ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସମ୍ ହସ୍ପିଟାଲ୍ ମାଲିକ ମନୋଜ ନାୟକ ଶେଷରେ ଗିରଫ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରରେ ଖଣ୍ଡଗିରି ଥାନାରେ ପୁଲିସ ତାଙ୍କୁ ଆତ୍ମସମର୍ପଣ କରାଇବା ପରେ ଗିରଫ ଦର୍ଶାଉଥିବା କୁହାଯାଉଛି । ଏକ ଅଜଣା ଜାଗାକୁ ନେଇ ପୁଲିସ ତାଙ୍କୁ ପଚରାଉଚୁରା କରୁଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିଜି କେ.ବି.ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
୧୭ ତାରିଖ ସଂଧ୍ୟାରେ ସମ୍ ହସ୍ପିଟାଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା କାରଣରୁ ୨୧ ଜଣ ରୋଗୀ ମୃତ୍ୟୁବରଣ କରିଥିଲେ । ସେଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବାରୁ ଏଭଳି ଅଗ୍ନିକାଣ୍ଡ ଘଟିଥିଲା । ତେବେ ମାଲିକ ମନୋଜ ନାୟକ ଏହି ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରି ନ ଥିଲେ କି ପାଟି ଖୋଲି ନ ଥିଲେ । ଓଲଟି ଅର୍ନ୍ତଦ୍ଧାନ ହୋଇଯାଇଥିଲେ । ସରକାରଙ୍କ ପକ୍ଷରୁ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଦୁଇ ଦୁଇଟି ଏତଲା ରୁଜୁ ହେଲା ପରେ ପୁଲିସ ସମ୍ ହସ୍ପିଟାଲ୍ ର ୪ ଜଣ ମଝି ମଝିଆ କର୍ମଚାରୀଙ୍କୁ ଗିରଫ କରିଥିଲା । ଗତକାଲି ପୁଲିସ ମନୋଜ ନାୟକଙ୍କ ଘର ଉପରେ ଚଢ଼ାଉ କଲା ପରେ ତାଙ୍କୁ ଫେରାର ଦର୍ଶାଇଥିଲା । କମିଶନରେଟ୍ ପୁଲିସ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରାଇ ବିମାନବନ୍ଦର ଓ ରେଳଷ୍ଟେସନ୍ ରେ ତନାଘନା କରିଥିଲା ମନୋଜ ନାୟକଙ୍କୁ ଗିରଫ କଲା ପରେ ହସ୍ପିଟାଲ୍ ର ଟ୍ରଷ୍ଟି ଥିବା ତାଙ୍କ ପତ୍ନୀ ଶାଶ୍ୱତୀ ଦାସଙ୍କୁ ଗିରଫ କରିବା ପାଇଁ ତନାଘନା ଜାରି ରଖିଛି । ଖୁବ୍ ଶୀଘ୍ର ତାଙ୍କ ସମେତ ଆଉ ୩ ଜଣ ଟ୍ରଷ୍ଟିଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।