ ରଖିବା ସଂଘ ପରିବାରର ଧର୍ମ । ଜାଗୀଙ୍କୁ ଓଟିଭିର ମୁଖ୍ୟ ଭାବେ ମୋହନ ଭଗୱତ ଭେଟିଥିଲେ । ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଭାବେ ନୁହେଁ ।
ଅନ୍ୟପକ୍ଷରେ ମୋହନ ଭଗୱତ ଭୁବନେଶ୍ୱର ଅବସ୍ଥାନ କାଳରେ ତାଙ୍କୁ ଭେଟିବା ପାଇଁ ବୈଜୟନ୍ତ ପୂର୍ବରୁ ଅକ୍ଲାନ୍ତ ଉଦ୍ୟମ କରିଥିଲେ । ବିଜେପିର ସାଧାରଣ ସମ୍ପାଦକ ପ୍ରଭାବଶାଳୀ ରାମମାଧବଙ୍କ ଜରିଆରେ ଭଗୱତ୍ ଙ୍କ ନିକଟତର ହେବାକୁ ଚାହିଁଥିଲେ । ମାତ୍ର ତାହା ସଫଳ ହୋଇ ନ ଥିଲା । ନିଜେ ବିଫଳ ହେବା ପରେ ଓଡ଼ିଶାର ପ୍ରତିଷ୍ଠିତ ଚାନେଲ୍ ର ମୁଖ୍ୟ ଭାବେ ପତ୍ନୀଙ୍କ ପାଇଁ ସେହି ସୁଯୋଗ ସୃଷ୍ଟି କରିପାରିଥିଲେ ବୋଲି ବିଜେପିର ଜଣେ ବରିଷ୍ଠ ନେତା ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ।
କୁହାଯାଉଛି, ବିଜେପି ସହ ବୈଜୟନ୍ତଙ୍କ ମୂଲଚାଲ ଛିଣ୍ଡୁ ନ ଥିବାରୁ ତାଙ୍କର ଯୋଗଦାନ ଅଟକି ରହିଛି । ରାମମାଧବଙ୍କ ଭଳି ସଂଘ ପରିବାର ଓ ଦଳର ପ୍ରଭାବଶାଳୀ ନେତାଙ୍କୁ ହାତ କରି ବିଜେପିରେ ଏକ ଶକ୍ତିଶାଳୀ ଭୂମିକା ବୈଜୟନ୍ତ ଚାହୁଁଛନ୍ତି । ମାତ୍ର ସେଥିରେ ପ୍ରତିବନ୍ଧକ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଖୋଦ୍ ଅମିତ୍ ଶାହା ବି ବୈଜୟନ୍ତଙ୍କ ଉଚ୍ଚ ମୂଲଚାଲରେ ରାଜି ନାହାନ୍ତି । ତେବେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ବିଜେପି ସାମାନ୍ୟ କୋହଳ ହୋଇଥିବା ବେଳେ ବୈଜୟନ୍ତ ବି ନିଜର ସ୍ଥିତି ରକ୍ଷା ପାଇଁ ନଇଁ ଥିବା କୁହାଯାଉଛି । ଏଭଳି ସ୍ଥିତିରେ ବୈଜୟନ୍ତ ଯେ କୌଣସି ମୁହୁର୍ତ୍ତରେ ବିଜେପିରେ ଯୋଗଦେବା ଅସମ୍ଭବ ନୁହେଁ ବୋଲି ବିଜେପି ମହଲରୁ ସୂଚନା ମିଳିଛି ।