ଭୁବନେଶ୍ୱର: ବିଜେପୁରରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ସନତ ଗଡ଼ତିଆ । ବିଜେପି କେନ୍ଦ୍ରୀୟ କମିଟି ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେପୁରରୁ ବିଜେଡ଼ି ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ସନତଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ତେବେ ମୁଖ୍ୟମନ୍ତ୍ରୀଙ୍କଠାରୁ ସେ ୫୬ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ । ଏବେ ଦ୍ୱିତୀୟ ବାର ନିର୍ବାଚନ ଲଢ଼ିବେ ସନତ । ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଏବଂ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ସହ ତାଙ୍କର ମୁକାବିଲା ହେବ ।
ମୁଖ୍ୟମନ୍ତ୍ରୀ ଜିତିଥିବା ବିଜେପୁର ଆସନ ନିଜ ଅକ୍ତିଆରକୁ ନେବାକୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି । ପ୍ରାର୍ଥୀ ଘୋଷଣାରେ ବିଳମ୍ବ ସତ୍ତ୍ୱେ ଦଳ ବିଜେପୁର ପ୍ରସ୍ତୁତିରେ ପଛରେ ନାହିଁ । ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ବିଜେପୁରରେ ଆରମ୍ଭ କରିଛି ସମରସଜ୍ଜା । ଆଉ ଟାର୍ଗେଟ୍ ରେ ରହିଛନ୍ତି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପୂଜାରୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି । ପ୍ରଶ୍ନ ନଂ (୧) ଆପଣ ବିଜେପୁର ଆସିଥିଲେ କାହିଁକି, ଛାଡ଼ିଲେ କାହିଁକି?(୨) ନିର୍ବାଚନ ବେଳେ ବିଜେପୁରର ବିକାଶ ଦାୟିତ୍ୱ ଆପଣ ନିଜେ ନେଇଥିଲେ । ବର୍ଷକରେ ଆପଣ ବିଜେପୁରର କ’ଣ ବିକାଶ କରିଛନ୍ତି?(୩) ବିନା ଅର୍ଥ ମଂଜୁରୀରେ ନିର୍ବାଚନ ବେଳେ ବହୁ ପ୍ରକଳ୍ପର ଶିଳାନ୍ୟାସ କରିଥିଲ । ସେଗୁଡ଼ିକ ଗଲା କୁଆଡ଼େ?(୪) ୩ ହଜାର କୋଟି ଟଙ୍କାର ଗଙ୍ଗାଧର ମେହେର ଜଳ ପ୍ରକଳ୍ପର ସ୍ଥିତି କ’ଣ?(୫) ନିର୍ବାଚନ ବେଳେ ଚାଷୀଙ୍କୁ ୧୦୦ ଟଙ୍କା ବେନସ୍ ଦେବାକୁ କହିଥିଲ । ଚାଷୀଙ୍କୁ ବୋନସ୍ କେବେ ଦେବେ?
ମୁଖ୍ୟମନ୍ତ୍ରୀଙ୍କଠାରୁ ଏହି ପ୍ରଶ୍ନଗୁଡ଼ିକର ଜବାବ ମାଗିଛନ୍ତି ସାଂସଦ ଶ୍ରୀ ପୂଜାରୀ ।
ଗତକାଲି ରୀତା ସାହୁଙ୍କୁ ବିଜେଡ଼ି ପ୍ରାର୍ଥୀ ଭାବେ ଘୋଷଣା କରିବା ଅବସରରେ ବିଜେପୁର ତାଙ୍କ ପାଇଁ ଫୋକସ୍ ନିର୍ବାଚନମଣ୍ଡଳୀ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।