କଟକ: ଆଜି ସଂଧ୍ୟାରେ କଟକ ମହାନଦୀ ପୋଲ୍ ଉପରୁ ଏକ ଯାତ୍ରୀବାହୀ ବସ୍ ତଳକୁ ଖସିପଡ଼ିଛି । ପୋଲ ଉପରେ ଏକ ମଇଁଷି ସହ ଧକ୍କା ହେବାରୁ ବସ୍ ଟି ତଳକୁ ଖସିପଡ଼ିଛି । ୩୦ ଫୁଟ୍ ତଳେ ବାଲିଶଯ୍ୟା ଉପରେ ବସ୍ ଟି ଓଲଟି ପଡ଼ିଛି । ସେଥିରେ ୩୦ ଯାତ୍ରୀ ଥିବା କୁହାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାହାର ମୃତାହତ ଜଣାପଡ଼ିନାହିଁ । ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
‘ଜଗନ୍ନାଥ‘ ନାମକ ଯାତ୍ରୀବାହୀ ବସ୍ ଟି ତାଳଚେରରୁ କଟକ ଆସୁଥିଲା । ଜଗତପୁରରୁ ଶିଖରଚଣ୍ଡୀ ଆସୁଥିବା ବେଳେ ମହାନଦୀ ପୋଲ୍ ଉପରେ ମଇଁଷି ସହ ଧକ୍କା ହୋଇ ସିଧା ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣା ଖବର ପାଇଲା ପରେ ସେଠାରେ ଲୋକଙ୍କର ପ୍ରବଳ ଭିଡ଼ ହୋଇଛି । ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ କମିଶନରେଟ୍ ପୁଲିସ ତତ୍ପର ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କୁ ତୁରନ୍ତ ଘଟଣାସ୍ଥଳ ପଠାଇ ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଆହତମାନଙ୍କ ତୁରନ୍ତ ଚିକିତ୍ସା ପାଇଁ ସେ କ୍ରୀଡ଼ାମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି ।