ନୂଆଦିଲ୍ଲୀ: ପ୍ରେସ୍ କ୍ଲବ୍ ଅଫ ଇଣ୍ଡିଆ ଓ ଓଡ଼ିଶା ମିଡ଼ିଆ ଫୋରମ୍ ମିଳିତ ବ୍ୟାନରରେ ଦିଲ୍ଲୀରେ ଆୟୋଜିତ ହୋଇଛି ଓଡ଼ିଆ ଫୁଡ୍ ଫେଷ୍ଟିଭାଲ୍ । ଓଡ଼ିଶାର ଖାଦ୍ୟକୁ ଜାତୀୟସ୍ତରରେ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏହାର ଆୟୋଜନ ହୋଇଥିବା କୁହାଯାଉଛି । ଦିଲ୍ଲୀ ସାମ୍ବାଦିକଙ୍କୁ ଏକାଠି କରିବାର ଦାୟିତ୍ୱ ଖୋଦ୍ ଧର୍ମେନ୍ଦ୍ର ନେଇଥିଲା ବେଳେ ଓଡ଼ିଶାର ହାତଗଣତି ମାନ୍ୟଗଣ୍ୟ ସାମ୍ବାଦିକଙ୍କୁ ଦିଲ୍ଲୀ ନେଇ କାର୍ଯ୍ୟକ୍ରମରେ ସାମିଲ କରିବାର ଦାୟିତ୍ୱ ନେଇଛନ୍ତି ଧର୍ମେନ୍ଦ୍ରଙ୍କ ଏକାନ୍ତ ବନ୍ଧୁ ସାମ୍ବାଦିକ ସଞ୍ଜୟ(ପୁଲକ) ଜେନା । ଦିଲ୍ଲୀ ଯାଇଥିବା ଓଡ଼ିଆ ସାମ୍ବାଦିକଙ୍କ ମଧ୍ୟରେ ଅଛନ୍ତି ମନୋରଂଜନ ମିଶ୍ର(କନକ ନ୍ୟୁଜ୍ ମୁଖ୍ୟ), ଭୈରବ ବ୍ରହ୍ମା, ଦିଲ୍ଲୀପ ସୁବୁଦ୍ଧି ।
ଗତକାଲି ଧର୍ମେନ୍ଦ୍ର ପ୍ରଧାନ ଉକ୍ତ ଦୁଇଦିନିଆ ଫେଷ୍ଟିଭାଲ୍ କୁ ଉଦଘାଟନ କରିଥିଲେ । ଓଡ଼ିଆ ଖାଦ୍ୟ ଘାଣ୍ଟ, ଡାଲମା, ମୁଢ଼ିଘାଣ୍ଟ, ମାଛ ବେସର, ମାଟିହାଣ୍ଡି ମଟନ୍, ଚୁଙ୍ଗୁଡ଼ି ତରକାରୀ, କଙ୍କଡ଼ା ଝୋଳ, ଛେନାପୋଡ଼, ଛେନାଝିଲିରେ ସାମ୍ବାଦିକ ଓ ଭିଆଇପି ଆଗନ୍ତୁକଙ୍କୁ ସେ ନିଜେ ଆପ୍ୟାୟିତ କରିଥିଲେ । ଅନୁଗୁଳରୁ ରୋଷେୟା ପ୍ରଦୀପ ନନ୍ଦ ସବୁ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଆଜି ଜୁଏଲ୍ ଓରାମ ଫେଷ୍ଟିଭାଲ୍ କୁ ଉଦଯାପନ କରିବେ । ଦିଲ୍ଲୀରେ ଧର୍ମେନ୍ଦ୍ରଙ୍କ ତତ୍ତ୍ୱାବଧାନରେ ଏଭଳି ସୋ ଆୟୋଜନ ଓଡ଼ିଶା ମିଡ଼ିଆ ମାର୍କେଟ୍ ରେ ଚର୍ଚ୍ଚାର ବିଷୟ ହୋଇଛି ।