ଭୁବନେଶ୍ୱର() ଇତିହାସରେ ପଢ଼ିଛୁ ରୋମ୍ ଜଳୁଥିବା ବେଳେ ବଂଶୀ ବଜାଇ ଗମାତ୍ କରୁଥିଲେ ସମ୍ରାଟ୍ ନୀରୋ । ଆଉ ଇତିହାସର ଏହି ଅଧ୍ୟାୟ କାର୍ବନ୍ କପି କରିବାକୁ ଯାଉଛନ୍ତି ଆମ ରାଜ୍ୟ ସରକାରଙ୍କ ଏସଆରସି ବା ସ୍ୱତନ୍ତ୍ର ରିଲିଫ୍ କମିଶନର ବାବୁ ପ୍ରଦୀପ୍ତ ମହାପାତ୍ର ମହାଶୟ । ମରୁଡ଼ିର କରାଳ ବିଭିଷିକା ରାଜ୍ୟର ୨୬ ଟି ଜିଲ୍ଲାକୁ ଗିଳିସାରିଛି । କେନ୍ଦ୍ରୀୟ ଟିମ୍ କହିଛନ୍ତି ଅଧିକାଂଶ ଜାଗାରେ ୮୦ ପ୍ରତିଶତ ଶସ୍ୟ ହାନୀ ହୋଇଛି । ଏପରିକି କିଛି ଜାଗାରେ ଶୁଙ୍ଗ ବି ଉଠିନି । ମାନସିକ ଭାରସାମ୍ୟ ହରାଇ ୧୫୦ ରୁ ଅଧିକ ଚାଷୀ କିଏ ବିଷ ଖାଇ ମଲେଣି ତ ଆଉ କିଏ ଗାମୁଛା କି ଦଉଡ଼ି ଲଗାଇ ଫାଶୀରେ ଝୁଲିଛନ୍ତି । କାରଣ ବି ସ୍ପଷ୍ଟ । ବ୍ୟାଙ୍କ, ସୋସାଇଟ୍ କି ସାହୁକାରଠାରୁ କରିଥିବା ଋଣ ସୁଜା ଭାଳେଣି ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି । ସରକାର ଏହାକୁ କେତେଦୂର ଗ୍ରହଣ କରିଛନ୍ତି ତାହା ତ ଅଲଗା ଚର୍ଚ୍ଚାର ବିଷୟ । ହେଲେ ମରୁଡ଼ି ପରିସ୍ଥିତିର ଗମ୍ଭୀରତାକୁ ଏହା ବୟାନ କରୁଛି ।
ଆଉ ଠିକ୍ ଏତିକିବେଳେ ଆମ ଏସଆରସିଙ୍କ ମନ ଚାହିଁଛି ଆମୋଦକରା ଭ୍ରମଣ । ମରୁଡ଼ି ଫରୁଡ଼ିକୁ ଚୁଟକିନା ଦେଇ ଏସଆରସି ଭ୍ରମଣରେ ଯିବେ ରାଜସ୍ଥାନର ଜଇସାଲମର୍ । ଏଲଟିସି ସୁବିଧା ନେଇ ସରକାରୀ ପଇସାରେ ମଉଜ କରିବେ ଏସଆରସି । ଖାଲି ଏକା ନୁହଁନ୍ତି ସାଙ୍ଗରେ ପତ୍ନୀ ଓ ଝିଅକୁ ବି ନେଇଯିବେ । ସାର୍ ଡିସେମ୍ବର ୨୫ ତାରିଖରୁ ଭ୍ରମଣରେ ବାହାରିବେ । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ ଏସଆରସି ପ୍ରଦୀପ୍ତ ମହାପାତ୍ରଙ୍କୁ ଏହି ଭ୍ରମଣ ଅନୁମତି ଦେଇଛି । ଗତ ନଭେମ୍ବର ୨୦ ତାରିଖରେ ଏହାର ଅର୍ଡର ଇସୁ୍ୟ ସରିଛି । ଏସଆରସି ଏଲଟିସି ନେଇ ସପରିବାରେ ବୁଲିବାରେ କାହାର ଆପତି ନାହିଁ କି ରହିବା ଉଚିତ୍ ନୁହେଁ । କିନ୍ତୁ ଘର ବୁଡ଼ି ପାଣି ଆଣ୍ଠୁଏ ଥିଲା ବେଳେ ଭୋଜିଭାତ କରି ମଉଜ କରିବା ଯାହା ଏଇ କଥାଟି ସେୟା ।
