ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ତଥାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଆଉ ନାହାନ୍ତି । ଦିଲ୍ଲୀର ଫୋର୍ଟିସ୍ ଏସକର୍ଟସ୍ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତୁ୍ୟ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । କ୍ରମାଗତ ଭାବେ ୧୫ ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସର ଏହି ବରିଷ୍ଠ ନେତ୍ରୀଙ୍କ ମୃତ୍ୟୁରେ ସବୁ ମହଲରୁ ଶୋକ ପ୍ରକାଶ ପାଇଛି ।
୮୧ ବର୍ଷ ବୟସରେ ବେଶ୍ ଚଳଚଞ୍ଚଳ ଥିଲେ ଶୀଲା ଦୀକ୍ଷିତ । ତେବେ ହୃଦଯନ୍ତ୍ରରେ ସମସ୍ୟା ଯୋଗୁଁ ଆଜି ସକାଳ ୧୦ଟା ବେଳେ ଫୋର୍ଟିସ୍ ଏସକର୍ଟସ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ହୋଇ ଆସୁଥିଲା । ମାତ୍ର ଅପରାହ୍ନ ୩.୧୫ରେ ସେ ପୁଣି ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା । ହସ୍ପିଟାଲ୍ ର ନିର୍ଦ୍ଦେଶକ ଡାକ୍ତର ଅଶୋକ ସେଠ୍ ଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କର ଜୀବନ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା । ଅପରାହ୍ନ ୩.୫୫ରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।
ବରିଷ୍ଠ କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଉମାଶଙ୍କର ଦୀକ୍ଷିତଙ୍କର ବୋହୁ ଶୀଲା ଦୀକ୍ଷିତ କଂଗ୍ରେସ ରାଜନୀତିରେ ଜଣେ ସଫଳ ଚେହେରା । ତାଙ୍କର ଉଚ୍ଚ ବ୍ୟକ୍ତିତ୍ୱ, ଦୃଢ଼ମନା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା । ୧୯୯୮ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ଲଗାତର ତିନି ତିନି ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ଜଣେ ମହିଳା ଭାବେ କ୍ରମାଗତ ୧୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେବା ତାଙ୍କୁ ବିରଳ ରେକର୍ଡର ଅଧିକାରୀ କରିଥିଲା । ୨୦୧୪ ମସିହା ମାର୍ଚ୍ଚ ମାସରେ କେରଳର ରାଜ୍ୟପାଳ ନିଯୁକ୍ତି ପାଇଥିଲେ ମଧ୍ୟ ୬ ମାସ ପରେ ଇସ୍ତଫା ଦେଇ ପୁଣି ପ୍ରତ୍ୟକ୍ଷ ରାଜନୀତିକୁ ଫେରି ଆସିଥିଲେ । ଦିଲ୍ଲୀ କଂଗ୍ରେସର ସଭାନେତ୍ରୀ ଭାବେ ଦଳ ପାଇଁ ତାଙ୍କର ଲଢ଼େଇ ଜାରି ରହିଥିଲା । ତାଙ୍କର ମୃତ୍ୟୁ କେବଳ କଂଗ୍ରେସ ନୁହେଁ, ସମଗ୍ର ଦେଶ ପାଇଁ ଅପୂରଣୀୟ କ୍ଷତି ଆଣିଛି ।
ଶ୍ରୀମତୀ ଦୀକ୍ଷିତଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ଗାନ୍ଧୀ ପରିବାରର ଏହି ଘନିଷ୍ଠ ନେତ୍ରୀଙ୍କ ମୃତ୍ୟୁରେ ବେଶୀ ମର୍ମାହତ ହୋଇଛନ୍ତି ସୋନିଆ ଓ ରାହୁଲ ଗାନ୍ଧୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ଶୋକପ୍ରକାଶ କରିଛନ୍ତି । ଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ବାସଭବନଠାରେ ତାଙ୍କର ମରଶରୀରକୁ ଅନ୍ତିମଦର୍ଶନ ପାଇଁ ରଖାଯାଇଛି । ଆସନ୍ତାକାଲି ସାଢ଼େ ଦୁଇଟା ବେଳେ ନିଗମ ବୋଧ ଘାଟରେ ଶେଷକୃତ୍ୟ ସମ୍ପନ୍ନ ହେବ ।