ଭୁବନେଶ୍ୱର: ଦେଶରେ ଲକ୍ ଡାଉନ୍ ଅବଧିକୁ ମେ ୩୧ ତାରିଖ ଯାଏ ବଢ଼ାଇ ଦିଆଯାଇଛି । ଆସନ୍ତାକାଲିଠାରୁ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଆରମ୍ଭ ହେବ । ତେବେ ଲକ୍ ଡାଉନ୍ ନିୟମରେ ବିଶେଷ କୋହଳ କରାଯାଇନାହିଁ । ସାଧାରଣ ଲୋକଙ୍କ ପାଇଁ ପୂର୍ବ କଟକଣା ଯାହା ଥିଲା ପ୍ରାୟ ସେୟା ରହିବ ।
କଟକଣା କୋହଳ କହିଲେ, ରାତ୍ରିକାଳୀନ କର୍ଫ୍ୟୁରୁ ଜରୁରୀରୁ ସେବାକୁ ବାଦ୍ ଦିଆଯାଇଛି । ସଂଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ଲୋକଙ୍କ ଉପରେ ଯାତାୟତ କଟକଣା ରହିବ । ତେବେ ଏହି ସମୟରେ ଜରୁରୀ ସେବାକୁ ଅନୁମତି ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ୍ ପାଇଁ କିନ୍ତୁ କଟକଣା କୋହଳ ହେବ ନାହିଁ ।
ଆନ୍ତଃରାଜ୍ୟ ବସ୍ ଚଳାଚଳକୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି । ରାଜ୍ୟ ଏବଂ କେନ୍ଦ୍ର ଶାସିତ ରାଜ୍ୟମାନଙ୍କ ସହମତି ଭିତ୍ତିରେ ବସ୍ ଚଳାଚଳ କରିପାରିବ । ତେବେ କଣ୍ଟେନମେଣ୍ଟ ଜୋନ୍ ରେ ବସ୍ ଚାଲିପାରିବ ନାହିଁ ।
ସ୍ପୋର୍ଟସ୍ କମ୍ପ୍ଲେକ୍ସ ଓ ଷ୍ଟାଡିୟମ୍ ଖୋଲିବାକୁ ଅନୁମତି ମିଳିଥିଲେ ହେଁ ଦର୍ଶକଙ୍କ ପ୍ରବେଶକୁ ମନା କରାଯାଇଛି ।
ସାମାଜିକ ଦୂରତ୍ୱ ମଧ୍ୟରେ ବିବାହ ଉତ୍ସବ ହୋଇପାରିବ । ତେବେ ଉତ୍ସବରେ ସର୍ବାଧିକ ୫୦ ଅତିଥି ଯୋଗ ଦେଇପାରିବେ ।
ଶେଷକୃତ୍ୟରେ ୨୦ ଜଣଙ୍କ ଯୋଗଦାନକୁ ଅନୁମତି ଦିଆଯାଇଛି ।
ଜୋନ୍ ନିର୍ଦ୍ଧାରଣ ନିୟମାବଳୀରେ କିଛିଟା ପରିବର୍ତ୍ତନ ସହ ରାଜ୍ୟ ସରକାରଙ୍କ ଉପରକୁ ଦାୟିତ୍ୱ ଛାଡ଼ିଛନ୍ତି କେନ୍ଦ୍ର ସରକାର । ରେଡ୍, ଅରେଞ୍ଜ୍ ଓ ଗ୍ରୀନ୍ ଜୋନ୍ ରେ ଯୋଡିଛନ୍ତି କଣ୍ଟେନମେଣ୍ଟ ଓ ବଫର୍ ଜୋନ୍ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିୟମ ଆଧାରରେ ରାଜ୍ୟ ସରକାର ଏହା ଘୋଷଣା କରିବେ ।
ବାକି ପୂର୍ବରୁ ଯାହା କଟକଣା ଥିଲା ସେୟା ହିଁ ରହିବ । ଅର୍ଥାତ୍
* ଘରୋଇ, ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ରହିବ ।
* ମେଟ୍ରୋ ରେଳସେବା ବନ୍ଦ ରହିବ ।
* ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର୍ ବନ୍ଦ ରହିବ ।
* ହୋଟେଲ/ରେଷ୍ଟୁରାଣ୍ଟ ବନ୍ଦ ରହିବ । କେବଳ ହୋମ୍ ଡେଲିଭରି ହୋଇପାରିବ ।
* ସିନେମା ହଲ୍, ସପିଂ ମଲ୍, ଜିମନାସିୟମ୍, ସୁଇମିଂ ପୁଲ୍, ଥିଏଟର, ବାର୍, ଅଡିଟୋରିୟମ୍, ପାର୍କ ବନ୍ଦ ରହିବ ।
* ସାଂସ୍କୃତିକ ସଭା, ରାଜନୈତିକ ସଭା, ଧାର୍ମିକ ଉତ୍ସବ ହୋଇପାରିବ ନାହିଁ ।
* ସର୍ବସାଧାରଣ ଜାଗାରେ ମଦ୍ୟପାନ, ଗୁଟଖା, ପାନ ଖାଇବା ମନା
ପୂର୍ବରୁ ଦେଶରେ ମେଲ୍, ପାସେଞ୍ଜର ରେଳ ସେବାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି ରେଳ ବିଭାଗ ।
ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କଲେ ବର୍ଷେ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ଜରିମାନା ବ୍ୟବସ୍ଥା କରାଯାଇଛି । ସେହିଭଳି କୋଭିଡ୍ ମୁକାବିଲାରେ ସାମିଲ୍ ସରକାରୀ କର୍ମଚାରୀ ଏବଂ ଅନ୍ୟମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କଲେ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ।
କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଲକ୍ ଡାଉନ୍ ୪.୦ ର ସଂଶୋଧିତ ଗାଇଡଲାଇନ୍ ଜାରି କରାଯାଇଛି ।