ଭୁବନେଶ୍ୱର: ଭୁବନେଶ୍ୱରର ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ହେଉଛନ୍ତି, କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ୍-ଟୁ ର ଜଣେ ୭୦ ବର୍ଷର ବୃଦ୍ଧ ଏବଂ ବମିଖାଲର ଜଣେ ୨୯ ବର୍ଷର ଯୁବକ । ସେମାନଙ୍କ କୋଭେଡ୍ ନମୁନା ପରୀକ୍ଷା ରିପୋର୍ଟ ଆଜି ପଜିଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହୋଇଥିବା ବେଳେ କେବଳ ଭୁବନେଶ୍ୱରରୁ ଅଛନ୍ତି ୧୬ ଜଣ ଆକ୍ରାନ୍ତ । ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।
ଆଜି ଚିହ୍ନଟ ହୋଇଥିବା କପିଳ ପ୍ରସାଦ ହାଉସିଂ ବୋର୍ଡର ଆକ୍ରାନ୍ତ ବୃଦ୍ଧଙ୍କର ଫରେନ୍ ଟ୍ରାଭେଲ୍ ହିଷ୍ଟ୍ରି ଅଛି । ଗତ ମାର୍ଚ୍ଚ ୨୨ ତାରିଖରେ ସେ ଅଷ୍ଟ୍ରେଲିଆରୁ ଫେରିଥିଲେ । ତେବେ ଅଷ୍ଟ୍ରେଲିଆରୁ ଫେରି ସେ ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ । ତେଣୁ ବାହାର ସଂକ୍ରମଣ ସମ୍ଭାବନା ନଥାଇ ପାରେ । ବମିଖାଲର ଆକ୍ରାନ୍ତ ଯୁବକଙ୍କୁ ଆକ୍ଟିଭ୍ ସର୍ଭେଲାନ୍ସ ଜରିଆରେ ଚିହ୍ନଟ କରାଯାଇଛି । ତେବେ ତାଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନ୍ୟ କୌଣସି ସୂଚନା ଦିଆଯାଇନାହିଁ ।
ସୂଚନାଥାଉକି, ଦୁଇଦିନ ତଳେ ବମିଖାଲରୁ ୩ ଭାଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ବାପା ଭୋପାଳରେ ରହୁଛନ୍ତି ଏବଂ ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।