ମରୁଡ଼ି କିମ୍ବା ପ୍ରାକୃତିକ ଦୁର୍ବିପାକ ବେଳେ ଏସଆରସିଙ୍କ ଭୂମିକା ଓ ଦାୟିତ୍ୱ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ । ଡେଲି ଅପଡେଟ୍ ଓ ତଦନୁଯାୟୀ ଆବଶ୍ୟକ ପଦକ୍ଷେପ ଏସଆରସିଙ୍କ ପ୍ରମୁଖ କାର୍ଯ୍ୟ । ମରୁଡ଼ି ମୁକାବିଲା ପାଇଁ ସରକାରଙ୍କ ସହ ଯୋଗସୂତ୍ର ରକ୍ଷାକାରୀ ହେଉଛନ୍ତି ଏସଆରସି । ମାତ୍ର ମରୁଡ଼ି ମହାବିପଦ ପ୍ରତିଦିନ ଦୁଇ ତିନି ଚାଷୀଙ୍କ ମୁଣ୍ଡ ନେଉଥିବା ବେଳେ ଏସଆରସି ସପରିବାରେ ମଉଜ ପାଇଁ ରାଜସ୍ଥାନ ଯିବା ଯେତିକି ଅଖାଡୁଆ ସେତିକି ଲଜ୍ଜାକର । ଏତେବଡ଼ ଗୁରୁଦାୟିତ୍ୱ ଭୁଲି ଏସଆରସି କେମିତି ଏଲଟିସି ଭ୍ରମଣ ପାଇଁ ମନ ବଳାଇଲେ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ କିଭଳି ଅନୁମତି ଦେଲେ ତାହା ଭାବିଲେ ମୁଣ୍ଡ ତଳକୁ ନଇଁଯାଉଛି । ସଚିବାଳୟରେ ବସି ବରଗଡ଼ କି କୋରାପୁଟର ମରୁଡ଼ି ସମୀକ୍ଷା କରିବାରେ ମୁଖ୍ୟମନ୍ତ୍ରୀଙ୍କୁ ବେଶ୍ ତାରିଫ୍ କରନ୍ତି ତାଙ୍କ ଦଳର ନିର୍ଲଜ ଚେଲାମାନେ । ମରୁଡ଼ି ସମସ୍ୟା ଉପରେ ସମଗ୍ର ପ୍ରଶାସନ କଳର ବି ସେଇ ଅବସ୍ଥା । ସବୁଠାରୁ ବଡ଼କଥା ହେଉଛି, ଚାଷୀଙ୍କ ସମସ୍ୟା ସହ ପ୍ରତ୍ୟକ୍ଷ ଜଡ଼ିତ ନ ଥିବା ମୁଖ୍ୟମନ୍ତ୍ରୀ ମୃତ ଜଣେ ବି ଚାଷୀଙ୍କ ପରିବାର ପାଖରେ ଛିଡ଼ା ହୋଇ ଆଶ୍ୱସନା କି ସମବେଦନା ନ ଦେବା ଯେତିକି ଭୟଙ୍କର ତାଙ୍କ ଏସଆରସି ମରୁଡ଼ି ବେଳେ ରାଜ୍ୟକଥା ଭୁଲି ମଉଜ ଭ୍ରମଣରେ ଯିବା ତାହାଠାରୁ ବି କମ୍ ଭୟଙ୍କର ନୁହେଁ ।