ଭୁବନେଶ୍ୱର: ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କରୋନା ଲକଡାଉନ୍ ଗାଇଡଲାଇନ୍ ପରିପ୍ରେକ୍ଷୀରେ ପୁରୀରେ ରଥ ନିର୍ମାଣ ପାଇଁ ଗତକାଲି ରାଜ୍ୟ ସରକାର ଚିଠି ଲେଖି ଅନୁମତି ଲୋଡିଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଜି ଏଥିପାଇଁ କ୍ଲିୟରାନ୍ସ ଦେଇଛି । ବଡ଼ଦାଣ୍ଡର ଦୁଇ ପାଶ୍ୱର୍ରେ ମନ୍ଦିର ଅଫିସଠାରୁ ଶ୍ରୀନଅର ଯାଏ ପାରମ୍ପରିକ ରଥଖଳାରେ ରଥ କାମ ଚାଲିପାରିବ ବୋଲି କୁହାଯାଇଛି ।
ତେବେ ରଥ ଖଳାରେ ରଥ ନିର୍ମାଣ ବେଳେ ଲୋକଙ୍କର ସମାବେଶ ହେବ ନାହିଁ । ରଥ ଖଳାକୁ ସମ୍ପୂର୍ଣ୍ଣ ପୃଥକ୍ କରି ସାମାଜିକ ଦୂରତ୍ୱ ରଖିବାକୁ ପଡ଼ିବ । ଗୃହ ମନ୍ତ୍ରଣାଳୟର ଲକଡାଉନ୍ ନୂଆ ଗାଇଡଲାଇନ୍ ଏବଂ କୋଭିଡ୍-୧୯ ପରିଚାଳନାର ଜାତୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିବାକୁ କୁହାଯାଇଛି ।
ଅନ୍ୟପକ୍ଷରେ ରଥଯାତ୍ରା ହେବ କି ନାହିଁ, ସେହି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରକୁ ଛାଡ଼ିଛନ୍ତି କେନ୍ଦ୍ର ସରକାର । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।
ସୂଚନାଯୋଗ୍ୟ, ୪ ତାରିଖ ଦିନ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ମଗାଯାଇଥିଲା । ତେବେ କୋଭିଡ୍ ଗାଇଡଲାଇନ୍ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଲୋଡିଥିଲେ ।