ଭୁବନେଶ୍ୱର: ରାଜ୍ୟର ଚାଷୀଭାଈଙ୍କ ପାଇଁ ବିଜେଡ଼ି ଜୋର୍ କାନ୍ଦିବା ଆରମ୍ଭ କରିଥିବା ବେଳେ ବିଜେପି ପଛରେ ପଡ଼ିବାକୁ ଚାହିଁନି । ଋଣ ଛାଡ଼ର ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର୍ ହେବାକୁ ମନ କରିଛି । ବିଜେପି କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ ସହ ସୁଧ ମୁକ୍ତ ଋଣ ଦିଆଯିବ ବୋଲି ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । କୃଷି ଋଣ ଛାଡ଼ର ପ୍ରତିଶ୍ରୁତି ଦେଇ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ କ୍ଷମତାକୁ ଆସିବା ପରେ ଓଡ଼ିଶାରେ ବିଜେପି ସେହି ଫର୍ମୂଲା ଆପଣେଇବାକୁ ଚାହିଁଛି । ବିଜେପି ଭଳି ଜାତୀୟ ଦଳର ନିର୍ବାଚନୀ ପ୍ରତିଶ୍ରୁତି ଦିଲ୍ଲୀରୁ ସ୍ଥିର ହେବାକୁ ଥିବା ବେଳେ ରାଜ୍ୟ ସଭାପତି ଆଗତୁରା କୃଷି ଋଣ ଛାଡ଼ ଘୋଷଣା କରିଛନ୍ତି ।
ରାଜ୍ୟ ବିଜେପି ଖାଲି ଏହି ପ୍ରତିଶ୍ରୁତିରେ ସୀମିତ ରହିବାକୁ ଚାହିଁନି । ଚାଷୀ ପ୍ରସଙ୍ଗରେ ବିଜେଡ଼ି ଯେଭଳି ଫାଇଦା ନ ନିଏ ତାହା ଜଗିବାକୁ ଚେଷ୍ଟା କରିଛି । ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ସ୍ୱାମୀନାଥନ୍ କମିଟି ରିପୋର୍ଟ କାର୍ଯ୍ୟକାରୀ ଦାବିରେ ଆସନ୍ତା ୮ ତାରିଖରେ ବିଜେଡ଼ିର ସଂସଦ ଭବନ ଘେରାଉ ନିଷ୍ପତ୍ତି ନେଇଥିବାରୁ ବିଜେପି ତାହାର ଟକ୍କର ଯୋଜନା କରିଛି । ସେହିଦିନ ଭୁବନେଶ୍ୱରରେ ଦଳ ପକ୍ଷରୁ ସଚିବାଳୟ ଘେରାଉ କରାଯିବ ବୋଲି ରାଜ୍ୟ ସଭାପତି ଘୋଷଣା କରିଛନ୍ତି । କୃଷି ଋଣ ଛାଡ଼ ଦାବିରେ ବିଜେପି ଏହି ଆନ୍ଦୋଳନ କରିବ ।
ଖାଲି ସେତିକି ନୁହେଁ, ଆଜିଠୁ ୭ ତାରିଖ ଯାଏଁ ବିଜେପିର ମଣ୍ଡି ଚାଲ ଅଭିଯାନ ହେବ । ସବୁ ମଣ୍ଡି ଆଗରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ରାଜ୍ୟ ସଭାପତି କହିଛନ୍ତି । ତାଙ୍କର କହିବା କଥା, ରାଜ୍ୟରେ ଥିବା ମଣ୍ଡିଗୁଡ଼ିକ ଅବ୍ୟବସ୍ଥା ଭିତରେ ବୁଡ଼ି ରହିଛି । ରାଜ୍ୟ ସରକାର ଓ ମିଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । ନିର୍ବାଚନ ଖର୍ଚ୍ଚ ମିଲରଙ୍କଠାରୁ ଉଠାଇବାକୁ ସରକାର ଯୋଜନା ରଖିଛନ୍ତି । ଦିଲ୍ଲୀ ଯିବା ପରିବର୍ତ୍ତେ ରାଜ୍ୟ ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି କରନ୍ତୁ ।
ସେପଟେ ଚାଷୀ ପ୍ରସଙ୍ଗକୁ ନେଇ ବିଜେଡ଼ି-ବିଜେପିର ଛକାପଂଝା ଦେଖି ସହିପାରିନାହାନ୍ତି କଂଗ୍ରେସର ଏକଘରିକିଆ ନେତା ଶ୍ରୀକାନ୍ତ ଜେନା । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ରାଜ୍ୟ ସରକାରଙ୍କ ପାଖରେ କୃଷି ଋଣ ଛାଡ଼ ପାଇଁ ଦାବି କରିଛନ୍ତି । ଏହା ନ କଲେ ନବୀନ ସରକାରଙ୍କୁ ଲୋକେ ତଡ଼ିଦେବେ ବୋଲି ସେ କହିଛନ୍ତି । ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚାଷୀଙ୍କ ପାଇଁ ଲମ୍ବା ପ୍ରତିଶ୍ରୁତି ଦେଇଥିଲେ ।
ବିଜେପିର କୃଷି ଋଣ ଛାଡ଼ ଘୋଷଣା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ । ବିଜେପିର ବିନାଶ କାଳେ ବିପରୀତ ବୁଦ୍ଧି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କୃଷି ଋଣ ଛାଡ଼ ପ୍ରସଙ୍ଗ ଉପରେ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି । ଠିକ୍ ସମୟରେ ଠିକଣା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ୫ ଟି ରାଜ୍ୟର ନିର୍ବାଚନ ଫଳ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଆସନ୍ତା ନିର୍ବାଚନରେ ଚାଷୀ ପ୍ରସଙ୍ଗକୁ ଦାନା ଧରେଇଛି । ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେପି ଶାସିତ ରାଜ୍ୟରେ ସରକାର ଚାଷୀଙ୍କ ପାଇଁ କୌଣସି ଆଖିଦୃଶିଆ କାମ କରିନାହିଁ । ବିଶେଷକରି ଏମଏସପି ଏବଂ ସ୍ୱାମୀନାଥନ୍ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଇନାହାନ୍ତି ।