ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ୮ଟି ପ୍ରଶ୍ନ ଛାଡ଼ିଥିଲେ ଖୋର୍ଦ୍ଧାରେ । ବାରିପଦାରେ ତାଠୁ ନରମ ଥିଲା ମୋଦିଙ୍କ ଭାଷଣ । ମହିଳା ସଶକ୍ତିକରଣ ଓ ପିପିଲି ଗଣଦୁଷ୍କର୍ମ ମାମଲା ଉପରେ ରାଜ୍ୟ ସରକାରଙ୍କୁ ଦୁଇପଦ ପରାମର୍ଶ ଦେଇ ଭାଷଣ ସାରିଥିଲେ । ଆଜି ବଲାଙ୍ଗୀରରେ ସେତିକି ବି ହେଲାନି । ବୋଧହୁଏ ଓଡ଼ିଶା ଆସିଥିବାରୁ ପ୍ରଧାନମନ୍ତ୍ରୀ କାମ ଚଳାଇବା ଭଳି ରାଜ୍ୟ ସରକାରଙ୍କ ଉପରେ ପଦୁଟିଏ କହିଲେ । ରାଜ୍ୟ ସରକାର ଖଣି ପାଣ୍ଠିରେ ଥିବା ଟଙ୍କା କାହିଁକି ଖର୍ଚ୍ଚ କରିପାରୁନାହାନ୍ତି ବୋଲି ପଚାରିଥିଲେ । ମୋଦି ଏଥିପାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନା ନ କରି ଦୁଃଖ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ, ରାଜ୍ୟ ସରକାରଙ୍କ ଡିଏମଏଫ(ଡିଷ୍ଟି୍କ୍ଟ ମିନେରାଲ୍ ଫଣ୍ଡ) ରେ ୪ ହଜାର କୋଟି ଟଙ୍କା ଅଛି । କିନ୍ତୁ ସେହି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ି ରହିଛି । ଏଠିକା ସରକାର କାହିଁକି ଶୋଇଛି ତାହା ତାଙ୍କୁ ହଇରାଣରେ ପକାଇଛି । ବେଶ୍ ମାପିଚୁପି ଏତିକି କହିଲା ପରେ ଅନ୍ୟ ପ୍ରସଙ୍ଗ ଧରିଥିଲେ ମୋଦି । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ନବୀନ ପଟ୍ଟନାୟକ କି ତାଙ୍କ ସରକାର ବିରୋଧରେ ଆଉ କିଛି କହି ନ ଥିଲେ ।
ଆଜି ପ୍ରଧାନମନ୍ତ୍ରୀ ବଲାଙ୍ଗୀର ଗସ୍ତରେ ଆସି ପ୍ରଥମେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବଲାଙ୍ଗୀର-ବିଛୁପାଲି ନୂଆ ରେଳଲାଇନ ସମେତ ୧୫୪୫ କୋଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ପରେ ପଥରଚେପାରେ ଦଳୀୟ ସମାବେଶରେ ଭାଷଣ ଦେଇଥିଲେ ମୋଦି । ତିନି ସପ୍ତାହ ମଧ୍ୟରେ ତିନି ଥର ଓଡ଼ିଶା ଆସିଥିବା ମୋଦିଙ୍କୁ ନେଇ ବିଜେପି ଶିବିରରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଥିଲା । ଖୋର୍ଦ୍ଧା ଏବଂ ବାରିପଦାରେ ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡ଼ିକୁ ସମାଲୋଚନା ନ ହେଲା ନାହିଁ । ବଲାଙ୍ଗୀରରେ କିନ୍ତୁ ସେଭଳି ହେବନି ବୋଲି ଦଳର ନେତା ଓ କର୍ମୀମାନେ ଆଶା ରଖିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ସରକାରଙ୍କ ବିରୋଧରେ ଗରମ ଭାଷଣ ଦେଇ କର୍ମୀଙ୍କୁ ଆଗୁଆ ଉତ୍ସାହିତ କରି ରଖିଥିଲେ । ମାତ୍ର ମୋଦିଙ୍କ ଭାଷଣ ସମସ୍ତଙ୍କୁ ନିରାଶ କରିଦେଇଥିଲା । ମୋଦିଙ୍କ ପାଟିରୁ ତାଙ୍କ ସରକାରଙ୍କ ସଫଳତାର କାହାଣୀ ହେଉ କି କଂଗ୍ରେସକୁ ବୁଲେଇ ବଙ୍କେଇ ସମାଲୋଚନା ଶୁଣିବାକୁ କାହାରି ଧୈର୍ଯ୍ୟ ନ ଥିଲା ।
ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଭାଷଣରେ ସେ ନିଜ ସରକାରଙ୍କ ସଫଳତାର ପ୍ରଚାର କରିବା ସହ ପୂର୍ବର ଉପା ସରକାରଙ୍କ କାର୍ଯ୍ୟକଳାପକୁ କଠୋର ସମାଲୋଚନା କରିଥିଲେ । ଓଡ଼ିଶା ପ୍ରତି ତାଙ୍କ ସରକାରଙ୍କ ଗୋଟିଏ ପରେ ଗୋଟିଏ ଅବଦାନ ଲୋକଙ୍କୁ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶା ଆମ ସଂସ୍କୃତି ଅସ୍ମିତାର ମୂଳ ପିଣ୍ଡି ହୋଇ ରହିଛି । ସଂସ୍କୃତି, ମନ୍ଦିର, ପୁରାତନ କିର୍ତ୍ତୀରାଜ ଓଡ଼ିଶାର ଗୌରବ । ପୁରାତନ କିର୍ତ୍ତୀରାଜର ସୁରକ୍ଷା ପାଇଁ ତାଙ୍କ ସରକାର ସଂକଳ୍ପବଦ୍ଧ । ଆମର ଅନେକ ପୁରାତନ ମୂର୍ତ୍ତି ବିଦେଶରୁ ଫେରାଇ ଅଣାଯାଇଛି । ପୂର୍ବର ସରକାରକୁ ଦେଶବାସୀ ୧୦ ବର୍ଷ ସୁଯୋଗ ଦେଇଥିଲେ ମଧ୍ୟ ସଂସ୍କୃତି ପ୍ରତି ସଚେତନ, ସମ୍ବେଦନଶୀଳ ନ ଥିଲା । ଶିବାଜୀ ସ୍ମାରକ, ଷ୍ଟାଚୁ୍ୟ ଅଫ ୟୁନିଟିକୁ ଏହି ଦଳ ବିରୋଧ କରି ନିଜର ହୀନମନ୍ୟତା ଦେଖାଇଛି ।
ତାଙ୍କ ସରକାର ଅମଳରେ ଓଡ଼ିଶାକୁ ରେଳବିକାଶ କ୍ଷେତ୍ରରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଗତ ସାଢ଼େ ଚାରି ବର୍ଷ ଭିତରେ ରେଳ ବିକାଶ ପାଇଁ ରାଜ୍ୟକୁ ୨୦ ହଜାର କୋଟି ଟଙ୍କାର କାମ ଦିଆଯାଇଛି । ପୁରୁଣା ସରକାର ତୁଳନାରେ ଏହା ୫ ଗୁଣ ଅଧିକ । ଓଡ଼ିଶା ନିର୍ମାଣର ନୂଆ ଧାରା ସୃଷ୍ଟି କରିଛନ୍ତି ତାଙ୍କ ସରକାର । ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଇଛି ।
ଜାଲ୍ ରାସନ୍ କାର୍ଡ ପ୍ରସଙ୍ଗ ଉଠାଇ ମୋଦି କଂଗ୍ରେସକୁ ଶାଣିତ ଆକ୍ରମଣ କରିଥିଲେ । କହିଥିଲେ, ତାଙ୍କ ସରକାର ଅମଳରେ ସମଗ୍ର ଦେଶରେ ୬ କୋଟିରୁ ଅଧିକ ଜାଲ୍ ରାସନ୍ କାର୍ଡ ରଦ୍ଦ କରାଯାଇଛି । ଏଥିଯୋଗୁଁ ଅସାଧୁ ଲୋକଙ୍କ ଜାଲ୍ ବେପାର ବନ୍ଦ ହୋଇଯାଇଛି । ସେହି ଅସାଧୁ ଲୋକମାନେ ମୋଦିଙ୍କୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଏ ଚୌକିଦାର ଗରିବଙ୍କ ଧନ ଲୁଟେରାଙ୍କୁ ଜେଲ୍ ପଠାଇବା ପାଇଁ ସଂକଳ୍ପବଦ୍ଧ ବୋଲି ମୋଦି କହିଥିଲେ ।