ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ଏଠାରେ ଆରମ୍ଭ ହୋଇଥିବା ରାଜ୍ୟର ବୃହତମ କୋଭିଡ-୧୯ ହସ୍ପିଟାଲ ସମ୍ କୋଭିଡ ହସ୍ପିଟାଲ୍ ସମେତ ସୋଆର ଅନ୍ୟ ଦୁଇଟି ସ୍ଥାନୀୟ ହସ୍ପିଟାଲ୍ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଆଦୃତ ଲାଭ କଲାଣି । ତିନୋଟି ହସ୍ପିଟାଲ୍ ରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପୃଥକ ପୃଥକ ଭାବେ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି । ସମ୍ ହସ୍ପିଟାଲ୍ ପକ୍ଷରୁ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ ଷ୍ଟାଫ୍ ଯୋଗାଇ ଦିଆଯାଇଛି ।
୫୨୫ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲଟି କେବଳ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଅନ୍ୟ ଦୁଇଟି ହସ୍ପିଟାଲ୍ ରେ ସାଧାରଣ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ସବୁ ବର୍ଗର ରୋଗୀଙ୍କ ପାଇଁ ଏଠାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । କୋଭିଡ ହସ୍ପିଟାଲ୍ ବ୍ୟତିତ ସମ୍ କିମ୍ବା ସମ୍ ଅଲ୍ଟିମେଟ ମେଡିକେୟାରରେ କରୋନା ସଂକ୍ରମିତ ହୋଇଥିବା ରୋଗୀଙ୍କୁ ଚିକିତ୍ସା କରାଯାଉ ନାହିଁ ବୋଲି ସୋଆ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହୋଇଥିବା ସମ୍ କୋଭିଡ ହସ୍ପିଟାଲ୍ ରେ ୫୦୦ ଶଯ୍ୟା ରହିଥିବା ବେଳେ ୨୫ଟି ଆଇସିୟୁ ଶଯ୍ୟା ରହିଛି । ସେହିପରି ସୋଆ ପକ୍ଷରୁ ତାଳଚେରରେ ୧୫୬ ଶଯ୍ୟା ବିଶିଷ୍ଟ ଏବଂ କେନ୍ଦ୍ରାପଡ଼ାରେ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଭୁବନେଶ୍ୱର ଏବଂ ତାଳଚେରରେ ମହାନଦୀ କୋଲଡ୍ ଫିଲଡସ୍ ସହଭାଗିତାରେ କୋଭିଡ୍ ହସ୍ପିଟାଲ୍ ଆରମ୍ଭ କରାଯାଇଥିବା ବେଳେ କେନ୍ଦ୍ରାପଡ଼ାରେ ରାଜ୍ୟସରକାରଙ୍କ ସହଭାଗିତାରେ କୋଭିଡ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରାଯାଇଛି । ଏନେଇ ସୋଆ, ଏମ୍ସିଏଲ୍ ଏବଂ ରାଜ୍ୟସରକାରଙ୍କ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି ।
ସୂଚନାଯୋଗ୍ୟ, ଏନ୍ଆଇଆର୍ଏଫ ରାଙ୍କିଙ୍ଗ୍ ରେ ୨୧ ତମ ସ୍ଥାନ ହାସଲ କରିଥିବା ଟିଚିଂ ହସ୍ପିଟାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସୋଆର ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ । ନିକଟରେ ସମ୍ ଅଲ୍ଟିମେଟ ମେଡିକେୟାର ସୁପର ସ୍ପେସିଆଲଟି ହସ୍ପିଟାଲ୍ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି ।