ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଶ୍ରୀଦେବୀ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଅପରାହ୍ନରେ ମୁମ୍ବାଇର ଭିଲେ ପାର୍ଲେ ସମାଜ କ୍ରିମେଟୋରିୟମ୍ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱାମୀ ବୋନି କପୁର ମୁଖାଗ୍ନି ଦେଇଥିଲା ବେଳେ ଦୁଇ ଝିଅ ଜାହ୍ନବୀ ଓ ଖୁସି ସହଯୋଗ କରିଥିଲେ । ହଜାର ହଜାର ସାଧାରଣ ଜନତାଙ୍କ ସମେତ ବଲିଉଡର ପ୍ରାୟ ସମସ୍ତ କଳାକାର ଶ୍ରୀଦେବୀଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗଦେଇ ତାଙ୍କର ପ୍ରିୟ ଅଭିନେତ୍ରୀଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ପ୍ରିୟ ଅଭିନେତ୍ରୀଙ୍କ ଶେଷ ଦର୍ଶନ ପାଇଁ ଜନସାଧାରଣଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଏପରିକି ପୁଲିସକୁ ଲାଠିଚାଳନା କରିବାକୁ ପଡ଼ିଥିଲା ।
ଅପରାହ୍ନ ୩.୩୦ରେ ଲୋଖଣ୍ଡୱାଲା ବାସଭବନରୁ ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଏକ ବିରାଟ ଶୋଭାଯାତ୍ରାରେ ଶ୍ମସାନ ଅଭିମୁଖେ ଯାଇଥିଲା । ଦୀର୍ଘ ୭ କିମି ବ୍ୟାପୀ ରାସ୍ତା ଜନସମୁଦ୍ର ପାଲଟିଯାଇଥିଲା । ଏକ ସୁସଜ୍ଜିତ ଗାଡ଼ିରେ ଚାଲିଥିଲା ଶ୍ରୀଦେବୀଙ୍କ ମରଶରୀର । ତ୍ରିରଙ୍ଗା ପତାକାରେ ଘୋଡ଼େଇ ହୋଇଥିଲା ପାର୍ଥିବ ଶରୀର । ଅନ୍ତେଷ୍ଟିକ୍ରିୟା ପୂର୍ବରୁ ଶ୍ରୀଦେବୀଙ୍କ ମରଶରୀରକୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା । ଅନ୍ତେଷ୍ଟିକ୍ରିୟାରେ ଶ୍ରୀଦେବୀଙ୍କ ପରିବାରପର୍ଗଙ୍କ ସମେତ ବଲିଉଡ ବ୍ୟକ୍ତିତ୍ୱ ରେଖା, ଅନୁପମ ଖେର୍, ଶାହାରୁଖ ଖାଁଙ୍କଠାରୁ ଆରମ୍ଭ କରି କାଟ୍ରିନା କୈଫ୍, ଦିଆ ମିର୍ଜା, ବିଦ୍ୟା ବାଲାନ୍, ଅର୍ଜୁନ ରାମପାଲ୍, ଅଲକା ୟାଗ୍ନିକ୍ ପ୍ରମୁଖ ନାମୀଦାମୀ ଶତାଧିକ ଷ୍ଟାର୍ ଉପସ୍ଥିତ ଥିଲେ ।