ନୂଆଦିଲ୍ଲୀ: ଭାରତର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ରାମନାଥ କୋବିନ୍ଦ । ପାର୍ଲିଆମେଣ୍ଟର ସେଣ୍ଟ୍ରାଲ୍ ହଲରେ ଆୟୋଜିତ ଭବ୍ୟ ସମାରୋହରେ ସୁପ୍ରିମ୍ କୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ୍ ଜେ.ଏସ. କେହରା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଏହି ଅବସରରେ ରାଷ୍ଟ୍ରପତି କୋବିନ୍ଦ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ରଖିଥିଲେ । ନୂଆ ରାଷ୍ଟ୍ରପତି କହିଥିଲେ, ଆମକୁ ଏମିତି ଏକ ଭାରତ ନିର୍ମାଣ କରିବାକୁ ପଡ଼ିବ ଯାହା ଆର୍ଥିକ ଏବଂ ନୈତିକତାରେ ମହାଶକ୍ତି ହୋଇଥିବ । କୃଷକ, ଶିକ୍ଷକ, ଡାକ୍ତର, ଜନସେବକ ଏବଂ ବୈଜ୍ଞାନିକଙ୍କୁ ରାଷ୍ଟ୍ର ନିର୍ମାତା ଭାବେ ଅଭିହିତ କରିଥିଲେ ରାଷ୍ଟ୍ରପତି । ଏ ଦେଶର ପ୍ରତି ନାଗରିକ ଆମ ଶକ୍ତିର ମୂଳ ଉତ୍ସ ବୋଲି ରାଷ୍ଟ୍ରପତି କହିଥିଲେ ।