ଭୁବନେଶ୍ୱର: ଗତ ୧୨ ତାରିଖ ଦିନ ସଚିବାଳୟରେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ପ୍ରେସ୍ ମିଟ୍ ରେ ଜଣେ ଟିଭି ସାମ୍ବାଦିକଙ୍କର ଅବିକଳ ଏଇ ପ୍ରଶ୍ନ ଥିଲା.. ‘ଆପଣଙ୍କର ଅମୁକ ନେତା(ସୌଜନ୍ୟତା ଦୃଷ୍ଟିରୁ ନାଁ ଲେଖିବାକୁ ସଙ୍କୋଚ କରୁଛୁ) ଦିନକୁ ୮ ହଜାର ଟଙ୍କାର ମଦ ପିଉଥିବା ଆମ ପାଖରେ ଖବର ଅଛି । ହଁ, ସେ ପିଉଛନ୍ତି । ଦିନକୁ କେତେ ଟଙ୍କାର ମଦ ପିଉଛନ୍ତି ଆପଣ କହନ୍ତୁ । ସେଥିପାଇଁ କେଉଁଠୁ ଟଙ୍କା ଆଣୁଛନ୍ତି ତାହା ବି କହନ୍ତୁ ’ । ସଂପୃକ୍ତ ସାମ୍ବାଦିକଙ୍କର ଏଭଳି ପ୍ରଶ୍ନ ଦାମବାବୁଙ୍କୁ ପ୍ରବଳ ଉତକ୍ଷିପ୍ତ କରିଥିଲା ।ସୌଜନ୍ୟତା ଶିଖି ପ୍ରଶ୍ନ ପଚାର ବୋଲି ଦାମବାବୁ ଚିଲେଇଥିଲେ । ତେବେ କଥା ସେତିକିରେ ସରିଲାନି । ଦାମବାବୁ ହିତାହତ ଜ୍ଞାନ ଭୁଲି ଯାଇ ସେହି ଅସୌଜନ୍ୟ ପ୍ରଶ୍ନର କିଛି ଜବାବ ରଖିଥିଲେ । ଯାହା ସୋସିଆଲ୍ ମିଡ଼ିଆରେ ଏବେ ଭାଇରାଲ୍ ହୋଇଛି । ଛାତି ବାଡ଼େଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଜେନ୍ସି ତାହାକୁ ସୋସିଆଲ୍ ମିଡ଼ିଆରେ ଖୁଲମ୍ ଖୁଲା ଭାଇରାଲ୍ କରୁଛନ୍ତି ।
ଦାମବାବୁଙ୍କୁ ପ୍ରଶ୍ନ କରିଥିବା ସାମ୍ବାଦିକଜଣଙ୍କ ଏକ ପ୍ରମୁଖ ଚାନେଲରେ କାମ କରୁଛନ୍ତି । ଏଭଳିଆ ଅବାନ୍ତର ଓ ଅସୌଜନ୍ୟ ପ୍ରଶ୍ନ ତାଙ୍କ ମୁହଁରେ ନୂଆ ନୁହଁ । ସଂପୃକ୍ତ ଚାନେଲ୍ କର୍ତ୍ତୃପକ୍ଷଙ୍କୁ ଏକଥା ଯେ ଅଜଣା ତାହା ନୁହେଁ । ତେବେ ସବୁ ଜାଣି ବି ଚାନେଲ କର୍ତ୍ତୃପକ୍ଷଙ୍କ ପାଇଁ ସେ କୁଆଡେ ଟିଆରପି ମ୍ୟାଟେରିଆଲ୍ । ଦାମଙ୍କ ମୁହଁରୁ ଏଭଳି ପ୍ରଶ୍ନର ଉତ୍ତର ତାଙ୍କ ଚାନେଲ୍ ପାଇଁ ଖୋରାକି ହେବ ବୋଲି ସାମ୍ବାଦିକ ଅନୁଭବ କରିଥାଇପାରନ୍ତି । ପ୍ରତିପକ୍ଷ ନେତାଙ୍କୁ ଖୁସି କରାଇବା ପାଇଁ ଏହା ଚାଲ୍ ବି ହୋଇଥାଇପାରେ । ତେଣୁ ଏଭଳି ପ୍ରଶ୍ନ ପ୍ରରୋଚିତ ବୋଲି ସନ୍ଦେହ ଉଠିଛି । ତେବେ ପ୍ରତିପକ୍ଷ ନେତାଙ୍କୁ ଖୁସି କରାଇବା ହଉ ବା ଟିଆରପି ଚକ୍କର ହେଉ, ସାମ୍ବାଦିକତାର ଧର୍ମ ଭୁଲିଯିବା ବୁଦ୍ଧିଜୀବୀମହଲକୁ ବିବ୍ରତ କରିଛି । ପ୍ରଶ୍ନ ପଚାରିବା ଆଳରେ ଜଣେ ସାମ୍ବାଦିକ ସୌଜନ୍ୟତା ଓ ଶାଳୀନତା ବାହାରକୁ ଯିବା ଠିକ୍ ନୁହେଁ । ସର୍ବୋପରି ସାମ୍ବାଦିକତାର ଲକ୍ଷ୍ମଣରେଖା ପାର୍ କରି ଜଣଙ୍କ ବ୍ୟକ୍ତିଗତ ପରିଧି ଭିତରକୁ ପଶିବା ଏକ ଗୁରୁତର ଅପରାଧ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ଉପରୋକ୍ତ ପ୍ରସଙ୍ଗ ଗରମ ଥିବା ବେଳେ ସାମ୍ବାଦିକତା ନାଁରେ ଆଉ ଏକ ଅଭଦ୍ରାମୀ ଦେଖିବାକୁ ମିଳିଛି । ଗତକାଲି ମୁଖ୍ୟମନ୍ତ୍ରୀଙ୍କର ଜନ୍ମଦିନ ଥିଲା । ଜଣେ ଟିଭି ସାମ୍ବାଦିକ ଫେସବୁକ୍ ଏବଂ ବିଭିନ୍ନ ହ୍ୱାଟସ୍ ଆପ୍ ଗ୍ରୁପରେ ଗୋଟିଏ ବାକ୍ୟର ଏକ ଲେଖା ପୋଷ୍ଟିଂ କରିଥିଲେ । ‘ଆଜି ରାତିରେ ନବୀନ ତାଙ୍କ ବାର୍ଥ ଡେ ସେଲିବ୍ରେସନ୍ ରେ କେଉଁ ହ୍ୱିସ୍କି ନେବେ’ ବୋଲି ପ୍ରଶ୍ନ କରିଥିଲେ । ସୋସିଆଲ୍ ମିଡ଼ିଆରେ ସକ୍ରିୟ ଥିବା ଅନେକ ବରିଷ୍ଠ ସାମ୍ବାଦିକଙ୍କୁ ଏଭଳି ଆଚରଣ ବିବ୍ରତ କରିଛି । କେତେ ସାହାସ ସେହି ସାମ୍ବାଦିକର ? କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ କିମ୍ବା ନେତାଙ୍କ ପ୍ରତି ଆନୁଗତ୍ୟ ରଖିବା କିମ୍ବା ଚାମଚାଗିରି କରିବାରେ ମନା ନାହିଁ । ମାତ୍ର ଏକ ଚାନେଲରେ ଚାକିରି କରି ରାଜନୈତିକ ଦଳର ଏଜେଣ୍ଟ ସାଜିବା ଏବଂ ସୋସିଆଲ୍ ମିଡ଼ିଆରେ ଅଭଦ୍ରାମି ଦେଖାଇବା ସେମାନଙ୍କୁ ବିବ୍ରତ କରିଛି । ସାମ୍ବାଦିକତାର ଗାରିମାକୁ ଏଭଳି କିଛି ଅନାମଧ୍ୟେୟ ସାମ୍ବାଦିକ ଧୂଳିଷାତ କରୁଛନ୍ତି ବୋଲି ଅନେକ କ୍ଷୋଭ ପ୍ରକାଶ କରିଛନ୍ତି ।
‘ସାମ୍ବାଦିକମାନେ କ’ଣ ରାଜନୀତି ଓ ସାମାଜିକ ଜୀବନରେ ଥିବା ଲୋକଙ୍କୁ କିଏ ମଦ ପିଇଲା, ରାତିରେ ନିଜ ପତ୍ନୀଙ୍କ ସହ କ’ଣ କରୁଥିଲ ଏକଥା ବି ପଚାରିପାରିବେ କି ’ ବୋଲି ସୋସିଆଲ୍ ମିଡ଼ିଆରେ ପ୍ରଦୀପ କୁମାର ସାହୁ ନାମକ ଜଣେ ଭଦ୍ରବ୍ୟକ୍ତି ପ୍ରଶ୍ନ ପଚାରିଛନ୍ତି । ଏହା କେତେ ସାଂଘାତିକ ଏବଂ ସାମ୍ବାଦିକତାର ମାନ ଓ ମୂଲ୍ୟବୋଧ କେଉଁ ଦିଗକୁ ନେଉଛି ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ।