ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ ଙ୍କ ଘର ଉପରେ ବିଜେପି କର୍ମୀଙ୍କ ଆକ୍ରମଣ ଘଟଣା ପଛରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରୋତ୍ସାହନ ଅଛି । ଘଟଣା ପୂର୍ବରୁ ଓ ଘଟଣା ସମୟରେ ବୈଜୟନ୍ତଙ୍କ ଟିଭି ଚାନେଲର ଉପସ୍ଥିତି ଏବଂ ପରେ ବୈଜୟନ୍ତଙ୍କ ପ୍ରତିକ୍ରିୟା ଏହା ଏକପ୍ରକାର ସ୍ପଷ୍ଟ କରିଦେଉଛି । ବୈଜୟନ୍ତ କହିଛନ୍ତି, ‘ପ୍ରତିବାଦ କରିବା ପାଇଁ କାହା ଘରେ ପଶିବାକୁ ମୁଁ ଠିକ୍ ଭାବୁନି । କିନ୍ତୁ ଅତୀତରେ ପାଣ୍ଡିଆନ୍ ଲୋକ ଲଗାଇ ମୋ ଉପରେ ଅଣ୍ଡା ଓ ପଥରମାଡ଼ କରାଇଥିଲେ । ତାଙ୍କ ବିରୋଧରେ ଦୁର୍ନୀତି ଓ ଗୁଣ୍ଡାପୋଷିବା ଅଭିଯୋଗ ଅଛି । ପାଣ୍ଡିଆନ୍ ତାହାର ଉତ୍ତର ଦେବା ଆବଶ୍ୟକ ।’ ଅର୍ଥାତ୍ ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି । ପାଣ୍ଡିଆନ୍ ଙ୍କ ଉପରେ ଯାହା ହୋଇଛି ଠିକ୍ ହୋଇଛି ବୋଲି ବୈଜୟନ୍ତ ତାଙ୍କ ପ୍ରତିକ୍ରିୟାରେ କହିବାକୁ ଚାହିଁଛନ୍ତି ।
ରାଜନୈତିକ ମହଲର ମତ ଅନୁଯାୟୀ, କ୍ଷମତା ନିଶାରେ ଚୁର୍ ବିଜେପି ରାଜନୈତିକ ଉଦ୍ଦେଶ୍ୟ ରଖି ମୂଳରୁ ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ କରି ଚାଲିଥିବା ବେଳେ ବିଜେପିମୁହାଁ ବୈଜୟନ୍ତ ତାହା ଆଗକୁ ନେଉଛନ୍ତି । ପରିଣାମ ହୋଇଛି ସରକାରୀ ଅଫିସର ପାଣ୍ଡିଆନ୍ ଙ୍କ ଘରେ ପଶି ବିଜେପି କର୍ମୀଙ୍କ ଆକ୍ରମଣ ଉଦ୍ୟମ । ଆକ୍ରମଣକାରୀମାନେ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କ ସପକ୍ଷରେ ସ୍ଲୋଗାନ୍ ଦେଇଥିବାରୁ ତାହା ପଛରେ କାହାର ହାତ ଅଛି ତାହା କାହାରିକୁ ବୁଝିବାରେ ବାକି ନାହିଁ । ତେବେ ଜଣେ ଉଚ୍ଚପଦସ୍ଥ ସରକାରୀ ଅଫିସରଙ୍କ ପ୍ରତି ଏଭଳି ବ୍ୟକ୍ତିଗତ ଆଚରଣକୁ ସବୁସ୍ତରରେ ନିନ୍ଦା କରାଯାଇଛି । ବ୍ୟକ୍ତିଗତ/ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଧର୍ମେନ୍ଦ୍ର ଓ ବୈଜୟନ୍ତ କିଭଳି ଭୟଙ୍କର ଖେଳ ଖେଳିପାରନ୍ତି ତାହା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ପାଣ୍ଡିଆନ୍ ଙ୍କ ଉପରେ ଆକ୍ରମଣ ଉଦ୍ୟମକୁ ବିଜେପି ନେତୃତ୍ୱ ସମର୍ଥନ ଘୋଷଣା କରିଥିବା ବେଳେ ପାଣ୍ଡିଆନଙ୍କ ବିରୋଧରେ ଅସନ୍ତୋଷର ଏହା ପ୍ରତିଫଳନ ବୋଲି ବୈଜୟନ୍ତଙ୍କ ଟିଭି ଦାବି କରିଛି । ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ଦାଦାଗିରିକୁ ସମାଲୋଚନା କରିଥିବା ବେଳେ ବୈଜୟନ୍ତଙ୍କ ଭୂମିକାକୁ ଅଙ୍ଗୁଳି ଉଠାଇଛନ୍ତି । ଘଟଣାପୂର୍ବରୁ ତାଙ୍କ ଚାନେଲର ପ୍ରତିନିଧି କ’ଣ ପାଇଁ ପାଣ୍ଡିଆନ୍ ଙ୍କ ଘରେ ଚକ୍କର କାଟୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ବିଜେପି ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରି ବୈଜୟନ୍ତଙ୍କ ଉପରେ ପୁରୁଣା ଆକ୍ରମଣ ଘଟଣାକୁ ମନେପକାଇ ପାଣ୍ଡିଆନ୍ ଙ୍କ ଉପରେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଆକ୍ରମଣ ଉଦ୍ୟମ ଘଟଣାକୁ ସମର୍ଥନ କରିଛନ୍ତି । ପାଣ୍ଡିଆନ୍ ଙ୍କ ଉପରେ ଆକ୍ରମଣ ଉଦ୍ୟମ ହେଲେ ବିଜେଡ଼ି ହୃତପିଣ୍ଡକୁ କାହିଁକି ବାଧୁଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।
ତେବେ ପାଣ୍ଡିଆନ୍ ଙ୍କ ଉପରେ ଆକ୍ରମଣ ଉଦ୍ୟମକୁ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ, ସଂଗଠନ, ସରକାରୀ ଅଫିସର ଓ କର୍ମଚାରୀ ସଂଗଠନଗୁଡ଼ିକ ତୀବ୍ର ନିନ୍ଦା କରିଛନ୍ତି । ଦୁର୍ବୃତ୍ତଙ୍କୁ ଗିରଫ କରି କଠୋର ଦଣ୍ଡବିଧାନ କରିବାକୁ ଦାବି କରିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଜଣେ ସରକାରୀ ଅଫିସରଙ୍କ ଘରେ ପଶି ଆକ୍ରମଣ ଉଦ୍ୟମ ଏକ ଘୃଣ୍ୟ ଆଚରଣ । ବିଜେପିର ଦାଦାଗିରି ହରିଆଣା, ଉତ୍ତରପ୍ରଦେଶ ଦେଇ ଏବେ ଓଡ଼ିଶାରେ ପହଞ୍ଚିଛି । ଲୋକଙ୍କୁ ଭୟଭୀତ କରି ବିଜେପି ଓଡ଼ିଶାରେ କ୍ଷମତା ଦଖଲ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି ।
ଘଟଣାକୁ ଆଇଏଏସ୍ ସଂଘ ତୀବ୍ର ନିନ୍ଦା କରିଛି । ସଂଘର ସମ୍ପାଦକ ବିଶାଳ ଦେବ କହିଛନ୍ତି ଆମେ ସରକାରୀ ଅଫିସରମାନେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥାଉ । ବ୍ୟକ୍ତିଗତ ଭାବେ କାହାରିକୁ ଟାର୍ଗେଟ୍ କରିବା ଅନୁଚିତ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ଆଇପିଏସ୍ ସଂଘ ଘଟଣାକୁ ତୀବ୍ର ନିନ୍ଦା କରିଛି । ସଂଘର ସମ୍ପାଦକ ଅରୁଣ ବୋଥ୍ରା କହିଛନ୍ତି, ଜଣେ ସରକାରୀ ଅଫିସରଙ୍କୁ ଧମକ ଓ ଆକ୍ରମଣ ଉଦ୍ୟମ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଓଏଏସ୍ ସଂଘ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରିଛି । ପାଣ୍ଡିଆନ୍ ଙ୍କ ଭଳି ଜଣେ ଦକ୍ଷ ସରକାରୀ ଅଫିସରଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟକ୍ତିଗତ ଟାର୍ଗେଟ୍ କରିବାକୁ ସଂଘର ସମ୍ପାଦକ ଜ୍ୟୋତିରଂଜନ ମିଶ୍ର କଡ଼ା ସମାଲୋଚନା କରି ଅପରାଧୀଙ୍କ ଗିରଫ ଦାବି କରିଛନ୍ତି । ଓଡ଼ିଶା ସଚିବାଳୟ କର୍ମଚାରୀ ସଂଘ, ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି, ଓଡ଼ିଶା ସୂଚନା ସେବା ସଂଘ, ଓଡ଼ିଶା ପୁଲିସ ସଂଘ ପ୍ରଭୃତି ଘଟଣାର ତୀବ୍ର ନିନ୍ଦା କରି ପାଣ୍ଡିଆନ୍ ଙ୍କ ସପକ୍ଷରେ ବାହାରିଛନ୍ତି । ଏଭଳି ଘୃଣ୍ୟ ଆଚରଣ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି ।
ବିଜେପିକର୍ମୀଙ୍କ ଗୁଣ୍ଡାଗିରି ବିରୋଧରେ ବିଜେଡ଼ି ଶିବିରରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡ଼ି କର୍ମୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି । ଭୁବନେଶ୍ୱରରେ ବିଜେଡ଼ି କର୍ମୀମାନେ ପାର୍ଟି ଅଫିସରୁ ଏକ ବିରାଟ ମଟରସାଇକେଲ ରାଲିରେ ଶିଶୁଭବନ, ମାଷ୍ଟରକ୍ୟାଣ୍ଟିନ୍ ଛକ ଦେଇ ଡିଜିଙ୍କ ଅଫିସ ଯାଇଥିଲେ । ବିଜେଡ଼ି ମହିଳା କର୍ମୀମାନେ ମଧ୍ୟ ବିଜେପିର ଦାଦାଗିରି ବିରୋଧରେ ରାଲି କରିଥିଲେ । ସମସ୍ତ ଆସାମୀଙ୍କୁ ଗିରଫ ନ କଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।