ଭୁବନେଶ୍ୱର: ରଥଯାତ୍ରା ପାଇଁ ମଝିରେ ଆଉ ମାତ୍ର ୪ ଦିନ ଥିଲା ବେଳେ ତିନି ରଥର ନିର୍ମାଣ କାର୍ଯ୍ୟ ସରି ଆସିଥିଲା । ପ୍ରଶାସନ ପକ୍ଷରୁ ଗତକାଲିଠାରୁ ବଡ଼ଦାଣ୍ଡ କଡ଼ରୁ ଦୋକାନ ଉଠାଇବା ଆରମ୍ଭ ହୋଇଥିଲା । ପୁରୀର ବିଭିନ୍ନ ସାହି, ଗଳି, କନ୍ଦିରେ ପୁଲିସ ବ୍ୟାରିକେଡିଂ କରିଥିଲା । ମୋଟାମୋଟି ଭାବେ ରଥଯାତ୍ରା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲା । ତେବେ ଭକ୍ତଙ୍କ ମନରେ ଯେଉଁ ବଡ଼ ଆଶଙ୍କା ଥିଲା ତାହା ହିଁ ହେଲା । କରୋନା ପାଇଁ ଏବର୍ଷ ରଥଯାତ୍ରାକୁ ବନ୍ଦ କରି ଦେଇଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ କହିଛନ୍ତି, କରୋନା ମହାମାରୀ ବେଳେ ଲୋକମାନେ ଏକାଠି ହେବା ଠିକ୍ ନୁହେଁ । ଏଣୁ ଏବର୍ଷ ରଥଯାତ୍ରା ହୋଇପାରିବନି । ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରିବାକୁ ପଡୁଛି । ଖାଲି ଶ୍ରୀକ୍ଷେତ୍ର ପୁରୀ ନୁହେଁ, ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି । ରଥଯାତ୍ରା ପାଇଁ ଅନୁମତି ଦେଲେ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେନି ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ଏ.ବୋବଡେ ମନ୍ତବ୍ୟ ଦେଇଛନ୍ତି ।
କରୋନା ଯୋଗୁଁ ରଥଯାତ୍ରା ବନ୍ଦ ପାଇଁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟ ରେ ମୂଳ ପିଟିସନ୍ ଫାଇଲ୍ ହୋଇଥିଲା । ଏଥିସହ ଅନ୍ୟାନ୍ୟ ୭ଟି ପିଟିସନ୍ ବି ଆସିଥିଲା । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ଏ.ବୋବଡେ, ବିଚାରପତି ଏ.ଏସ୍.ବୋପନ୍ନା ଓ ବିଚାରପତି ହୃଷିକେଶ ରାୟଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଥିଲା ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ରଥଯାତ୍ରା ସପକ୍ଷରେ ଯୁକ୍ତି ରଖିଥିଲେ । ବିନା ଶ୍ରଦ୍ଧାଳୁରେ ବିଭିନ୍ନ ନୀତିକାନ୍ତି କରାଯାଇପାରିବ ବୋଲି ସେ ଦର୍ଶାଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ତାଙ୍କ ଯୁକ୍ତିରେ କହିଥିଲେ ଯେ ଯେତେବେଳେ ବି କୌଣସି ପାର୍ବଣ ହୁଏ, ଗହଳି ହୁଏ । ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ତାଙ୍କ ଯୁକ୍ତି ରଖିଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ୍ ବୋବଡେ ଶ୍ରୀ ସାଲଭେ ଏବଂ ଶ୍ରୀ ରୋହତଗୀଙ୍କ ଯୁକ୍ତିକୁ ଗ୍ରହଣ କରିଥିଲେ ।
କରୋନା ସଙ୍କଟର ବାସ୍ତବତା ସତ୍ତ୍ୱେ ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟ ଦେଶ ବିଦେଶର ଅଗଣିତ ଜଗନ୍ନାଥପ୍ରେମୀଙ୍କୁ ଦାରୁଣ କଷ୍ଟ ଦେଇଛି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏବେ ସବୁଆଡ଼େ ସେଇ ଚର୍ଚ୍ଚା । ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡ଼ିବନି, ଏକଥା ଭାବି ପାରୁନାହାନ୍ତି ଭକ୍ତ । ସେବାୟତମାନଙ୍କ ମଧ୍ୟରେ ଏହାକୁ ନେଇ ଭୀଷଣ ଅସନ୍ତୋଷ ଓ ପ୍ରତିକ୍ରିୟା ସୃଷ୍ଟି ହେଲାଣି । ଅଣସରରେ ଥିବା ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଏବେ ଜଟିଳ ସମସ୍ୟା ଦେଖାଗଲାଣି ।
ଏପଟେ ଆଜି ସଂଧ୍ୟା ୭.୪୫ ମିନିଟ୍ ରେ ରାଜ୍ୟ କ୍ୟାବିନେଟ୍ ର ଜରୁରୀ ବୈଠକ ଡକାଯାଇଥିବାରୁ ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ବୈଠକରେ ଆଡଭୋକେଟ୍ ଜେନେରାଲ୍, ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶଶସକ, ଆଇନ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ରହୁଥିବାରୁ ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ରାଜ୍ୟ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାର ଆଭାସ ମିଳୁଛି ।