ଭୁବନେଶ୍ୱର: ଏଣିକି ସାମାଜିକ ରାଜନୀତିର ରାସ୍ତା ଧରିବ କଳିଙ୍ଗସେନା । ସମାଜରେ ଦେଖା ଦେଇଥିବା ବିଭିନ୍ନ ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ସହ ଯୁବସମାଜର ବିକାଶ ଦିଗରେ ଅଧିକ ଧ୍ୟାନ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଆଜି କଳିଙ୍ଗ ସେନାର ଊନବିଂଶ ପ୍ରତିଷ୍ଠା ଦିବସ ଅବସରରେ ଏହି ଘୋଷଣା କରିଛନ୍ତି ସୁପ୍ରିମୋ ହେମନ୍ତ ରଥ । ଏକ ରାଜନୈତିକ ଦଳ ଭାବେ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସେନା ତାହାର ନିରନ୍ତର ଉଦ୍ୟମ ଜାରି ରଖିବା ସହ ସାମାଜିକ ବିକାଶ ଉପରେ ଅଧିକ ଫୋକସ୍ ଦିଆଯିବ ବୋଲି ସେ କହିଛନ୍ତି ।
କଳିଙ୍ଗ ସୈନିକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଜନମତକୁ ଜାଗରିତ କରିବା ସହ ସେମାନଙ୍କ ପାଇଁ ରାଜକୋଷରୁ ଖର୍ଚ୍ଚ ହେଉଥିବା ଅର୍ଥର ହିସାବ ନିକାଶ ଉପରେ ଗୁରୁତ୍ୱ ଦେବେ । ରାଜ୍ୟବାସୀଙ୍କ ସ୍ୱାର୍ଥହାନି କଲା ଭଳି କାର୍ଯ୍ୟ କରୁଥିବା ରାଜନେତାଙ୍କ ମୁଖା ଖୋଲିବେ । ସେମାନଙ୍କ କାର୍ଯ୍ୟକଳାପ ସଂକ୍ରାନ୍ତରେ ରାଜ୍ୟବାସୀଙ୍କୁ ଅବଗତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ତିନି ହଜାରରୁ ଅଧିକ ସେନା କର୍ମୀମାନଙ୍କୁ ଉଦବୋଧନ ଦେଇ ଶ୍ରୀ ରଥ କହିଥିଲେ, ରାଜ୍ୟରେ ଯୁବ ସମାଜ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଉତ୍ପାଦିତ ଫସଲକୁ ବିକ୍ରି କରିବାକୁ ଚାଷୀ ଅନ୍ୟ ଆଗରେ ଗୋଡ଼ ଭାଙ୍ଗି ଛିଡ଼ା ହେଉଛି । କୃଷି, ଶିଳ୍ପ, ନିଯୁକ୍ତି, ଜଳସେଚନ ଆଦି ସବୁ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଠାରୁ ପଛରେ ପଡ଼ିଛି । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଭଲ ନାହିଁ । ମାମଲା ଫଏସଲା ଓ ଦୋଷୀଙ୍କୁ ଦଣ୍ଡବିଧାନ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ସବୁଠାରୁ ତଳେ ଅଛି ।
ଏଭଳିସ୍ଥିତିରେ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ କଳିଙ୍ଗ ସେନା ସାମାଜିକ ରାଜନୀତି ଉପରେ ଅଧିକ ଧ୍ୟାନ ଦେବାକୁ ଶ୍ରୀ ରଥ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ କଳିଙ୍ଗସେନାର ଉତ୍ସର୍ଗୀକୃତ କର୍ମୀମାନଙ୍କୁ ସୁପ୍ରିମୋ ଶ୍ରୀ ରଥ ରାଜଦଣ୍ଡ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ କର୍ମୀମାନେ ହେଲେ ବିଜୟ ରାଜ, ହୃଷିକେଶ ସେନାପତି, ଅବଦୁଲ କୟୁମ୍ ଖାନ୍, ସରୋଜ ଆଚାର୍ଯ୍ୟ, ଗୌରାଙ୍ଗ ପ୍ରଧାନ, ପ୍ରସନ୍ନ ବିଶ୍ୱାଳ, ଏମଡ଼ି ତାଜୁଲ୍ଲା ମୁଲକ ତତାରୀ, ଜାନକୀ ରାଉତ, ଦିଲ୍ଲୀପ ନାଥ, ବିଶ୍ୱଜିତ ଦେବତା, ଜଗଦୀଶ ହରିଚନ୍ଦନ, ରଞ୍ଜିତ୍ ରଣା, ଜୟକୃଷ୍ଣ ମହାନ୍ତି, ସନ୍ତୋଷ ମହାନ୍ତି ଓ ମହେଶ ଦାସ ପ୍ରମୁଖ ।
ସ୍ଥାନୀୟ ୟୁନିଟ୍-୧ସ୍ଥିତ କସ୍ତୁରବା ନାରୀ ମହଲଠାରେ ଅନୁଷ୍ଠିତ ଏହି ସଭା ପ୍ରାରମ୍ଭରେ ସଂସ୍କୃତି ସୁରକ୍ଷା ମଞ୍ଚ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।