ଭୁବନେଶ୍ୱର: ବିଜେଡ଼ିକୁ ଫାଳ ଫାଳ କରିବାକୁ ସାଂସଦ ବୈଜୟନ୍ତ ପଣ୍ଡା ଭୟଙ୍କର ଷଡ଼ଯନ୍ତ୍ର ରଚିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁଯାୟୀ, ତୃତୀୟ ମହଲାକୁ ଅସ୍ତ୍ର କରି ସେ ଅସନ୍ତୁଷ୍ଟ ବିଜେଡ଼ି ନେତାଙ୍କୁ ମନାଇବେ । ଆଉ ଜଣ ଜଣ କରି ବିଜେଡ଼ିରୁ ଖସାଇ ବିଜେପିରେ ମିଶାଇବେ । ଏଥିପାଇଁ ବିଜେପି ସହ ତାଙ୍କର ଗୋପନ ମନ୍ତ୍ରଣା ହୋଇଛି । ବିଜେଡ଼ିର ସାଂସଦ ଥିବାରୁ ନିଜ ଆଡୁ ଇସ୍ତଫା ନ ଦେଇ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛନ୍ତି । ନିର୍ବାଚନ ବେଳକାଳ ଦେଖି ବିଜେପିରେ ମିଶିବେ ଏବଂ ନବୀନଙ୍କୁ କାଳେ ପାଣି ପିଆଇବେ ।
ବିଜେଡ଼ି ମହଲରେ ଏହି ଖବର ଖେଳିବା ପରେ ହଇଚଇ ସୃଷ୍ଟି ହୋଇଛି । ଦଳର କିଛି ପ୍ରଭାବଶାଳୀ ନେତା ଏହାକୁ କଟାକ୍ଷ କରିଥିବା ବେଳେ ଅନେକ ବୈଜୟନ୍ତଙ୍କ ଚାଲ୍ ଭଣ୍ଡୁର କରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି । ଦଳର ତଳିଆ ମହଲରେ ଏହାକୁ ନେଇ ନାନା ଆଲୋଚନା ହେଉଛି । ବୈଜୟନ୍ତ ବିଜେପି ଲାଇନ୍ ରେ ବାଟ କାଟିଥିଲେ ମଧ୍ୟ ନବୀନ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ? ଏହା ନବୀନଙ୍କ ମାଷ୍ଟର ଗେମ୍ ନା ବୈଜୟନ୍ତଙ୍କୁ ଡର ? ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି ।
ଏ ପ୍ରସଙ୍ଗରେ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ଅନୁମାନ କିନ୍ତୁ ସ୍ପଷ୍ଟ । ସେମାନଙ୍କ ମତରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷିତ ତୃତୀୟ ମହଲା ଅଣଓଡ଼ିଆ ଅଫିସର ସ୍କ୍ରିପ୍ଟଧାରୀ ବୈଜୟନ୍ତ ବିଜେପି ଲାଇନ୍ ରେ ନବୀନଙ୍କୁ ଆଟାକ୍ କରିବା ଆରମ୍ଭ କରିଛନ୍ତି । ସେଥିପାଇଁ ସମର୍ଥନ ଯୋଗାଡ଼ ବି କଲେଣି । ରମାରଂଜନ ବଳିୟାରସିଂ ବିଜେଡ଼ି ଛାଡ଼ିବା ଏବଂ ତୃତୀୟ ମହଲାକୁ ଆଟାକ୍ କରିବା ପଛରେ ବୈଜୟନ୍ତଙ୍କ ଭୂମିକା ସନ୍ଦେହକୁ ଆସିଛି । ମୋଟାମୋଟି ଭାବେ ବିଜେଡି ନେତାଙ୍କ ମଧ୍ୟରେ ତୃତୀୟ ମହଲା ବିଷ ପୂରାଇ ଦଳ ଭାଙ୍ଗିବାକୁ ବୈଜୟନ୍ତ ଯୋଜନା କରିଥିବାର ଆଭାସ ମିଳିଲାଣି । ନିଶ୍ଚିନ୍ତକୋଇଲି ପାଣିଟାଙ୍କି ଉଦଘାଟନରେ ଗଣ୍ଡଗୋଳର ଆଳ କରି ସେ ସିଧାସଳଖ ତୃତୀୟ ମହଲାକୁ ଭିଡ଼ିବା ଏହି ରଣନୀତିର ଅଂଶବିଶେଷ । ବିଜେପି ସାଥୀରେ ତାଳ ଦେଇ ଏହି ପ୍ରସଙ୍ଗରୁ ସେ ଜବରଦସ୍ତ ଫାଇଦା ଗୋଟାଇବାକୁ ଯୋଜନା ରଖିଛନ୍ତି । ନିର୍ଦ୍ଦିଷ୍ଟ ଭାବେ ଏହି ପ୍ରସଙ୍ଗରେ ନବୀନଙ୍କଠାରୁ ତଡ଼ାଖାଇ ଲୋକଙ୍କ ସମର୍ଥନ ଓ ସହାନୁଭୂତି ସାଉଁଟିବା ତାଙ୍କର ଲକ୍ଷ୍ୟ । ଏହା ସଫଳ ହେଲେ ବିଜେଡ଼ି କ୍ଷତିରେ ପଡ଼ିବ ଏବଂ ବ୍ୟକ୍ତିଗତ ଭାବେ ତାଙ୍କର ଜିତାପଟ ହେବ ବୋଲି ସେ ଭାବିଛନ୍ତି । ଆଗକୁ ବିଜେପିରେ ଏହା ତାଙ୍କ ପାଇଁ ମହୌଷଧି ହେବ ବୋଲି ତାଙ୍କର କାମନା ।